ଭୁବନେଶ୍ୱର : ପରିବେଶ ପର୍ଯ୍ୟଟନ ପ୍ରତି ଏବେ ପର୍ଯ୍ୟଟକମାନେ ଅଧିକମାତ୍ରାରେ ଆଗ୍ରହୀ । ରାଜ୍ୟ ସରକାର ଏଭଳି ପର୍ଯ୍ୟଟନକୁ ଅଗ୍ରାଧିକାର ଦେଉଥିବାବେଳେ ଚଳିତବର୍ଷ ୨୧ ହଜାରରୁ ଅଧିକ ଏଥିପ୍ରତି ଆକର୍ଷିତ ହୋଇଛନ୍ତି ଏବଂ ୩କୋଟି ଟଙ୍କାରୁ ଅଧିକ ଆୟ ହୋଇଛି ।
ଚଳିତ ମାସରେ ଗୁଜୁରାଟର ଏକତାନଗର ଠାରେ ଅନୁଷ୍ଠିତ ରାଜ୍ୟ ପରିବେଶ ମନ୍ତ୍ରୀମାନଙ୍କର ଜାତୀୟ ସମ୍ମିଳନୀରେ ଏ ସଂକ୍ରାନ୍ତୀୟ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି ରାଜ୍ୟ ଜଙ୍ଗଲ ଏବଂ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ଶ୍ରୀ ସାହୁଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ଦର୍ଶାଇଛନ୍ତି ଯେ ରାଜ୍ୟରେ ପରିବେଶ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ବିଭାଗ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି ।
ରାଜ୍ୟ ସରକାର ୨୦୧୬-୧୭ ମସିହାରୁ ଗୋଷ୍ଠି ଭିତ୍ତିକ ପରିବେଶ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରୁଛନ୍ତି । ପ୍ରାରମ୍ଭରେ ମାତ୍ର ୧୪ଟି ପରିବେଶ ପର୍ଯ୍ୟଟନ ସ୍ଥଳୀ ଥିବାବେଳେ ଏଠାକୁ ୧୧ହଜାରରୁ ସାମାନ୍ୟ ଅଧିକ ପର୍ଯ୍ୟଟକ ଆସିଥିଲେ ଏବଂ ଦେଢ କୋଟି ଟଙ୍କା ଆୟ ହୋଇଥିଲା । ବର୍ତ୍ତମାନ ଏଭଳି ପର୍ଯ୍ୟଟନସ୍ଥଳୀ ସଂଖ୍ୟା ୪୭ରେ ପହଞ୍ଚି ଥିବାବେଳେ ଏହା ୧୮ଟି ଜିଲ୍ଲାରେ ରହିଛି ଏବଂ ଏଠାରେ ୭୮୫ ପରିବେଶ ପର୍ଯ୍ୟଟକଙ୍କ ପାଇଁ ରାତ୍ରୀ ରହଣୀର ସୁବିଧା ଉପଲବ୍ଧ ।
ବିଭିନ୍ନ ପରିବେଶ ପର୍ଯ୍ୟଟନସ୍ଥଳୀରେ ଅନୁଷ୍ଠିତ ପ୍ରାକୃତିକ କ୍ୟାମ୍ପ୍କୁ ୨୦୨୧-୨୨ ବର୍ଷରେ ୭୦ହଜାରରୁ ଅଧିକ ପରିବେଶ ପର୍ଯ୍ୟଟକ ଆସିଥିବାବେଳେ ୧୦.୫୧ କୋଟି ଟଙ୍କା ଆୟ ହୋଇଛି । ଏଥିରେ ସିଧାସଳଖ ଭାବେ ୬୩୨ ପରିବେଶ ବିକାଶ କମିଟି (ଇଡିସି), ବନ ସୁରକ୍ଷା ସମିତି (ଭିଏସଏସ) ଏବଂ ପରିବେଶ ପର୍ଯ୍ରଟନ ଗୋଷ୍ଠି (ଇଟିଜି) ଉପକୃତ ହୋଇଛନ୍ତି । ଏଭଳି ପର୍ଯ୍ୟଟନସ୍ଥଳୀ ପାଇଁ ଅନ୍ଲାଇନ୍ ସଂରକ୍ଷଣ ସୁବିଧା ବି ଉପଲବ୍ଧ ।
ପରିବେଶ ପର୍ଯ୍ୟଟନକୁ ଅଧିକ ସମ୍ପ୍ରସାରିତ କରିବାପାଇଁ ରାଜ୍ୟ ସରକାର ଓଡିଶା ପରିବେଶ ପର୍ଯ୍ୟଟନ ସମିତି ଗଠନ କରିଛନ୍ତି । ରାଜ୍ୟରେ ଥିବା ଜଙ୍ଗଲ, ପାହାଡ, ଉପତ୍ୟାକା, ଜଳପ୍ରପାତ, ବନପ୍ରାଣୀ ଭଳି ପ୍ରାକୃତି ସମ୍ପଦ ଏ କ୍ଷେତ୍ରରେ ସହାୟକ ହୋଇଛି । ରାଜ୍ୟରେ ଥିବା ବନ୍ୟପ୍ରାଣୀଙ୍କ ମଧ୍ୟରେ ତିନି ପ୍ରକାରର କୁମ୍ଭୀର, ୨୦ ପ୍ରକାରର ସରୀସୃପ, ୪୭୯ ପ୍ରକାରର ପକ୍ଷୀ ଏବଂ ୮୬ ପ୍ରକାରର ଅନ୍ୟାନ୍ୟ ବନ୍ୟପ୍ରାଣୀ ରହିଛନ୍ତି ।
ଗୋଟିଏ ପଟେ ରାଜ୍ୟରେ ପର୍ଯ୍ୟଟକଙ୍କୁ ଆକର୍ଷିତ କଲାଭଳି ଜୈବ ବିବିଧତା ଥିବାବେଳେ ଅନ୍ୟପଟେ ରାଜ୍ୟର ୪ଟି ଆର୍ଦଭୂମି ଆର୍ନ୍ତଜାତୀୟ ରାମସର ସାଇଟ୍ରେ ସ୍ଥାନ ପାଇଛି । ଏଗୁଡିକ ହେଲା ସାତକୋଶିଆ ଅଭୟାରଣ୍ୟ, ହୀରାକୁଦ ଜଳଭଣ୍ଡାର, ଅଂଶୁପା ହ୍ରଦ ଏବଂ ତାମ୍ପରା ହ୍ରଦ । ରାମସର ସାଇଟ୍ରେ ସ୍ଥାନ ପାଇବାପରେ ଏହି ପ୍ରାକୃତିକ ସ୍ଥଳୀଗୁଡିକ ପ୍ରତି ଉଭୟ ଦେଶୀୟ ଓ ବୈଦେଶିକ ପର୍ଯ୍ୟଟକମାନଙ୍କର ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି । (ତଥ୍ୟ)