ଭୁବନେଶ୍ୱର : ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ମେକ୍ ଇନ୍ ଇଣ୍ଡିଆ କନ୍କ୍ଲେଭ୍ ପାଇଁ ବୃହତ୍ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆକର୍ଷିତ କରିବା ଉଦ୍ଦେଶ୍ୟରେ ମୁମ୍ବାଇଠାରେ ଏକ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ୧୫ଟି କମ୍ପାନୀର ମୁଖ୍ୟମାନଙ୍କ ସହ ବ୍ୟକ୍ତିଗତ ଭାବେ ବୈଠକ କରି ଓଡ଼ିଶାର ଶିଳ୍ପ ଆଭିମୁଖ୍ୟ ଉପରେ ଆଲୋଚନା କରିଛନ୍ତି । କି୍ରସିଲ୍ ଲିଃ, ନାଲ୍କୋ ଓ ସହଯୋଗୀ କମ୍ପାନୀ, ଥାଇସେନ୍କ୍ରୁପ୍ ଇଣ୍ଡିଆ ଲିଃ, ଆଇଏମ୍ପି ପାୱାର ଲିଃ, ରୋଚେନ୍ ସେପାରେସନ୍ ସିଷ୍ଟମ୍(ଇଣ୍ଡିଆ) ପ୍ରା.ଲିଃ ପ୍ରମୁଖ କମ୍ପାନୀଗୁଡ଼ିକର ପ୍ରତିନିଧିମାନଙ୍କ ସହ ମୁଖ୍ୟ ଶାସନ ସଚିବ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ ।
ଶ୍ରୀ ମହାପାତ୍ର ଓଡ଼ିଶା ସରକାର ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ନିମନ୍ତେ ଦେଉଥିବା ବିଭିନ୍ନ ସୁବିଧାସୁଯୋଗ ଏବଂ ଭିତ୍ତିଭୂମି ବିକାଶ ବାବଦରେ ସେମାନଙ୍କୁ ଅବଗତ କରାଇଥିଲେ । ଆମର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଜମିଯୋଗାଣ, ଉନ୍ନତ ମାନର ବିଦୁ୍ୟତ, ଶିଳ୍ପପୁଞ୍ଜ ଏବଂ ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ ଭଳି ବ୍ୟବସ୍ଥା ଉପଲବ୍ଧ ହେଉଥିବା ବିଷୟ ଉପସ୍ଥାପନ କରିଥିଲେ ।
ଏହି ଆଲୋଚନାରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ ।