Home News in Odia ସାଇବର ଠକଙ୍କ ଟାର୍ଗେଟରେ କଣ୍ଟ୍ରୋଲ ଡିଲର

ସାଇବର ଠକଙ୍କ ଟାର୍ଗେଟରେ କଣ୍ଟ୍ରୋଲ ଡିଲର

ଭୁବନେଶ୍ୱର : ସାଇବର ଠକଙ୍କ ଟାର୍ଗେଟରେ ଏବେ ଗାଁ ଗହଳର କଣ୍ଟ୍ରୋଲ ଡିଲର । କୌଣସି ସୂତ୍ରରୁ ଡିଲରମାନଙ୍କ କୋଡ୍‍ ଠାରୁ ଆରମ୍ଭ କରି ଫୋନ୍‍ ନମ୍ବର ଓ ଠିକଣା ହାସଲ କରିବାପରେ ଆଖିପିଛୁଳାକେ ଟଙ୍କା ଉଡାଇ ନେଉଛନ୍ତି । ଜଗତ୍‍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ଦୁଇ ଡିଲରଙ୍କୁ ଏହିଭଳି ଭାବେ ସାଇବର ଠକମାନେ ୩୦ହଜାର ଟଙ୍କାର ଚୂନ ଲଗାଇଛନ୍ତି ।

ବ୍ଲକର ତାରପୁର ପଞ୍ଚାୟତରେ ଥିବା କଣ୍ଟ୍ରୋଲ ଡିଲର ଅଭୟ କୁମାର ସିଂହଙ୍କୁ ସାଇବର ଠକମାନେ ନିକଟରେ ୧୨ହଜାର ଟଙ୍କା ଠକିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଚଳିତମାସର ଚାଉଳ କୋଟା ଗାଡି ଆସି ଶ୍ରୀ ସିଂହଙ୍କ ନିକଟରେ ପହଞ୍ଚିବା ମାତ୍ରେ ଅଜଣା ନମ୍ବରରୁ ଫୋନ୍‍ ଆସିଥିଲା । ଫୋନ୍‍ କରିଥିବା ବ୍ୟକ୍ତି ସ୍ପଷ୍ଟ ଓଡିଆରେ ନିଜକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦପ୍ତରର ବୋଲି ପରିଚୟ ଦେବା ସହିତ ଶ୍ରୀ ସିଂହଙ୍କ କୋଡ୍‍ ନମ୍ବରଟି କହିଥିଲେ ଏବଂ ଚାଉଳ, ଗହମ ଓ କିରୋସିନି କୋଟା ଉଠିବା ସଂକ୍ରାନ୍ତରେ ପଚାରିଥିଲେ । ଏଥି ସହିତ ଏହି ମାସରେ ମାସ୍କ ଓ ସାନିଟାଇଜର ବାଣ୍ଟିବାପାଇଁ ଡିଲରମାନଙ୍କୁ କିଛି ଅର୍ଥ ପ୍ରଦାନ କରାଯିବ ବୋଲି କହିଥିଲେ । ଏଥିପାଇଁ ଆକାଉଣ୍ଟ ନମ୍ବର ମାଗିଥିଲେ ।

ତେବେ ଝିପି ଝିପି ବର୍ଷା ସମୟରେ ଗାଡିରୁ ଚାଉଳ କାଢୁଥିବାରୁ ଶ୍ରୀ ସିଂହ ପରେ ଫୋନ୍‍ କରିବାକୁ କହିଥିଲେ । ହେଲେ ଅଫିସ୍‍ କାର୍ଯ୍ୟ ସମୟରେ ଏହି ପଇସା ପଠାଯିବ ବୋଲି କହିବା ସହିତ ଫୋନ୍‍ ପେ କିମ୍ବା ଗୁଗୁଲ୍‍ ପେ ନମ୍ବର ଦେବାକୁ ଅନୁରୋଧ କରିଥିଲେ । ସ୍ପଷ୍ଟ ଓଡିଆରେ କହିବା ସହିତ ନିଜକୁ ଜିଲ୍ଲା ଯୋଗାଣ ବିଭାଗ ଦପ୍ତରରୁ କହୁଥିବାରୁ ଶ୍ରୀ ସିଂହ ନିଜର ଜଣେ ସମ୍ପର୍କୀୟଙ୍କ ଗୁଗୁଲ ପେ ନମ୍ବର ଦେଇଥିଲେ । ଏଥି ସହିତ ଚାଉଳ କାଢିବାର ବ୍ୟସ୍ତତା ଭିତରେ ଗୁଗୁଲ ପେ ନମ୍ବରଟି ଡାକିଦେଇଥିଲେ ।

ଗୁଗୁଲ୍‍ ପେ ନମ୍ବରଟି ସାଇବର ଠକଙ୍କ ହାତରେ ପଡିବାପରେ ସେମାନେ ତୁରନ୍ତ ଏହା ଖୋଲିବାକୁ କହିଥିଲେ । ଶ୍ରୀ ସିଂହ ଗୁଗୁଲ ପେ ଆକାଉଣ୍ଟଟି ଖୋଲିବାମାତ୍ରେ ସେଥିରେ ଥିବା ୧୨ହଜାର ଟଙ୍କାକୁ ଠକମାନେ ତତ୍କାଳ ଉଡାଇ ନେଇଥିଲେ । ଟଙ୍କା ଲୁଟ୍‍ ହୋଇଥିବା ଶ୍ରୀ ସିଂହ ଜାଣିବାପରେ ସଂଗେ ସଂଗେ ବ୍ଲକର ଡିଲର ଗ୍ରୁପ୍‍ରେ ସୂଚନା ଦେଇଥିଲେ ।

ପରେ ଜଣାପଡିଥିଲା ଯେ ଏହା ପୂର୍ବରୁ ସେଠାକାର ଆଉଜଣେ ଡିଲରଙ୍କ ଠାରୁ ମଧ୍ୟ ଠକମାନେ ଅନୁରୂପ ଭାବେ ୨୦ହଜାର ଟଙ୍କା ନେଇ ଯାଇଛନ୍ତି । ତେବେ ଶ୍ରୀ ସିଂହ ନିଜର ଠକେଇ ସଂକ୍ରାନ୍ତରେ ସାଇବର ଥାନାରେ ମାମଲା ରୁଜୁ କରିଥିବା ଜଣାଯାଇଛି ।

ସାଇବର ଠକମାନେ ଗାଁ ଗହଳରେ ବିଦ୍ୟୁତ୍‍ ଗ୍ରାହକଙ୍କୁ ଠକିବାପରେ ଏବେ କଣ୍ଟ୍ରୋଲ ଡିଲରଙ୍କ ଉପରେ ଆଖି ପକାଇଛନ୍ତି । ତେବେ ଫୋନ୍‍ କରୁଥିବା ଠକମାନେ ସ୍ପଷ୍ଟ ଓଡିଆରେ କହୁଥିବା ଡିଲରଙ୍କର କୋଡ୍‍ ଠାରୁ ଆରମ୍ଭ କରି ସମସ୍ତ ସୂଚନା ସଂଗ୍ରହ କରିନେଉଥିବାରୁ ସେମାନେ ଠକ ବୋଲି ସହଜରେ ଜଣାପଡୁ ନାହାଁନ୍ତି । ଗାଁ ଗହଳରେ ଜାଲ ବିଛାଇଥିବା ଓଡିଆ କୁହା ଠକଙ୍କୁ ତୁରନ୍ତ ଧରାନଗଲେ ଆଗାମୀ ଦିନରେ ଏମାନେ ଅନେକ ନିରିହ ଲୋକଙ୍କୁ ଠକିବାକୁ ପଛାଇବେ ନାହିଁ ବୋଲି କୁହାଯାଉଛି । (ତଥ୍ୟ)