ଭୁବନେଶ୍ୱର : ଅବକାରୀ ନିର୍ଦ୍ଦେଶାଳୟ ଓ କ୍ଷେତ୍ର ପ୍ରତିଷ୍ଠାନକୁ ଅଧିକ ଦକ୍ଷ ଓ ଶକ୍ତିଶାଳୀ କରିବା ପାଇଁ ନୂତନ ଅବକାରୀ ଥାନା, ନୂତନ ଅବକାରୀ ରେଞ୍ଜ କାର୍ଯ୍ୟାଳୟ, ନୂତନ ଇଆଇ ଏବଂ ଇବି ସାଟେଲାଇଟ୍ ୟୁନିଟ୍ ପ୍ରତିଷ୍ଠାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।
ତଦନୁଯାୟୀ ଗୋପାଳପୁର, ଖପରାଖୋଲ, ମୋହନା, ଦାରିଙ୍ଗିବାଡି, ଯୋଡା, ହାଟଡିହ, ମୁନିଗୁଡା, କୋଇଡା ଏବଂ ସୁକୁରୁଲି ଠାରେ ୯ଟି ଗୋଟି ଅବାକରୀ ଥାନା ପ୍ରତିଷ୍ଠା ହେବ । ସେହିଭଳି ୧୩ଟି ନୂତନ ରେଞ୍ଜ କାର୍ଯ୍ୟାଳୟ ଜଳେଶ୍ୱର, ବାସୁଦେବପୁର, ସାଲେପୁର, କାମାକ୍ଷାନଗର, ଆର.ଉଦୟଗିରି, ଭଞ୍ଜନଗର, ପାରାଦୀପ୍, ଯାଜପୁର ରୋଡ, ଭୁବନେଶ୍ୱର-୨, ନନ୍ଦପୁର, ନିମାପଡା, ରେଢାଖୋଲ ଏବଂ ବଡଗାଁ ଠାରେ ହେବ ।
କଟକ, ବ୍ରହ୍ମପୁର ଏବଂ ସମ୍ବଲପୁର ଠାରେ ଅବସ୍ଥିତ ଇ.ଆଇ ଏବଂ ଇ.ବି ୟୁନିଟ୍ ଅଧିନରେ ତିନିଟି ନୂତନ ସାଟେଲାଇଟ୍ ୟୁନିଟ୍ ଯଥାକ୍ରମେ ବାଲେଶ୍ୱର, ଜୟପୁର ଏବଂ ରାଉରକେଲା ଠାରେ ପ୍ରତିଷ୍ଠା ହେବ ।
ଅବକାରୀ ଅଧୀକ୍ଷକ, ଉପ-ଅବକାରୀ ଅଧୀକ୍ଷକ, ଅବକାରୀ ନିରୀକ୍ଷକ, ଅବକାରୀ ଉପ-ନିରୀକ୍ଷକ, ଅବକାରୀ ସହକାରୀ ଉପ-ନିରୀକ୍ଷକ ଏବଂ ଅବକାରୀ ସିପାହୀ ଆଦି ପଦ ପାଇଁ ୪୫୭ ଗୋଟି ଅତିରିକ୍ତ ନୂତନ ନିୟମିତ ପଦ ସୃଷ୍ଟି ସହିତ ମୋଟ ପଦବୀ ସଂଖ୍ୟାକୁ ୨୧୯୭ରୁ ୨୬୫୪କୁ ବୃଦ୍ଧି କରିବାପାଇଁ ଆସିଥିବା ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି ।
ବିଭିନ୍ନ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଏବଂ ଇ.ଆଇ ଏବଂ ଇ.ବି ୟୁନିଟ୍ରେ ୨୦ଟି ନୂତନ ନିୟମିତ ଅମଲା ପଦ ସୃଷ୍ଟି କରି ଜିଲ୍ଲା ଅବକାରୀ ଅମଲା ସେବା କ୍ୟାଡରର ପଦବୀ ସଂଖ୍ୟକୁ ୫୨ ରୁ ୭୨କୁ ବୃଦ୍ଧି କରିବାପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା ।
ଅବକାରୀ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ବିଭିନ୍ନ ସ୍ତରରେ ୧୦ ଗୋଟି ଅତିରିକ୍ତ ନିୟମିତ ପଦବୀ ସୃଷ୍ଟି କରି ଅବାକରୀ ନିର୍ଦ୍ଦେଶାଳୟ ସେବା କ୍ୟାଡରର ପଦବୀ ସଂଖ୍ୟା ୩୯ରୁ ୪୯କୁ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।