ଭୁବନେଶ୍ୱର : ଆସନ୍ତା ବର୍ଷ ଏପ୍ରିଲରୁ ଯାନ ବାହାନର ଫିଟ୍ନେସ୍ ଯାଞ୍ଚ ବାଧ୍ୟତାମୂଳକ ଭାବେ ଅଟୋମେଟେଡ ସେଷ୍ଟିଂ ଷ୍ଟେସନ (ଏଟିଏସ୍) ଦ୍ୱାରା ହେବ । ଏହାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ଲାଗି କେନ୍ଦ୍ର ସରକାର ସ୍ଥିର କରିଛନ୍ତି ।
ତଦନୁଯାୟୀ ପୁରାତନ ଯାନ ବାହାନର ଫିଟ୍ନେସ ଯାଞ୍ଚ ପାଇଁ ଓଡିଶାରେ ଏଟିଏସ୍ ସ୍ଥାପନ ହେବ । ଏଟିସ୍ ସ୍ଥାପନ ପାଇଁ ଟେଣ୍ଡର ଡାକିବା ପୂର୍ବରୁ ପରିବହନ ବିଭାଗ ରାଜ୍ୟ ପାଇଁ ଏଟିଏସ୍ ନୀତି ପ୍ରସ୍ତୁତ କରିବେ । ଏଥିପାଇଁ ଚିଠା ନୀତି ପ୍ରସ୍ତୁତ ପାଇଁ ରାଜ୍ୟ ପରିବହନ କମିଶନରଙ୍କୁ କୁହାଯାଇଥିବା ସୂଚନା ମିଳିଛି ।
ରାଜ୍ୟର ଅତି କମ୍ରେ ୫ଟି ସ୍ଥାନରେ ଏଟିଏସ୍ ସ୍ଥାପନ ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି । କଟକର ଅରିଲୋ ଠାରେ ଥିବା ଯାଞ୍ଚ ଏବଂ ସାର୍ଟିଫିକେଟ ପ୍ରଦାନ କେନ୍ଦ୍ରକୁ ଏଟିଏସ୍ କେନ୍ଦ୍ରରେ ରୂପାନ୍ତରଣ କରାଯାଇପାରେ ବୋଲି ସୂଚନା ମିଳୁଛି । ଉଲ୍ଲେଖ କରାଯାଇପାରେ ଯେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଣାୟ ୨୦୨୩ ଏପ୍ରିଲ୍ ପହିଲାରୁ ମାଲ ପରିହବନ ଓ ଯାତ୍ରୀ ପରିବହନ କରୁଥିବା ଭାରିଯାନ ଗୁଡିକର ଫିଟ୍ନେସ୍ ଯାଞ୍ଚ ଏଟିଏସ୍ ଦ୍ୱାରା ବାଧ୍ୟତାମୂଳକ କରିଛନ୍ତି ।
ତେବେ ମାଲ ପରିବହନ ଓ ଯାତ୍ରୀ ପରିବହନ କରୁଥିବା ମଧ୍ୟମ ଧରଣର ଓ ହାଲୁକା ଯାନଗୁଡିକର ଫିଟ୍ନେସ ଯାଞ୍ଚ ଏଟିଏସ୍ ଦ୍ୱାରା ୨୦୨୪ ଜୁନ୍ ପହିଲାରୁ ବାଧ୍ୟତାମୂଳକ ହେବ । ଏଟିଏସ୍ରେ ଯାନବାହାନଗୁଡିକର ସ୍ୱୟଂକ୍ରିୟ ଭାବେ ବିଭିନ୍ନ ପ୍ରକାର ଯାଞ୍ଚ ପାଇଁ ଅନେକ ଯନ୍ତ୍ରପାତି ବ୍ୟବହାର ହେବ । ତେବେ ଘରୋଇ ଗାଡି (ଅଣ ବ୍ୟବସାୟିକ) ଗୁଡିକର ଫିଟ୍ନେସ ଯାଞ୍ଚ ଖରିଦର ୧୫ବର୍ଷ ପରେ ପୁନଃ ପଞ୍ଜିକରଣ ସମୟରେ ହୋଇଥାଏ ।
କେନ୍ଦ୍ରୀୟ ମନ୍ତ୍ରାଳୟ ମଧ୍ୟ ରାଜ୍ୟ ସରକାରମାନଙ୍କୁ ରାଜ୍ୟ ସ୍ତରୀୟ ରେଜିଷ୍ଟ୍ରେଡ୍ ଭେଇକିଲ ସ୍କ୍ରାପିଂ ଫାସିଲିଟି (ଆରଭିଏସଏଫ୍) ଘୋଷଣା ପାଇଁ କହିଛନ୍ତି । କେନ୍ଦ୍ର ସରକାର ଇତି ମଧ୍ୟରେ ଜାତୀୟ ସ୍ତରରେ ଅନୁରୂପ ନୀତିର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ଏଭଳି ନୀତି ପାଇଁ ଚିଠା ପ୍ରସ୍ତାବ ପସ୍ତୁତି ଆରମ୍ଭ କରିଦେଇଛନ୍ତି, ଯେଉଁଥିଲେ ଗାଡି ମାଲିକମାନେ ସେମାନଙ୍କ ଗାଡିକୁ ସ୍କ୍ରାପିଂ କରିପାରିବେ ଓ ଆରଭିଏସ୍ଏଫ୍ ସ୍ଥାପନ ପାଇଁ ନିବେଶକମାନେ ପୁଞ୍ଜି ଖଟାଇ ପାରିବେ । (ତଥ୍ୟ)