Home Energy ବିଜୁଳି ଗ୍ରାହକ ଠକେଇରେ ମାମଲା ଦାଏର ହେଉନି

ବିଜୁଳି ଗ୍ରାହକ ଠକେଇରେ ମାମଲା ଦାଏର ହେଉନି

ଭୁବନେଶ୍ୱର : ବିଦ୍ୟୁତ୍‍ ବିଲ୍‍କୁ ଆଳ କରି ସାଇବର ଠକମାନେ ଜଣଙ୍କ ପରେ ଜଣେ ଗ୍ରାହକଙ୍କୁ ନିଜର ଶିକାର କରୁଥିବାବେଳେ ସେମାନଙ୍କ ବିରୁଦ୍ଧରେ ବିଦ୍ୟୁତ୍‍ ବିତରଣ କମ୍ପାନୀ କିମ୍ବା ରାଜ୍ୟ ଶକ୍ତି ବିଭାଗ କେହି ହେଲେ ମାମଲା ଦାଏର କରୁନାହାନ୍ତି । କେବଳ ଠକେଇ ହେଉଥିବା ଲୋକଟି ସାଇବର ଥାନାର ଦ୍ୱାରସ୍ଥ ହେଉଥିବା ଲକ୍ଷ୍ୟ କରାଯାଉଛି ।

ବିଦ୍ୟୁତ୍‍ ବିଚ୍ଛିନ୍ନ ମେସେଜ ଦେଇ ଲୋକଙ୍କୁ ଠକିବା ସହଜ ହୋଇଥିବାରୁ ସାଇବର ଠକମାନେ ଏବେ ଏହି ବାଟକୁ ଆପଣେଇଛନ୍ତି । ବିଭିନ୍ନ ଗ୍ରାହକଙ୍କ ମୋବାଇଲ୍‍କୁ ବିଲ୍‍ ଆଡଜଷ୍ଟ ହୋଇନଥିବାରୁ ତୁରନ୍ତ ଲାଇନ୍‍ କାଟି ଦିଆଯିବ ବୋଲି ବାର୍ତ୍ତା ଦେଉଛନ୍ତି । ଏଥିରେ ନିର୍ଦ୍ଦିଷ୍ଟ ଭାବେ ଟେଲିଫୋନ୍‍ ନମ୍ବର ଦେବା ସହିତ ସେଥିରେ ଯୋଗାଯୋଗ କରିବାକୁ କହୁଛନ୍ତି । ଲାଇନ୍‍ କଟିବା ଭୟରେ ଯିଏ ଫୋନ୍‍ କରୁଛି ତାହାକୁ ବିଲ୍‍ ଆଡଜଷ୍ଟ ପାଇଁ ମେସେଜରେ ଥିବା ଲିଙ୍କ୍‍ରେ କ୍ଲିକ୍‍ କରିବାକୁ କୁହାଯାଉଛି । ଆଉ ଯଦି କିଏ ଲିଙ୍କ୍‍ ଖୋଲୁଛି ତେବେ ତତ୍କାଳ ଅର୍ଥ ଠକାମୀର ଶିକାର ହୋଇଯାଉଛନ୍ତି ।

ପ୍ରତିଦିନ ଏକାଧିକ ବ୍ୟକ୍ତିଙ୍କୁ ସାଇବର ଠକମାନେ ଏଭଳି ମେସେଜ ପଠାଇ ଜାଲ ବିଛାଉଥିବାବେଳେ ଇତି ମଧ୍ୟରେ ରାଜଧାନୀରେ ଦୁଇ ଦୁଇ ଜଣ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଠକାମୀର ଶିକାର ହୋଇଗଲେଣି । ବହୁ ଲୋକେ ମେସେଜ ପାଇଲା ପରେ ବିଦ୍ୟୁତ୍‍ ବିଭାଗର ସ୍ଥାନୀୟ ଦପ୍ତରକୁ ଫୋନ୍‍ କରୁଛନ୍ତି । ତେବେ ଯିଏ ଫୋନ୍‍ କରୁଛି ସିଏ ଠକାମୀରୁ ରକ୍ଷା ପାଇଯାଉଛି । କାରଣ ଏଭଳି ମେସେଜ ଜାଲ୍‍ ବୋଲି ବିଦ୍ୟୁତ୍‍ କର୍ମଚାରୀମାନେ ଜଣାଇ ଦେଉଛନ୍ତି ।

ଇତି ମଧ୍ୟରେ ରାଜ୍ୟରେ ବିଦ୍ୟୁତ୍‍ ବଣ୍ଟନ ଦାୟିତ୍ୱରେ ଥିବା ଟାଟା ପାୱାର ଏଭଳି ସାଇବର ଠକେଇ ସଂକ୍ରାନ୍ତରେ ଥରେ ଦୁଇ ଥର ମେସେଜ ପଠାଇ ତାହାର କାମ ସାରି ଦେଇଛି । ଶକ୍ତି ବିଭାଗ ମଧ୍ୟ ଏ କ୍ଷେତ୍ରରେ ଯେଭଳି ପଦକ୍ଷେପ ଗ୍ରହଣ କରିବା କଥା ତାହା କରୁନାହିଁ । ଏଭଳି ଅଭିନବ ସାଇବର ଠକେଇ ସଂକ୍ରାନ୍ତରେ ବିଜ୍ଞାପନ ଜରିଆରେ ଲୋକଙ୍କୁ ସଚେତନ କରାନଯିବା ଫଳରେ ଠକଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି ।

ଅନ୍ୟ ପକ୍ଷରେ ସାଇବର ଠକମାନେ ବିତରଣ କମ୍ପାନୀ ନାଁରେ ଟେଲିଫୋନ୍‍ ନମ୍ବର ଜାରି କରୁଥିବାବେଳେ କମ୍ପାନୀ ପକ୍ଷରୁ ଏହି ନମ୍ବରଧାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଉ ନାହିଁ । ଉଭୟ ସରକାର ଓ କମ୍ପାନୀ କର୍ତ୍ତୃପକ୍ଷଙ୍କର ଏଭଳି କୋହଳ ନୀତି ଦେଖି ସାଇବର ଠକମାନେ ଏବେ ସହର ଠାରୁ ଆରମ୍ଭ କରି ଗାଁ ଗହଳର ବିଦ୍ୟୁତ୍‍ ଗ୍ରାହକଙ୍କୁ ଶିକାର କରିବା ଲାଗି ଜାଲ ବିଛାଇବାରେ ଲାଗିଛନ୍ତି । ତେଣୁ ଏଭଳି ଠକଙ୍କ ହାବୁଡରୁ ଲୋକଙ୍କୁ ରକ୍ଷା ପାଇଁ ତୁରନ୍ତ ବିଜ୍ଞାପନ ଜରିଆରେ ଜନସଚେତନତା ସହିତ ଠକମାନେ ଜାରି କରୁଥିବା ଟେଲିଫୋନ୍‍ ନମ୍ବର ଆଧାରରେ ମାମଲା ରୁଜୁ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)