ଭୁବନେଶ୍ୱର : ହକି ଇଣ୍ଡିଆର ଅଧ୍ୟକ୍ଷ ପଦବୀ ପାଇଁ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଦିଲ୍ଲୀପ ତିର୍କୀ ଗୋଟିଏ ସମୟରେ କଳିଙ୍ଗ ଷ୍ଟାଡିୟମ ମାଟି ମାଡିବେ ନାହିଁ ବୋଲି ଅଭିମାନର ସହ ଗଣମାଧ୍ୟମରେ ଘୋଷଣା କରିଥିଲେ । ସେତେବେଳେ ସେ ନିରୋଳା ହକି ଖେଳାଳି ଥିଲେ ଏବଂ ଏହି ଦଳର ଅଧିନାୟକତ୍ୱ କରୁଥିଲେ । ପରବର୍ତ୍ତୀ ସମୟରେ ଅବଶ୍ୟ ଓଡିଶାର ଏହି ଉଦୀୟମାନ ହକି ତାରକାଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯିବା ସହ ବିଜେଡି ମଧ୍ୟ ତାଙ୍କୁ ସାଂସଦ ଭାବେ ନିର୍ବାଚିତ କରାଇ ଦିଲ୍ଲୀ ପଠାଇଥିଲା ।
ପ୍ରାୟ ୨୦ବର୍ଷ ତଳର ଦିଲ୍ଲୀପଙ୍କ ଏହି ଅଭିମାନଭରା ବକ୍ତବ୍ୟ ଏବେ ବି କଳିଙ୍ଗ ଷ୍ଟାଡିୟମର ପୁରୁଣା କର୍ମଚାରୀଙ୍କ ମନରେ ଶ୍ରୁତି ହୋଇ ରହିଛି । ଷ୍ଟାଡିୟମ ମଧ୍ୟରେ କୌଣସି ବ୍ୟବସାୟିକ କାର୍ଯ୍ୟକଳାପ ଓ ବାହାର ସଂସ୍ଥାର ଅନ୍ୟ କାର୍ଯ୍ୟକ୍ରମ ପାଇଁ ସେତେବେଳେ କ୍ରୀଡା ନିର୍ଦ୍ଦେଶାଳୟରୁ ଅନୁମତି ଆଣିବାକୁ ପଡୁଥିଲା ଏବଂ ଏଥିଲାଗି ମଧ୍ୟ ଅର୍ଥ ଦେବାକୁ ହେଉଥିଲା ।
ତେବେ ସେ ସମୟରେ ଷ୍ଟାଡିୟମ ଦାୟିତ୍ୱରେ ଥିବା ଜଣେ କୋଚ୍ ଦେଖିବାକୁ ପାଇଲେ ଯେ କର୍ତ୍ତୃପକ୍ଷଙ୍କ ବିନାନୁମତିରେ କିଛି ଲୋକ ଆସି ଷ୍ଟାଡିୟମ ପରିସର ମଧ୍ୟରେ ବ୍ୟବସାୟିକ ଭିଡିଓ ସୁଟିଂ କରୁଛନ୍ତି । ଏହି ଦଳଙ୍କୁ ସେ ଅନୁମତିପତ୍ର ଓ ରସିଦ ମାଗିବାରେ ସେମାନେ ତାହା ଦେଖାଇବାରେ ବିଫଳ ହୋଇ ସମ୍ପୃକ୍ତ କୋଚ୍ଙ୍କ ସହ ଯୁକ୍ତିତର୍କ କରିଥିଲେ ଏବଂ କୋଚ୍ ଜଣଙ୍କ ନମ୍ରତାର ସହ ଏହି ଦଳଙ୍କୁ କଳିଙ୍ଗ ଷ୍ଟାଡିୟମ ପରିସର ପରିତ୍ୟାଗ କରିବା ଏବଂ କ୍ରୀଡା ନିର୍ଦ୍ଦେଶାଳୟରୁ ଅନୁମତିପତ୍ର ଆଣି ଏଭଳି ବ୍ୟବସାୟିକ ସୁଟିଂ କରିବାପାଇଁ କହିବାରେ ସେମାନେ ବିରକ୍ତ ହୋଇ ଚାଲିଯାଇଥିଲେ ।
ଏହି ଘଟଣା ପରେ ସେତେବେଳେ ଦିଲ୍ଲୀପ ତିର୍କୀ ଗଣମାଧ୍ୟମକୁ କହିଥିଲେ ଯେ ସେ ଆଉ କଳିଙ୍ଗ ଷ୍ଟାଡିୟମର ମାଟି ମାଡିବେ ନାହିଁ । ପରେ କର୍ତ୍ତୃପକ୍ଷ ଅନୁସନ୍ଧାନ କରି ଜାଣିଥିଲେ ଯେ ଯେଉଁମାନେ ଏଭଳି ଭିଡିଓ ସୁଟିଂ କରୁଥିଲେ ସେମାନେ ଦିଲ୍ଲୀପ ତିର୍କୀଙ୍କ ନାମରେ ଗଢାଯାଇଥିବା ଏକ ସସ୍ଥା ସହ ଜଡିତ । ତେବେ ସେହି ସୁଟିଂ ସମୟରେ ଶ୍ରୀ ତିର୍କୀ ଉପସ୍ଥିତ ନଥିଲେ ।
ଏହି ଘଟଣା ସେ ସମୟରେ ଗଣମାଧ୍ୟମରେ ବେଶ୍ ଆଲୋଡନ ସୃଷ୍ଟି କରିବାରେ ସମ୍ପୃକ୍ତ କୋଚ୍ଙ୍କୁ କର୍ତ୍ତୃପକ୍ଷ ନିଲମ୍ବନ କରିଥିଲେ ଓ ପରେ ତାଙ୍କୁ ଭୁବନେଶ୍ୱର ବାହାରକୁ ବଦଳି କରାଯାଇଥିଲା । ସମ୍ପୃକ୍ତ କୋଚ୍ଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ତଦନ୍ତ କରାଯିବା ସହ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଅନ୍ୟଏକ ପ୍ରଶାସନିକ ତଦନ୍ତ ମଧ୍ୟ ହୋଇଥିଲା ଏବଂ ତଦନ୍ତକାରୀ ଅଧିକାରୀମାନେ ଏ ସଂକ୍ରାନ୍ତରେ ଶ୍ରୀ ତିର୍କୀଙ୍କ ମତାମତ ନେଇଥିଲେ ।
ସମ୍ପୃକ୍ତ କୋଚ୍ଙ୍କୁ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦୋଷମୁକ୍ତ କରିଥିଲେ । ଏଭଳି ଘଟଣା ଘଟିବା ସମୟରେ ଦିଲ୍ଲୀପ ତିର୍କୀ ଉପସ୍ଥିତ ନଥିଲେ ବୋଲି ଉଭୟ ଶ୍ରୀ ତିର୍କୀ ଓ ସମ୍ପୃକ୍ତ କୋଚ୍ ବୟାନ ଦେଇଥିଲେ ଏବଂ ପରସ୍ପର ପ୍ରତି କାହା ମନରେ ଦ୍ୱେଷ ଭାବ ନଥିବା ମଧ୍ୟ ସୂଚାଇଥିଲେ ।
ରାଜ୍ୟ ସରକାର କୋଚ୍ଙ୍କୁ ନିଲମ୍ବନ କରିବାପରେ ଦିଲ୍ଲୀପଙ୍କ ଅଭିମାନ ଭାଙ୍ଗିଥିଲା ଏବଂ ସେ ପରବର୍ତ୍ତୀ ସମୟରେ କଳିଙ୍ଗ ଷ୍ଟାଡିୟମ ଆସିବା ସହ ଏହି ଷ୍ଟାଡିୟମରେ ଆର୍ନ୍ତଜାତିକ ହକି ମ୍ୟାଚ୍ ଆୟୋଜନ କରିବା ଏବଂ କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାରେ ଉନ୍ନତି ଧରଣର ହକି ଷ୍ଟାଡିୟମ ନିର୍ମାଣ କରାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । (ତଥ୍ୟ)