ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ନିରାପତ୍ତା ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟାପକ ପଦକ୍ଷେପ ନେଉଥିବା ବେଳେ ରତ୍ନ ଭଣ୍ଡାରର ସାମଗ୍ରୀ ସୁମାରି ଓ ଭୂସମ୍ପତ୍ତି ଉଦ୍ଧାର କ୍ଷେତ୍ରରେ କିନ୍ତୁ ସମସ୍ତେ ନିରବ । ଏହାଛଡ଼ା ବ୍ରହ୍ମ ବିଭ୍ରାଟ ଘଟଣାର ତଦନ୍ତ ଏବଂ ଶ୍ରୀମନ୍ଦିରରେ ସଂସ୍କାର ଲାଗି ବିଭିନ୍ନ କମିଶନ ଓ କମିଟି ଦେଇଥିବା ରିପୋର୍ଟ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ସେ ସମ୍ପର୍କରେ କିଛି ଜଣାପଡ଼ୁନାହିଁ ।
୧୯୭୮ ମସିହାରେ ଶ୍ରୀମନ୍ଦିରର ଭିତର ଓ ବାହାର ରତ୍ନଭଣ୍ଡାର ଖୋଲାଯାଇ ବିଭିନ୍ନ ସାମଗ୍ରୀର ସୁମାରି କରାଯାଇଥିଲା । ସେତେବେଳର ହିସାବ ଅନୁଯାୟୀ ରତ୍ନଭଣ୍ଡାରରେ ୧୨୮୩୧ ଭରି ଏକଅଣା ଓଜନର ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଥିବା ବେଳେ ୨୨୧୫୩ ଭରି ରୁପା ବାସନ ଓ ପୂଜା ସାମଗ୍ରୀ ଥିବା ଜଣାପଡ଼ିଥିଲା । ଏହାଛଡ଼ା ଆଉ ୧୪ଟି ସୁନା ଓ ରୁପା ଜିନିଷ ବିଭିନ୍ନ କାରଣରୁ ଓଜନ କରାଯାଇପାରିନଥିବାରୁ ଏହାର ପରିମାଣ କେତେ ତାହା ଆକଳନ କରାଯାଇନଥିଲା ।
ଆଇନ୍ଗତ ବ୍ୟବସ୍ଥା ଅନୁଯାୟୀ ନିୟମିତ ବ୍ୟବଧାନରେ ରତ୍ନଭଣ୍ଡାର ସମ୍ପତ୍ତିର ତନଖି କରାଯିବା କଥା । କିନ୍ତୁ ୪୩ ବର୍ଷ ଧରି ଏହାର ହିସାବନିକାଶ କରାଯାଇନଥିବାରୁ ବିଭିନ୍ନ ମହଲରେ ସନ୍ଦେହର ସୂତ୍ରପାତ ହେବା ସ୍ୱାଭାବିକ ।
ଶ୍ରୀମନ୍ଦିର ନିରାପତ୍ତା ପ୍ରସଙ୍ଗରେ ଅଦାଲତଙ୍କ ନିର୍ଦ୍ଦେଶ ମୁତାବକ ଏକ ଉଚ୍ଚସ୍ତରୀୟ କମିଟି ରତ୍ନଭଣ୍ଡାରର ସ୍ଥିତି ପରଖିବା ପାଇଁ ଗଲା ବେଳକୁ ଚାବି ହଜିଯାଇଥିବା ଜଣାପଡ଼ିଥିଲା । ପରେ କଲେକ୍ଟରିଏଟ୍ର ଏକ ରେକର୍ଡ ରୁମ୍ରୁ ଲଫାଫା ଭିତରେ ଥିବା ଏହି ଚାବି ମିଳିଥିବା କୁହାଯାଇଥିଲା ।
ଚାବି ହଜିବା ପ୍ରସଙ୍ଗର ଅନୁଧ୍ୟାନ ପାଇଁ ସରକାର ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଶନ ବସାଇଥିଲେ ଏବଂ ଏହି କମିଶନ ଲାଗି ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ଓ କମିଶନ ବି ତାଙ୍କ ରିପୋର୍ଟ ଦେଇଥିଲେ । ଏହାସତ୍ତେ୍ୱ ମଧ୍ୟ ରତ୍ନଭଣ୍ଡାରର ଚାବି ଖୋଲୁନି କି ସାମଗ୍ରୀର ସାନି ଆକଳନ କରାଯାଉନାହିଁ ।
ଶ୍ରୀଜଗନ୍ନାଥଙ୍କ ନାମରେ ଓଡ଼ିଶାର ୨୩ଟି ଜିଲ୍ଲାରେ ୫୭,୧୮୧ ଏକର ଭୂସମ୍ପତ୍ତି ରହିଥିବା ବେଳେ ସେଥିରୁ ପ୍ରାୟ ୩୦ହଜାର ଏକର ପରିମିତ ଜମିର ସତ୍ତ୍ୱଲିପି ମିଳୁନାହିଁ । ଏହାଛଡ଼ା ୬ଟି ରାଜ୍ୟରେ ମଧ୍ୟ ଶ୍ରୀଜଗନ୍ନାଥଙ୍କର ପାଖାପାଖି ୪୦୦ ଏକର ଜମି ରହିଛି । ଶ୍ରୀମନ୍ଦିରର ଏତେ ଭୂସମ୍ପତ୍ତି ଥିବା ବେଳେ ଏଥିରୁ ମାତ୍ର ପ୍ରାୟ ୭୦୦୦ ଏକର ଜମିରୁ ଭାଗଚାଷୀମାନଙ୍କଠାରୁ ରାଜଭୋଗ ମିଳୁଥିବା କୁହାଯାଉଛି ।
ଆଇନ୍ ଅନୁଯାୟୀ ଜବରଦଖଲ ହଟାଇବା ଲାଗି ଅନେକଗୁଡ଼ିଏ ମାମଲା ବି ଚାଲୁଛି । କିନ୍ତୁ ମହାପ୍ରଭୁଙ୍କ ନାମରେ ଥିବା ସମସ୍ତ ଭୂସମ୍ପତ୍ତି ଏଯାବତ୍ ମନ୍ଦିର ପ୍ରଶାସନ ଅକ୍ତିଆରରେ ନାହିଁ । ଏହି ଭୂସମ୍ପତ୍ତିର ସୁପରିଚାଳନା କରାଯାଇପାରିଲେ ଶ୍ରୀମନ୍ଦିରର ବେଶ୍ ଆର୍ଥିକ ସମୃଦ୍ଧି ଘଟିପାରନ୍ତା ବୋଲି କୁହାଯାଉଛି । ଶ୍ରୀମନ୍ଦିରର ସଂସ୍କାର ପାଇଁ ପୂର୍ବରୁ ତକ୍ରାଳୀନ ରାଜ୍ୟପାଳ ଭଗବତ୍ ଦୟାଲ୍ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଅନେକ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରିଥିଲେ ମଧ୍ୟ ସେଥିରୁ ଅଧିକାଂଶ କାର୍ଯ୍ୟକାରୀ ହୋଇନାହିଁ ।
ସଂସ୍କାର ପ୍ରସଙ୍ଗରେ ରାଜ୍ୟ ସରକାର ବସାଇଥିବା ଅନ୍ୟ ଏକ କମିଶନ ମଧ୍ୟ ଅଧାରୁ ବନ୍ଦ ହୋଇଯାଇଥିବା ବେଳେ ଯେଉଁ ଅନ୍ତରୀଣ ରିପୋର୍ଟସବୁ ଦେଇଥିଲେ ତାହା ବି ଅନ୍ଧକାରରେ ରହିଛି । ଗତ ନବକଳେବର ସମୟରେ ଘଟ ପରିବର୍ତ୍ତନ ବିଭ୍ରାଟ ଅଭିଯୋଗର ତଦନ୍ତ ତକ୍ରାଳୀନ ମୁଖ୍ୟ ପ୍ରଶାସକ କରିଥିଲେ । ଏହି ରିପୋର୍ଟ ଉପରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ତାହାବି ଜଣାପଡ଼ୁନାହିଁ । ଏହାଛଡ଼ା ଏମାର ମଠରୁ ମିଳିଥିବା ବିପୁଳ ରୁପା ଇଟାଗୁଡ଼ିକର ସଂରକ୍ଷଣ ଓ ବ୍ୟବହାର ବି ଅନ୍ଧକାରରେ ରହିଥିବା ଘେନି ଭକ୍ତ ମହଲରେ ଆଲୋଚନା ହେଉଛି ।