Home News in Odia ଦଶ ବର୍ଷରେ ୧୫ଲକ୍ଷଙ୍କୁ ତାଲିମ

ଦଶ ବର୍ଷରେ ୧୫ଲକ୍ଷଙ୍କୁ ତାଲିମ

ଭୁବନେଶ୍ୱର : ରାଜ୍ୟରେ ଗତ ୧୦ବର୍ଷ ମଧ୍ୟୋର ୧୫ଲକ୍ଷରୁ ଅଧିକ ଯୁବକ ଯୁବତୀଙ୍କ ଦକ୍ଷତା ତାଲିମ ଦିଆଯାଇ ସାରିଲାଣି । ଦଶଟି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଏହି ତାଲିମ ପାଇ ସେମାନେ ନିଯୁକ୍ତିକ୍ଷମ ତଥା ସ୍ୱରୋଜଗାରକ୍ଷମ ହୋଇପାରିଛନ୍ତି ।

୨୦୧୪-୧୫ ବର୍ଷରୁ ଆରମ୍ଭ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମରେ ୨୦୨୧-୨୨ ପର୍ଯ୍ୟନ୍ତ ୧୫,୪୫,୨୬୬ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି । ସେହିଭଳି ଗତ ୫ବର୍ଷ ଅର୍ଥାତ୍‍ ୨୦୧୭-୧୮ ରୁ ୨୦୨୧-୨୨ ବର୍ଷ ମଧ୍ୟରେ ୪୧ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ଦିଆଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୧ହଜାରରୁ ଅଧିକ ନିଯୁକ୍ତି ପାଇଛନ୍ତି । ତେବେ ଏହି ନିଯୁକ୍ତି ସାଧାରଣତଃ ବେସରକାରୀ କ୍ଷେତ୍ରରେ ମିଳୁଛି ।

ନିଯୁକ୍ତି ଭିତ୍ତିକ ତାଲିମ ପାଇଥିବା ଅନେକ ଯୁବକ ଯୁବତୀ ସରକାରଙ୍କ ବିଭିନ୍ନ ଆତ୍ମନିଯୁକ୍ତି ଯୋଜନାରେ ସାମିଲ ହୋଇ ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ତେବେ ଏମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ୍‍ମାନେ ଟାଳଟୂଳ ନୀତି ଅବଲମ୍ବନ କରୁଥିବାରୁ ଅନେକ ଯୁବକ ଯୁବତୀ ଛୋଟ ଛୋଟ ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଚାହିଁଲେ ମଧ୍ୟରେ ସେଥିରେ ସଫଳ ହୋଇପାରୁ ନାହାନ୍ତି ।

ରାଜ୍ୟ ସରକାର ଦକ୍ଷତା ତାଲିମ ପାଇଁ ଗତ ଚାରିବର୍ଷ ଅର୍ଥାତ୍‍ ୨୦୧୮-୧୯ ରୁ ୨୦୨୧-୨୨ ବର୍ଷ ମଧ୍ୟରେ ପ୍ରାୟ ୫୯ କୋଟି ଟଙ୍କା ବ୍ୟୟ କରିଛନ୍ତି । ଏଥି ମଧ୍ୟରେ ପୂର୍ବବର୍ଷର ବଳକା ଅର୍ଥ ବି ରହିଛି । ତେବେ ରାଜ୍ୟ ସରକାରଙ୍କ ପାଣ୍ଠି ବ୍ୟତିତ ପ୍ରଧାନ ମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମ୍‍କେଭିୱାଇ) ରେ କେନ୍ଦ୍ର ସରକାର ପ୍ରଦାନ କରିଥିବା ୪କୋଟି ୬୫ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ମଧ୍ୟ ତାଲିମ ବାବଦରେ ବ୍ୟୟ ହୋଇଛି ।

ତେବେ ଦକ୍ଷତା ବିକାଶ ଯୋଜନାରେ ତାଲିମ ନେଉଥିବା ଯୁବକ ଯୁବତୀ ଯେଉଁମାନେ କି ଘରୋଇ କ୍ଷେତ୍ରରେ କର୍ମସଂସ୍ଥାନ ପାଉଛନ୍ତି କମ୍‍ ପାରିଶ୍ରମିକ ଯୋଗୁଁ ଅଧିକାଂଶ ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ଷେତ୍ର ଛାଡୁଛନ୍ତି । ବିଶେଷକରି ରାଜ୍ୟ ଭିତରେ ଓ ବାହାରେ ବିଭିନ୍ନ ଘରୋଇ ସଂସ୍ଥାରେ ନିଯୁକ୍ତି ଯୁବକ ଯୁବତୀଙ୍କୁ ସର୍ବନିମ୍ନ ମଜୁରୀ ଆଧାରରେ ପ୍ରଦାନ କରାଯାଉଥିବାରୁ କମ୍‍ ପାରିଶ୍ରମିକରେ କାର୍ଯ୍ୟ କରିବାକୁ ଅନେକ ମଙ୍ଗୁ ନାହାନ୍ତି । ଫଳରେ ନିଯୁକ୍ତି ପାଇବାର ଦିନ କେଇଟା ପରେ ସେମାନେ କାମ ଛାଡୁଛନ୍ତି ।

ତେବେ ରାଜ୍ୟ ସରକାରଙ୍କ ଦକ୍ଷତା ତାଲିମ ପାଇବା ଅନେକ ଯୁବକ ଯୁବତୀ ରାଜ୍ୟ ତଥା ଦେଶ ବାହାରେ ନାମୀ ଦାମୀ ସଂସ୍ଥାରେ କାମ ପାଉଥିବାବେଳେ ବହୁ ସଂଖ୍ୟକ ତାଲିମପ୍ରାପ୍ତ ନିଜର ଷ୍ଟାର୍ଟଅପ୍‍ ଆରମ୍ଭ ପାଇଁ ଆଗ୍ରହୀ । ଏମାନଙ୍କୁ ତାଲିମ ସହିତ ସହଜ ଋଣ ଓ ଅନ୍ୟାନ୍ୟ ଭିତ୍ତିଭୂମି ଯୋଗାଣ କ୍ଷେତ୍ରରେ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି । (ତଥ୍ୟ)