ଭୁବନେଶ୍ୱର : ଆଇନ ଅଦାଲତର ସ୍ପଷ୍ଟ ରାୟ ସତ୍ତ୍ୱେ ଅନେକ କ୍ଷେତ୍ରରେ ବର୍ଷ ବର୍ଷ ଧରି ରାୟର ପ୍ରତିପାଳନ କରାଯାଉ ନ ଥିବାରୁ ଲୋକେ କିଭଳି ନାହିଁନଥିବା ହିନସ୍ତାର ସମ୍ମୁଖୀନ ହେଉଛନ୍ତି ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ୮୯ବର୍ଷ ବର୍ଷିୟା ଲଳିତା ମହାନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରାୟ ୯ବର୍ଷ ଧରି କାର୍ଯ୍ୟକାରୀ ହୋଇପାରି ନଥିବା ବେଳେ ଶେଷରେ ବିଭାଗୀୟ କର୍ତ୍ତୃପକ୍ଷ ହାଇକୋର୍ଟରେ ହାଜର ହେବା ପରେ ୨୬ବର୍ଷ ଧରି ପରିବାର ପେନସନରୁ ବଞ୍ôଚତ ଥିବା ଏହି ବୃଦ୍ଧା ଜଣକ ଏବେ ପେନସନ ପାଇବା ଆଶା ଉଜ୍ଜ୍ୱଳ ହୋଇଛି ।
ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମରେ ଲଳିତାଙ୍କ ସ୍ୱାମୀ କାର୍ଯ୍ୟ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଆଇନ ଅନୁଯାୟୀ ମୃତ କର୍ମଚାରୀଙ୍କ ବିଧବା ପତ୍ନୀ ପାରିବାରିକ ପେନସନ ପାଇବା ପାଇଁ ହକ୍ଦାର ହୋଇଥିଲେ ମଧ୍ୟ ୨୬ବର୍ଷ ଧରି ତାଙ୍କୁ ଏହା କର୍ତ୍ତୃପକ୍ଷ ଦେଉନଥିଲେ । ବାରମ୍ବାର ଏ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଶ୍ରୀମତୀ ଲଳିତା ମହାନ୍ତି ଏ ସଂକ୍ରାନ୍ତରେ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ ।
ହାଇକୋର୍ଟ ୨୦୧୩ ଏପ୍ରିଲ ମାସରେ ଏହି ମାମଲାର ପରିସମାପ୍ତି ଘଟାଇ ଶ୍ରୀମତୀ ମହାନ୍ତିଙ୍କୁ ଅବସରକାଳୀନ ଦେୟ ପୈଠ ଲାଗି ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ କର୍ତ୍ତୃପକ୍ଷ ଦାଖଲ କରିଥିବା ରିଭ୍ୟୁ ପିଟିସନ ମଧ୍ୟ ନାକଚ ହୋଇଯାଇଥିଲା । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ନାକଚ କରିନାହାନ୍ତି କିମ୍ବା ଏହା ଉପରେ କୌଣସି ରହିତାଦେଶ ଦେଇନାହାନ୍ତି । ଏହାସତ୍ତ୍ୱେ ବି ୯ ବର୍ଷ ତଳର ହାଇକୋର୍ଟ ଆଦେଶକୁ ସରକାରୀ କର୍ତ୍ତୃପକ୍ଷ ପ୍ରତିପାଳନ ନ କରି ସମୟ ଗଡାଇ ଚାଲିବା ଭିତରେ ଶ୍ରୀମତୀ ମହାନ୍ତିଙ୍କ ବୟସ ଏବେ ୯୦ ଛୁଇଁବାକୁ ଯାଉଛି ।
ଏହି ମାମଲା ହାଇକୋର୍ଟର ଅନ୍ୟତମ ବିଚାରପତି ଭି.ନରସିଂହଙ୍କ ନଜରକୁ ଆସିବା ପରେ ସେ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ଅଦାଲତରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଚଳିତମାସ ୧୯ ତାରିଖ ସୁଦ୍ଧା ନିଗମ କର୍ତ୍ତୃପକ୍ଷ କେନ୍ଦୁଝର ଯାଇ ଶ୍ରୀମତୀ ମହାନ୍ତିଙ୍କୁ ୨୬ବର୍ଷ ଧରି ଦିଆଯାଇ ନଥିବା ପାରିବାରିକ ପେନସନ ପ୍ରଦାନ କରିବାକୁ ଅଦାଲତ କହିଛନ୍ତି ।
ଏହା ପୂର୍ବରୁ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କୁ ଅଦାଲତରେ ଅନୁରୂପ କେତୋଟି ମାମଲାର ଫଏସଲା ହୋଇଛି, ଯେଉଁଥିରେ ଦୀର୍ଘବର୍ଷ ଧରି ପେନସନ ଗଣ୍ଡାକ ପାଇଁ ମାମଲା ଲଢ଼ି ଲଢ଼ି ପ୍ରାୟ ୯୦ବର୍ଷ ବୟସରେ ଆବେଦନକାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ପେନସନ ବାବଦ ବକେୟା ଅର୍ଥ ମିଳିଛି ।
ପୁରୀ ଜିଲ୍ଲା ଦାଣ୍ଡମକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଚିନ୍ତାମଣି ମିଶ୍ରଙ୍କୁ ପେନସନ ମିଳିବା ବେଳକୁ ତାଙ୍କ ବୟସ ୧୦୦ ଛୁଇଁବାକୁ ଯାଉଥିଲା । ତାଙ୍କ ପୁତ୍ରଙ୍କ ସମେତ ଅନେକ ଛାତ୍ରଛାତ୍ରୀ ଉଚ୍ଚ ପଦପଦବୀରେ ଚାକିରି କରି ପେନସନ ନେବାର ଅନେକ ବର୍ଷ ପରେ ସ୍ୟାଟ୍ ଓ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଏବଂ ତାଙ୍କର ଜଣେ ପୂର୍ବତନ ଛାତ୍ରଙ୍କ ମାଗଣାରେ ଓକିଲାତି ଯୋଗୁଁ ବିଳମ୍ବରେ ହେଉ ପଛେ ସେ ପେନସନ ପାଇବାକୁ ସକ୍ଷମ ହେଲେ ।
ଅନୁରୂପ ଭାବେ ବଲାଙ୍ଗୀର ଜିଲ୍ଲାରୁ ଅବସର ଗ୍ରହଣ କରିଥିବା ଜଣେ ବିଡିଓ ପେନସନ ନ ପାଇ ମରିଗଲେ ଏବଂ ତାଙ୍କ ବିଧବା ପତ୍ନୀ ମଧ୍ୟ ମାମଲା ଲଢ଼ି ଲଢ଼ି ଜୀବନ ହାରିବା ପରେ ସ୍ୟାଟ୍ଙ୍କ ନିର୍ଦ୍ଦେଶ ଓ ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ କ୍ରମେ ତାଙ୍କର ଦୁଇ ଅବିବାହିତା ଝିଅ ଅବସରକାଳୀନ ପ୍ରାପ୍ୟ ବହୁ ବିଳମ୍ବରେ ସୁଧ ସହ ପାଇଥିଲେ । ଏଭଳି ଉଦାହରଣ ଅନେକ ।
ସରକାରୀ କଳରେ ଥିବା କିଛି ନକାରାତ୍ମକ ଅମଲାତନ୍ତ୍ରୀଙ୍କ କାରସାଦି ଯୋଗୁଁ ପେନସନ, ନିଯୁକ୍ତି, ପଦୋନ୍ନତି ଆଦି କ୍ଷେତ୍ରରେ ଅନେକ ସରକାରୀ କର୍ମଚାରୀ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ଅଭିଯୋଗର ସକାରାତ୍ମକ ଶୁଣାଣି କରି କର୍ତ୍ତୃପକ୍ଷ ସମୟଭିତ୍ତିକ ପଦକ୍ଷେପ ନେଇପାରିଲେ ବହୁ ସମସ୍ୟାର ସମାଧାନ ହୋଇଯାଆନ୍ତା ଏବଂ ହାଇକୋର୍ଟ ଉପରୁ ଅନ୍ୟୂନ ୫୦ ହଜାର ମାମଲାର ବୋଝ ହାଲୁକା ହୋଇପାରନ୍ତା ବୋଲି ଅଭିଜ୍ଞ ଆଇନଜୀବୀମାନେ କହୁଛନ୍ତି । (ତଥ୍ୟ)