ଭୁବନେଶ୍ୱର : ଅଗଷ୍ଟ ମାସରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟାରେ ୧୪ହଜାରରୁ ଅଧିକ ଘର ଭାଙ୍ଗି ଥିବାବେଳେ ଏକ ଲକ୍ଷ ୨୬ହଜାର ହେକ୍ଟର ଚାଷଜମିରେ ୩୩ ପ୍ରତିଶତରୁ ଅଧିକ ପରିମାରର ଫସଲ ନଷ୍ଟ ହୋଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଛି ।
ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଯୋଗୁଁ ରାଜ୍ୟର 24 ଟି ଜିଲ୍ଲା ଯଥା: ଅନୁଗୁଳ, ବରଗଡ, ବୌଦ୍ଧ, ନୟାଗଡ, ସମ୍ବଲପୁର, ସୁବର୍ଣ୍ଣପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, ଭଦ୍ରକ ବାଲେଶ୍ୱର, ଯାଜପୁର, କେଉଁଝର, ମୟୁରଭଞ୍ଜ, ବଲାଙ୍ଗିର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୂଆପଡା ଓ ସୁନ୍ଦରଗଡ ପ୍ରଭାବିତ ହୋଇଥିଲା । ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ ସମ୍ପୃକ୍ତ ଜିଲ୍ଲା ଓ ବିଭାଗମାନଙ୍କୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ଜିଲ୍ଲାପାଳ ମାନଙ୍କଠାରୁ ପ୍ରାପ୍ତ କ୍ଷୟକ୍ଷତିର ଆକଳନର ତଥ୍ୟ ଅନୁଯାୟୀ 14, 235 ଟି ବାସଗୃହ, 1236 ଟି ଗାଈ ଗୁହାଳ, 5036 ହେକ୍ଟର ଚାଷ ଜମି ବାଲିଚର, 1125 ଟି ଡଙ୍ଗା ଓ ଜାଲ, 28.382 ହେକ୍ଟର ମାଛ ପୋଖରୀ ଓ 483.145 ହେକ୍ଟର ମାଛ ଜାଁଳ ଚାଷ କ୍ଷତିଗ୍ରସ୍ତ ହୋଇଅଛି । 1, 26, 162 ହେକ୍ଟର ଚାଷ ଜମି ଶତକଡା 33 ଭାଗରୁ ଉର୍ଦ୍ଧ୍ୱ ଫସଲ ହାନୀ ହୋଇଅଛି ।
ଜିଲ୍ଲାପାଳ ମାନଙ୍କର କ୍ଷୟକ୍ଷତିର ଆକଳନକୁ ଭିତ୍ତିକରି ଓ ବିପର୍ଯ୍ୟୟ ସହାୟତା ପାଣ୍ଠିର ସର୍ତ୍ତ ଓ ନିୟମାବଳୀ ଅନୁଯାୟୀ ଘର ନିର୍ମାଣ ସହାୟତା, ବାସନକୁସନ ସହାୟତା, କୃଷି ଭିତ୍ତିକ ସହାୟତା, ବାଲିଚର ସହାୟତା, ମୃତ ଗୋରୁଗାଈଙ୍କ ପାଇଁ ସହାୟତା, କ୍ଷତିଗ୍ରସ୍ତ ଡଙ୍ଗା ଓ ଜାଲ, ମତ୍ସ୍ୟପୋଖରୀ, ମତ୍ସ୍ୟଜାଁଳ ଚାଷ, ହସ୍ତତନ୍ତ ବୁଣାକାର, ହସ୍ତଶିଳ୍ପ କାରିଗର, ରେଶମ ଚାଷୀଙ୍କ ପାଇଁ ସହାୟତା ବାବଦକୁ 128 କୋଟି 58 ଲକ୍ଷ ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଜୁର କରାଯାଇଅଛି ।
ସେହିପରି ଜଳବନ୍ଦୀ ଘେରରେ ଥିବା ପ୍ରଭାବିତ ଲୋକମାନଙ୍କୁ ଖାଦ୍ୟ ସହାୟତା ବାବଦକୁ ଅଦ୍ୟାବଧି ଜିଲ୍ଲାପାଳମାନଙ୍କୁ 99 କୋଟି 92 ଲକ୍ଷ 97 ହଜାର ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଜୁର କରାଯାଇଅଛି ।
ଇତି ମଧ୍ୟରେ ଜଳସଂପଦ ବିଭାଗ, ପୁର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ଓ ଶକ୍ତି ବିଭାଗ ଙ୍କଠାରୁ ସାଧାରଣ ସମ୍ପତ୍ତି କ୍ଷୟକ୍ଷତିର ଆକଳନ ରିପୋର୍ଟ ହସ୍ତଗତ ହୋଇଅଛି । ସାଧାରଣ ସମ୍ପତ୍ତି କ୍ଷୟକ୍ଷତିର ତୁରନ୍ତ ପୁନଃରୁଦ୍ଧାର ପାଇଁ ଜଳସଂପଦ ବିଭାଗ 5277.69 ଲକ୍ଷ ଟଙ୍କା, ପୁର୍ତ୍ତ ବିଭାଗ 2019.44 ଲକ୍ଷ ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗ 4254.70 ଲକ୍ଷ ଟଙ୍କା, ଗୃହ ଓ ନଗର ଉନ୍ନୟନ ବିଭାଗ 607.72 ଲକ୍ଷ ଟଙ୍କା ଓ ଶକ୍ତି ବିଭାଗ 503.38 ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଜଣାଇଛନ୍ତି ।
ମାତ୍ର ବିପର୍ଯ୍ୟୟ ସହାୟତା ପାଣ୍ଠିର ସର୍ତ୍ତ ଓ ନିୟମାବଳୀ ଅନୁଯାୟୀ ସାଧାରଣ ସମ୍ପତ୍ତିର କ୍ଷୟକ୍ଷତିର ତୁରନ୍ତ ପୁନଃରୁଦ୍ଧାର ପାଇଁ ଜଳସଂପଦ ବିଭାଗ 4353.92 ଲକ୍ଷ ଟଙ୍କା, ପୁର୍ତ୍ତ ବିଭାଗ 1367.25 ଲକ୍ଷ ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗ 2414.37 ଲକ୍ଷ ଟଙ୍କା, ଗୃହ ଓ ନଗର ଉନ୍ନୟନ ବିଭାଗ 82.46 ଲକ୍ଷ ଟଙ୍କା ଓ ଶକ୍ତି ବିଭାଗ 497.51 ଲକ୍ଷ ଟଙ୍କା ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ମଞ୍ଜୁର କରାଯାଇଅଛି । ଏହି ଭଳି ସର୍ବମୋଟ 8715.51 ଲକ୍ଷ ଟଙ୍କା ଉକ୍ତ ବିଭାଗମାନଙ୍କୁ ସାଧାରଣ ସମ୍ପତ୍ତିର ତୁରନ୍ତ ମରାମତି ଓ ପୁନଃରୁଦ୍ଧାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଜୁର କରାଯାଇଛି ।