ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନ୍ଦୁସାଗର ସ୍ୱଚ୍ଛ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏକାମ୍ର ଯୋଜନାରେ ହେବାକୁ ଥିବା କାର୍ଯ୍ୟକ୍ରମ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିନ୍ଦୁ ସାଗର ମୋ ପାଇଁ ସବୁବେଳେ ଏକ ବଡ଼ ଆକର୍ଷଣ ହୋଇରହିଛି । ଦେଶର ସବୁ ତୀର୍ଥ ଜଳ ବିନ୍ଦୁ ସାଗରରେ ଏକାଠି ହୋଇଛି । ବିନ୍ଦୁସାଗରର ପ୍ରତିଟି ଜଳବିନ୍ଦୁ ପବିତ୍ର ।
ବିନ୍ଦୁସାଗର ଜାତୀୟ ସଂହତି ଓ ଏକତାର ପ୍ରତୀକ । ବିନ୍ଦୁ ସାଗର ଏକ ତୀର୍ଥ ପୋଖରୀ ନୁହେଁ, ପୁରୁଣା ଭୁବନେଶ୍ୱରର ଲୋକମାନଙ୍କ ସାମାଜିକ ଏବଂ ସାଂସ୍କୃତିକ ଜୀବନ ସହ ଏହାର ନିବିଡ଼ ସମ୍ପର୍କ ରହିଛି ବୋଲି ସେ କହିଥିଲେ । ତେଣୁ ଏହାକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ସେ ମତ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲିଙ୍ଗରାଜ ମହାପ୍ରଭୁଙ୍କ ପବିତ୍ର ଧାମ ଭୁବନେଶ୍ୱର କେବଳ ଏକ ମନ୍ଦିରମାଳିନୀ ନଗରୀ ନୁହେଁ, ଏଠାରେ ଅନେକ ତୀର୍ଥ ପୋଖରୀ ମଧ୍ୟ ରହିଛି । ସେଗୁଡ଼ିକର ପରିବେଶକୁ ସ୍ୱଚ୍ଛ ରଖିବା ସମସ୍ତଙ୍କର ଦାୟିତ୍ୱ ।
ସେ ପୁଣି କହିଥିଲେ ଯେ, ଆଗାମୀ ଦିନରେ ବିଶୁଦ୍ଧ ଜଳ ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ୱାନ ହେବାକୁ ଯାଉଛି । ତେଣୁ ଏ କ୍ଷେତ୍ରରେ ଏକାମ୍ର ଅଞ୍ଚଳରେ ରହିଥିବା ୨୦ରୁ ଅଧିକ ଛୋଟ ବଡ଼ ତୀର୍ଥ ପୋଖରୀରୁ ସୁରକ୍ଷା ପାଇଁ ନାଗରିକ ସମାଜ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ ।
ସେ ପୁଣି କହିଥିଲେ ଯେ ସ୍ୱଚ୍ଛ ଜଳ ହିଁ ସମୃଦ୍ଧ ଜୀବନ । ସମସ୍ତଙ୍କ ସହଯୋଗରେ ଆମର ରୂପାନ୍ତରର ଲକ୍ଷ୍ୟ ପୂରଣ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଇଣ୍ଡିଆ ଅଏଲ କର୍ପୋରେସନ୍, ଇଣ୍ଡିଆନ କେମିକାଲ୍ସ ଇନଷ୍ଟିଚ୍ୟୁଟର ସହଯୋଗ ପାଇଁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଏକାମ୍ର ଯୋଜନା କାମକୁ ଆଗେଇ ନେବା ପାଇଁ ଏଏସ୍ଆଇ ତଥା ଭାରତ ସରକାର ପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ । ଓଡ଼ିଆ ଜାତିର ଏ ମହାନ ଗୌରବକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସମସ୍ତେ ଏକାଠି କାମ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଥିଲେ ।
ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସଂସ୍କୃତିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିନବ ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ । ବିଜ୍ଞାନ ଓ ବୈଷୟିକଜ୍ଞାନ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏକାମ୍ର କ୍ଷେତ୍ରର ବିକାଶ ପାଇଁ ମୁଖଖ୍ୟମନ୍ତ୍ରୀଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ ।
ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ରଘୁନାଥ ମହାପାତ୍ର ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖିଥିବା ବେଳେ ଆଇଓସିଏଲର ଅଧ୍ୟକ୍ଷ ଓ ଆଇସିଟିର କୁଳପତି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ ।
ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ପାଇଁ ଇଣ୍ଡିଆନ କେମିକାଲ୍ସ ଇନଷ୍ଟିଚ୍ୟୁଟ ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ ସହିତ ରାଜ୍ୟ ସରକାର ୨୦୨୦ ଜୁନ ମାସରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । ଇଣ୍ଡିଆନ କେମିକାଲ୍ସ ଟେକ୍ନୋଲୋଜି ଦ୍ୱାରା ବିକଶିତ ହୋଇଥିବା ହାଇଡ୍ରୋ-ଡାଇନାମିକ କାଭିଟେସନ ଜ୍ଞାନକୌଶଳ ଜରିଆରେ ତୀର୍ଥ ପୋଖରୀଗୁଡ଼ିକର ଜଳର ସ୍ୱଚ୍ଛତା ରଖିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ରାଜ୍ୟ ସରକାର ଏଥିପାଇଁ ଭିତ୍ତିଭୂମି ସୁବିଧା ଯୋଗାଇ ଦେବେ ଏବଂ ଆଇସିଟି-ଆଇଓସି ପକ୍ଷରୁ ହାଇଡ୍ରୋ ଡାଇନାମିକ ପମ୍ପ ନିୟୋଜିତ କରାଯିବ ।