ଭୁବନେଶ୍ୱର : ରାଜଧାନୀରେ ଆଇନ୍ଶୃଙ୍ଖଳା ରକ୍ଷା ପୁଲିସ୍ ପାଇଁ ଏକ ଆହ୍ୱାନ ହୋଇଥିବାବେଳେ ଏହାକୁ ମୁକାବିଲାରେ ନିୟୋଜିତ ଥିବା ଗାଡି ଓ କର୍ମଚାରୀଙ୍କ ପାଇଁ ଅତି ସ୍ୱଳ୍ପ ପରିମାଣର ତେଲ ବ୍ୟବସ୍ଥା ହେଉଛି । ଏତିକି ତେଲରେ ଚୋର ତସ୍କରଙ୍କୁ ଧରିବା ଓ ସେମାନଙ୍କ ସଂକ୍ରାନ୍ତରେ ସୂଚନା ସଂଗ୍ରହ କରିବା ସମ୍ଭବପର ହେଉନାହିଁ ।
କମିଶନରେ ପୁଲିସ୍ ଭୁବନେଶ୍ୱର ସହରର ଆଇନ୍ଶୃଙ୍ଖଳା ପାଇଁ ଚାରି ଚକିଆ ପିସିଆର ଯାନ ମୁତୟନ କରିଛି । ସାଧାରଣ ଲୋକଙ୍କ ଅଭିଯୋଗ ପାଇଲା ମାତ୍ରେ ପିସିଆର ଯାଉଥିବାବେଳେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଲେ ମଧ୍ୟ ସେଠାକୁ ସହାୟତା ପାଇଁ ଧାଉଁଛି । ଏଥି ସହିତ ବିଳମ୍ବିତ ରାତି ଓ ଅନ୍ୟ ସମୟରେ ବି ବିଭିନ୍ନ ସ୍ଥାନରେ ଚକ୍କର କାଟୁଛି । ତିନି ସିଫ୍ଟରେ ଚକ୍କର କାଟୁଥିବା ଏହି ପିସିଆରଗୁଡିକ ପାଇଁ ସିଫ୍ଟପିଛା ମାତ୍ର ୭ଲିଟର ତେଲ ବ୍ୟବସ୍ଥା ହୋଇଛି । ବର୍ତ୍ତମାନ ରାଜଧାନୀରେ ଗଡୁଥିବା ଅଧିକାଂଶ ପିସିଆର ଗାଡି ପୁରୁଣା ଓ ଧତଡା ହୋଇଥିବାରୁ ଏତିକି ତେଲରେ ଜଗାରଖା କରିବା ଅତ୍ୟନ୍ତ ଦୁରୂହ ବ୍ୟାପାର । ଫଳରେ ଅଧିକାଂଶ ସମୟରେ ଦାୟିତ୍ୱରେ ଥିବା ବାବୁମାନେ ପିସିଆର ଗାଡିକୁ ରାସ୍ତା କଡରେ ରଖି ଛିଡା ହେଉଛନ୍ତି ।
ସେହିଭଳି ସହରରୁ ଗୁଇନ୍ଦା ସୂଚନା ସଂଗ୍ରହ ପାଇଁ କମିଶନରେଟ ପୁଲିସ୍ର କିଛି କର୍ମଚାରୀ ବି ରହିଛନ୍ତି । ଏମାନଙ୍କ ମୋଟର ସାଇକେଲ ପାଇଁ କର୍ତ୍ତୃପକ୍ଷ ପେଟ୍ରୋଲ ଯୋଗାଇ ଦେଉଛନ୍ତି । ହେଲେ ମିଳୁଛି ଦିନକୁ ହାରାହାରି ୩୫୦ ଗ୍ରାମ । ଅର୍ଥାତ୍ ମାସକୁ ୧୦ ଲିଟର ପେଟ୍ରୋଲ । ପୂର୍ବରୁ ମାସକୁ ୭ ଲିଟର ମିଳୁଥିବାବେଳେ ତାହା ଏବେ ବଢି ବଢି ୧୦ ଲିଟରରେ ପହଞ୍ଚିଛି । ଏତିକି ତେଲରେ ଏହି ଗୁଇନ୍ଦାମାନେ ଭୁବନେଶ୍ୱର ସହରରେ କିଭଳି ଚକ୍କର କାଟିବେ ତାହା ବଡ ପ୍ରଶ୍ନବାଚୀ ହୋଇଛି ।
ରାଜଧାନୀରେ ଏବେ ଚୋରି, ନିଶା କାରବାର, ଛିନ୍ତାଇ ଆଦି ପ୍ରାୟ ପ୍ରତିଦିନ ଘଟୁଥିବାବେଳେ ଏହାକୁ ନିୟନ୍ତ୍ରଣ ପୁଲିସ୍ ପାଇଁ ବଡ ଆହ୍ୱାନ । ଏଥିପାଇଁ କମିଶନରେଟ ପୁଲିସ୍ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକଙ୍କୁ ନେଇ ବୈଠକ କରାଯିବା ସହିତ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ପୁଲିସ୍ ସହାୟତା ଯୋଗାଇବ ବୋଲି ଦୃଢ ପ୍ରତିଶ୍ରୁତି ଦିଆଯାଉଛି । ହେଲେ ଏଭଳି ସ୍ଥିତିରେ କ୍ଷେତ୍ର ସ୍ତରରେ ମୁତୟନ ଥିବା ଗାଡି ଓ କର୍ମଚାରୀଙ୍କ ପାଇଁ ଏଭଳି ତେଲ ବ୍ୟବସ୍ଥା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଏଣେ ରାଜଧାନୀର ପରିସୀମା ବଢି ଚାଲିଥିବାରୁ ନିୟୋଜିତ ଗାଡି ଓ କର୍ମଚାରୀଙ୍କ କାର୍ଯ୍ୟ ପରିସୀମା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏଥି ସହିତ ପ୍ରତି କଥାରେ ପୁଲିସ୍ର ସହଯୋଗ ଖୋଜୁଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ମୁତୟନ ହୋଇଥିବା ପିସିଆରଗୁଡିକ ଆବଶ୍ୟକ ସ୍ଥଳେ ମରାମତି ଓ ଅଧିକ ତେଲ ବ୍ୟବସ୍ଥା ପାଇଁ ମତପ୍ରକାଶ ପାଉଛି । ସେହିଭଳି ପୁଲିସ୍ ବିଭାଗର ଆଖି କାନ ସାଜିଥିବା ଗୁଇନ୍ଦା ପୁଲିସଙ୍କ ପାଇଁ ଅଧିକ ତେଲ ସହିତ ଅନ୍ୟାନ୍ୟ ଭିତ୍ତିଭୂମି ଯୋଗାଇ ଦେବା ଆବଶ୍ୟକ ବୋଲି କୁହାଯାଉଛି । (ତଥ୍ୟ)