ଭୁବନେଶ୍ୱର : ଚଳିତବର୍ଷ ବିନା କଟକଣାରେ ରାଜଧାନୀରେ ଧୂମଧାମରେ ଦଶହରା ପାଳନ ଲାଗି ପ୍ରସ୍ତୁତି ଚାଲିଥିବାବେଳେ ସହରର ଖାଲଖମା ରାସ୍ତାଘାଟ ଏବେ ଚିନ୍ତାର କାରଣ ପାଲଟିଛି । ପୂଜାକୁ ଆଉ ଦୁଇ ସପ୍ତାହ ଥିବାବେଳେ ଏହା ଭିତରେ କର୍ତ୍ତୃପକ୍ଷ ଯଦି ଏହାକୁ ମରାମତି ନକରିବେ ତେବେ ଲୋକେ ହୀନସ୍ତା ହେବା ସାର ।
ସହରର ବିଭିନ୍ନ ସ୍ଥାନରେ ଏବେ ମୁଖ୍ୟ ରାସ୍ତାରେ ଖାଲଖମା । ବର୍ଷାପାଣି ଜମିବା ଯୋଗୁଁ କେଉଁଠି ପିଚୁ ରାସ୍ତା ମଝିରେ ଖାଲ ସୃଷ୍ଟି ହୋଇଛି ତ ଆଉ କେଉଁଠି ପରସ୍ତ ପରସ୍ତ ପିଚୁ ଉଠିଗଲାଣି । ରାଜଧାନୀର ସବୁଠାରୁ ଭିଭିଆଇପି ରାସ୍ତା କୁହାଯାଉଥିବା ସଚିବାଳୟ ମାର୍ଗ ଏବେ ଖାଲଖମାରେ ଭର୍ତ୍ତି । ଆଚାର୍ଯ୍ୟବିହାର, ଜୟଦେବିହାର, ସିଆରପିଛକ, ବାଣୀବିହାର ଆଦି ଛକଗୁଡିକରେ ଖାଲଖମା । ଅସରାଏ ବର୍ଷା ହେଲେ ଏହି ରାସ୍ତାରେ ଏବେ ଲୋକେ ଯା ଆସ କରିବାକୁ ଡରୁଛନ୍ତି । ସେହିଭଳି ଜନପଥରେ ବି ଖାଲଖମା ।
ତେବେ ସହରର ଯେଉଁସବୁ ସ୍ଥାନରେ ଦଶହରା ପାଇଁ ଭିଡ ରହିବ ସେଠାରେ ରାସ୍ତାର ଅବସ୍ଥା ଯାହା ରହିଛି ଯଦି ପାର୍ବଣ ସମୟରେ ବର୍ଷା ଲାଗିରୁହେ ତେବେ ଗାଡିମୋଟର ତ ଦୂରରକଥା ଲୋକେ ଚାଲିକରି ଯିବା ବି ସମ୍ଭବ ହେବନାହିଁ । ତେଣୁ ପୂଜା ପୂର୍ବରୁ ଏହିସବୁ ସଡକଗୁଡିକୁ ମରାମତି କରିବାପାଇଁ ଦାବି ହେଉଛି ।
ସହର ମଧ୍ୟଦେଇ ଯାଇଥିବା ଜାତୀୟ ରାଜପଥର ଅବସ୍ଥା ମଧ୍ୟ ଅନୁରୂପ । ବାଣୀବିହାର ଠାରୁ ଫୁଲନଖରା ପର୍ଯ୍ୟନ୍ତ ରାସ୍ତା ଏକ ପ୍ରକାର ମରଣଯନ୍ତା । ପଣାଶୁଣି ନିକଟରେ ଥିବା ପୋଲ ମଝିରୁ ଲୁହାରଥ ବାହାରି ଉପରମୁହାଁ ହୋଇ ରହିଛି । କେତେବେଳେ ଏହା ପଥଚାରୀଙ୍କ ଜୀବନ ନେବ ତାହା କହିହେବ ନାହିଁ । ସେହିଭଳି ଅଧିକାଂଶ ସ୍ଥାନରେ ପରସ୍ତ ପରସ୍ତ ପିଚୁ ଉଠିଯିବା ଫଳରେ ଟ୍ରକ ବସ ଭଳି ଭାରିଯାନ ପଛରେ ଦୁଇ ଚକିଆ ଆରୋହୀ ଯିବାକୁ ଡରୁଛନ୍ତି । କାରଣ ରାସ୍ତାରେ ପଡିଥିବା ଗୋଡିଗୁଡିକ ଆସି ସେମାନଙ୍କ ମୁହଁରେ ମାଡ ହେଉଛି ।
ପାର୍ବଣ ସମୟରେ ଚଳିତବର୍ଷ ରାଜଧାନୀରେ ଛୋଟ ବଡ ୧୭୮ଟି ମେଢ ହେବ ବୋଲି ସୂଚନା ମିଳିଛି । ତେବେ ସହର ମଧ୍ୟରେ ଥିବା ବରମୁଣ୍ଡା, ନୟାପଲ୍ଲୀ, ଶହୀଦନଗର, ଲକ୍ଷ୍ମୀସାଗର, ରସୁଲଗଡ ଆଦି ସ୍ଥାନରେ ଥିବା ପୂଜାମଣ୍ଡପରେ ପ୍ରବଳ ଜନଗହଳି ହେଉଥିବାବେଳେ ଅନ୍ୟାନ୍ୟ ପୂଜାମଣ୍ଡପରେ ବି ଭିଡ ହୋଇଥାଏ । ହେଲେ ବର୍ତ୍ତମାନ ଏହିସବୁ ଅଞ୍ଚଳରେ ଥିବା ପ୍ରମୁଖ ରାସ୍ତାଗୁଡିକ ଏବେ ଖାଲଖମାରେ ଭର୍ତ୍ତି । ତେଣୁ ପୂଜା ପୂର୍ବରୁ ଯଦି କର୍ତ୍ତୃପକ୍ଷ ଏଗୁଡିକ ମରାମତି ନକରନ୍ତି ତେବେ ଜନଗହଳି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି ।
ଅନ୍ୟ ପକ୍ଷରେ ବର୍ତ୍ତମାନ ଅବପାତ ପ୍ରଭାବରେ ରାଜଧାନୀରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଆଗାମୀ ୧୭/୧୮ ତାରିଖ ବେଳକୁ ଆଉଗୋଟିଏ ଲଘୁଚାପର ସମ୍ଭାବନା ରହିଛି ଓ ଏହା ପ୍ରଭାବରେ ସହରରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଏଥିଯୋଗୁଁ ଖାଲଖମା ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହେବାର ଆଶଙ୍କା କରାଯାଉଥିବାବେଳେ ଏହାକୁ ମରାମତି ପାଇଁ ବିଭିନ୍ନ ସ୍ତରରୁ ମତପ୍ରକାଶ ପାଉଛି । (ତଥ୍ୟ)