ଭୁବନେଶ୍ୱର : ରାଜ୍ୟରେ ବିପୁଳ ନକଲି ଔଷଧ ଧରାପଡିବା ପରେ ଏବେ ଏହାର ମୂଳ ପ୍ରସ୍ତୁତକାରୀଙ୍କ ନିକଟରେ ପହଞ୍ଚିବାପାଇଁ ଓଡିଶା ସରକାର ବିହାର ସରକାରଙ୍କ ସହାୟତା ଲୋଡିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିହାର ସରକାରଙ୍କୁ ପତ୍ର ଲେଖାଯାଇଛି ।
ଉଚ୍ଚ ରକ୍ତଚାପ ରୋଗୀ ସେବନ କରୁଥିବା ଟେଲମମା-୪୦ ଓ ଟେଲ୍ମା-ଏଏଏମ୍ର ବିପୁଳ ପରିମାଣର ନକଲି ଔଷଧକୁ ରାଜ୍ୟ ଭେଷଣ ନିୟନ୍ତ୍ରକ ଦପ୍ତରର ଅଧିକାରୀମାନେ କଟକ ଓ ଭୁବନେଶ୍ୱରରୁ ଜବତ କରିଛନ୍ତି । ଏହି ମାମଲରେ ଦ୍ୱ÷ତନଗରୀ ପୁଲିସ୍ କମିଶନରେଟ ପକ୍ଷରୁ ପୂଜା ଏଣ୍ଟରପ୍ରାଇଜର୍ସର ମାଲିକ ସଞ୍ଜୟ ଜଲାଲ ଓ ଭିଆର ଏଜେନ୍ସିର ପ୍ରୋପାଇଟର ରାହୁଲ ଶ୍ୟାଲଙ୍କୁ ନକଲି ଔଷଧ ଯୋଗାଣ ଓ ବିକ୍ରୟ ମାମଲାରେ ଗିରଫ କରିଛନ୍ତି ।
ତେବେ ଏହି ମାମଲାରେ ଅଧିକ ତଦନ୍ତ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏବେ ବିହାର ସରକାରଙ୍କ ସହାୟତା ଲୋଡାଯାଇଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ବିହାର ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରତୟା ଅମ୍ରିତଙ୍କୁ ପତ୍ର ଲେଖାଯାଇଛି ।
ଲେଖାଯାଇଥିବା ପତ୍ରରେ ଉଲ୍ଲେଖ ଅଛି ଯେ ଜବତ ହୋଇଥିବା ଟେଲମା-୪୦ ବଟିକା ଯାହାକି ଗ୍ଲେନମାର୍କ ଔଷଧ କମ୍ପାନୀ ଦ୍ୱାରା ପ୍ରସ୍ତୁତ ତାହାର ଠିକଣା ଗ୍ରାମ-କିଷାନପୁରା, ବାଡି, ଜିଲ୍ଲା-ସୋଲାନ (ହିମାଚଳପ୍ରଦେଶ), ପୂର୍ବ ସିକିମ-୭୩୭୧୩୫ ଥିବାବେଳେ ଟେଲମା-ଏଏମ୍ ବଟିକା ଯାହାର ପ୍ରସ୍ତୁତକର୍ତ୍ତା ସେହି ଗ୍ଲେନମାର୍କ କମ୍ପାନୀ ତାହାର ଠିକଣା ସାମଲିକମାର୍ଚକ, ଶିଳ୍ପ ବିକାଶ କେନ୍ଦ୍ର, ପୂର୍ବ ସିକିମ -୭୩୭୧୩୫ ରହିଛି । ତେବେ ଏହି ଔଷଧକୁ ଓଡିଶାକୁ ବାଲାଜୀ ଡ୍ରଗ ପଏଣ୍ଟ ଓଡିଶାକୁ ପଠାଇଛି ଯେଉଁ ସଂସ୍ଥାର ଠିକଣା ରହିଛି ଜେଲ ପ୍ରେସ ରୋଡ୍, ଗୟା, ବିହାର ।
ଏଭଳି ସଂଯୋଗ ଯୋଗୁଁ ଓଡିଶାକୁ ଆସିଥିବା ଔଷଧ ସଂକ୍ରାନ୍ତରେ ସୁବିସ୍ତୃତ ସୂଚନା ଦେବାଲାଗି ବିହାର ଭେଷଜ ନିୟନ୍ତ୍ରକଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଠାରୁ କୌଣସି ସୂଚନା ମିଳିପାରିନାହିଁ । ତେଣୁ ବିହାର ଭେଷଜ ନିୟନ୍ତ୍ରକ ଯେଭଳି ଏହି ସୂଚନା ପ୍ରଦାନ କରିବେ ସେଥିଲାଗି ତାଙ୍କୁ ନିର୍ଦ୍ଦେଶ ଦେବାକୁ ଓଡିଶାର ସ୍ୱାସ୍ଥ୍ୟ ସଚିବ ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଅନୁରୋଧ କରିଛନ୍ତି ।
ଇତି ମଧ୍ୟରେ ନକଲି ଔଷଧର ଖୋଳତାଡ ପାଇଁ ଗଠିତ ଦୁଇ ଜଣିଆ ଅଧିକାରୀ ପୁଲିସ୍ ସହାୟତାରେ ବିହାର ଯାଇଛନ୍ତି । ସହକାରୀ ଭେଷଜ ନିୟନ୍ତ୍ରକ ତୁଷାର ରଞ୍ଜନ ପାଣିଗ୍ରାହୀ ଏବଂ ଧର୍ମଦେବ ପୁହାଣ ବିହାର ଯାଇ ସେଠାରୁ ନକଲି ଔଷଧ ଯୋଗାଣ ସଂକ୍ରାନ୍ତରେ ସୁବିସ୍ତୃତ ସୂଚନା ସଂଗ୍ରହ କରିବେ ବୋଲି ଜଣାଯାଇଛି । (ତଥ୍ୟ)