Home Education ଆଇଆଇଟି ଗୁଡିକ ଦେଶର ଗର୍ବ

ଆଇଆଇଟି ଗୁଡିକ ଦେଶର ଗର୍ବ

ନୂଆଦିଲ୍ଲୀ : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଦେଶର ଗର୍ବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କହିଛନ୍ତି । ଆଜି (ସେପ୍ଟେମ୍ବର୩, ୨୦୨୨) ନୂଆଦିଲ୍ଲୀଠାରେ ଆଇଆଇଟି ଦିଲ୍ଲୀର ହୀରକ ଜୟନ୍ତୀ ଉଦ୍ଯାପନ ସମାରୋହରେ ସେ ଏହା ପ୍ରକାଶ କରିଛନ୍ତି ।

ରାଷ୍ଟ୍ରପତି କହିଛନ୍ତି ଯେ ବିଶ୍ୱରେ ଆଇଆଇଟିଗୁଡିକ ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପାରଦର୍ଶିତାର ପ୍ରମାଣ ଦେଇଛନ୍ତି । ଅନ୍ୟପକ୍ଷରେ କହିବାକୁ ଗଲେ ଆଇଆଇଟି ଗୁଡିକର କାହାଣୀ ସ୍ୱାଧୀନ ଭାରତର କାହାଣୀ ପରି । ଆଇଆଇଟିଗୁଡିକର ଦେଶ ବିକାଶ ଦିଗରେ ଯଥେଷ୍ଟ ଅବଦାନ ରହିଛି ।

ଆଇଆଇଟିଗୁଡିକର ଶିକ୍ଷକ ଶିକ୍ଷୟିତ୍ରୀ ଓ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଗଣ ବିଶ୍ୱରେ ଆମ ମେଧାଶକ୍ତିର ପରିଚୟ ପ୍ରଦାନ କରିଛନ୍ତି । ଆଇଆଇଟି ଦିଲ୍ଳୀ ଓ ଅନ୍ୟାନ୍ୟ ଆଇଆଇଟି ଗୁଡିକରୁ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ବିଶ୍ୱକୁ ଆଚ୍ଛାଦିତ କରି ରଖିବା ସହ ଡିଜିଟାଲ ବିପ୍ଳବର ଅଗ୍ରଦୂତ ସାଜିଛନ୍ତି । ସର୍ବୋପରି ଆଇଆଇଟିଗୁଡିକର ପ୍ରଭାବ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଠାରୁ ମଧ୍ୟ ଆଗରେ ରହିଛି । ଆଇଆଇଟି ଗୁଡିକରେ ଅଧ୍ୟୟନ ଶେଷ କରିଥିବା ବିଦ୍ୟାର୍ଥୀଗଣ ଶିକ୍ଷା, ଶିଳ୍ପ, ଔଦ୍ୟୋଗିକତା, ନାଗରିକ ସମାଜ, ସାମ୍ବାଦିକତା, ସାହିତ୍ୟ ଓ ରାଜନୀତି ଭଳି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେଇଛନ୍ତି ।

ରାଷ୍ଟ୍ରପତି କହିଥିଲେ ଯେ ମୂଳ ଆଇଆଇଟି ବା ଆଇଆଇଟି ଦିଲ୍ଲୀ ସହ ଆଇଆଇଟି କ୍ଲବରେ ଯୋଗ ଦେଇଥିବା ନୂଆ ଆଇଆଇଟି ରୋପାର ଓ ଆଇଆଇଟି ଜମ୍ମୁ ଭଳି ପ୍ରତିଷ୍ଠାନକୁ ପୃଷ୍ଠପୋଷକତା ଦେଇଛି । ସେ ଦୃଷ୍ଟିରୁ ଆଇଆଇଟି ଦିଲ୍ଲୀର ସାରା ବିଶ୍ୱରେ ଆଇଆଇଟିଗୁଡିକକୁ ଉତ୍କର୍ଷର କେନ୍ଦ୍ରବିନ୍ଦୁ ଭାବେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ଶ୍ରୀମତୀ ମୁର୍ମୁ ପ୍ରକାଶ କରିଛନ୍ତି ।

ଆଇଆଇଟି ଦିଲ୍ଲୀକୁ ନେଇ ଖୁସି ପ୍ରକଟ କରି ରାଷ୍ଟ୍ରପତି କହିଛନ୍ତି ଯେ ଏହା ସମାଜରେ ଏକ ବୃହତ୍ତର ଅଙ୍ଗଭାବେ ସମାଜପ୍ରତି ଅତିରିକ୍ତ ସମ୍ବେଦନଶୀଳତା ପ୍ରଦର୍ଶନ କରିଆସିଛି । ବୈଶ୍ୱିକ ମହାମାରୀର ପ୍ରାରମ୍ଭରେ ଏହାର ସାମାଜିକ ଦାୟିତ୍ୱ ବୋଧକୁ ଏକ ଦୃଷ୍ଟାନ୍ତଭାବେ ନିଆଯାଇପାରେ ବୋଲି ସେ କହିଛନ୍ତି । ଭୂତାଣୁକୁ ନିୟନ୍ତ୍ରଣ କରିବା ପାଇଁ ଆଇଆଇଟି ଦିଲ୍ଲୀ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଓ ଗବେଷଣା ପାଇଁ ଲାଗିପଡିଥିଲା । ଏହା ର‌୍ୟାପିଡ୍ ଆଣ୍ଟିଜେନ ଟେଷ୍ଟ କିଟ୍, ପିପିଇ, ଆଣ୍ଟିମାଇକ୍ରୋ ବାୟଲ, ଫେବ୍ରିକ୍ସ, ଖୁବ୍ ଉପଯୋଗୀ ମୁଖା ଓ କମ୍ ବ୍ୟୟସାପେକ୍ଷ ଭେଣ୍ଟିଲେଟର ତିଆରିରେ ମନୋନିବେଶ କରିଥିଲା । ଭାରତରେ କରୋନା ଭୂତାଣୁ ପ୍ରତିରୋଧ ସଂଗ୍ରାମରେ ଆଇଆଇଟି ଦିଲ୍ଲୀର ଭୂମିକା କିପରି ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ମଧ୍ୟ ଜଟିଳ ଜନସ୍ୱାସ୍ଥ୍ୟ ପ୍ରତିକାର ଦିଗରେ କାର୍ଯ୍ୟ କରେ ତାହା ପ୍ରମାଣିତ କରିଛି ।

୨୦୪୭ରେ ଯେତେବେଳେ ଆମେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବା ସେତେବେଳକୁ ଆମର ବୈଶ୍ୱିକ ପରିବେଷ୍ଟନୀ ଅନେକ ପରିବର୍ତ୍ତିନ ହୋଇ ସାରିଥିବ ଓ ସେଥିପାଇଁ ଚତୁର୍ଥ ଶିଳ୍ପ ବିପ୍ଳବରେ ହିଁ ଏହାର ବାହକ ବୋଲି ରାଷ୍ଟ୍ରପତି କହିଛନ୍ତି । ଯେପରି ୨୫ବର୍ଷ ଆଗରୁ ଆମର ସମସାମୟିକ ବିଶ୍ୱ କିପରି ହେବ ଆମ କଳ୍ପନା ବାହାରେ ଥିଲା, ସେହିପରି କୃତ୍ରିମ ମେଧା ଓ ସ୍ୱୟଂକ୍ରିୟତା ଜୀବନରେ କ’ଣ ପରିବର୍ତ୍ତନ ଆଣିବ ତାହା ଆମେ ଅନୁମାନ କରିପାରିବା ନାହିଁ । ଆମର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ବିଚାର କରି ଆମକୁ ଦୂରଦୃଷ୍ଟି ସମ୍ପନ୍ନ ହୋଇ ଭବିଷ୍ୟତ ନିମନ୍ତେ ରଣନୀତି ପ୍ରସ୍ତୁତ କରିବାକୁ ପଡିବ । କର୍ମନିଯୁକ୍ତିର ଧାରା ସମ୍ପୂର୍ଣ୍ଣଭାବେ ପରିବର୍ତ୍ତିତ ହୋଇଯିବ ।

ରାଷ୍ଟ୍ରପତି କହିଥିଲେ ଯେ ଆମେ ଯଦି ଭବିଷ୍ୟତରେ ଅନିୟମିତତାରୁ ନିଜକୁ ରକ୍ଷା କରିବା ପାଇଁ ପଦକ୍ଷେପ ନେବା, ତେବେ ତାହା ଜନକଲ୍ୟାଣରେ ସହାୟକ ହେବ । ଆମକୁ ଆମର ଅନୁଷ୍ଠାନଗୁଡିକୁ ଭବିଷ୍ୟତର ମୁକାବିଲା ପାଇଁ ଦକ୍ଷ କରିବାକୁ ପଡିବ । ଏଥି ପାଇଁ ଶିକ୍ଷାଦାନ ଓ ଶିକ୍ଷାପ୍ରାପ୍ତି କ୍ଷେତ୍ରରେ ନୂତନ ସମୀକରଣର ଆବଶ୍ୟକ । ଭବିଷ୍ୟତକୁ ଆଖିଆଗରେ ରଖି ଶିକ୍ଷା ବିଜ୍ଞାନ ଓ ବିଷୟବସ୍ତୁ ନିର୍ଦ୍ଧାରଣ କରିବାକୁ ପଡିବ । ଏହିସବୁ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଆମର ସମୃଦ୍ଧ ଆଇଆଇଟିଗୁଡିକ ଆବଶ୍ୟକ ଜ୍ଞାନ ସହ ଯୁବାପୀଢିକୁ ଗଠନ କରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।

ଜଳବାୟୁ ପରିବର୍ତ୍ତିନ ଏକ ଗୁରୁତର ଆହ୍ୱାନ ସୃଷ୍ଟି କରୁଥିବାବେଳେ ଆମ ଭଳି ଜନବହୁଳ ଓ ବିକାଶଶୀଳ ଦେଶରେ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଆମର ଶକ୍ତିର ଆବଶ୍ୟକତା ଖୁବ୍ ଅଧିକ ବୋଲି ରାଷ୍ଟ୍ରପତି କହିଥିଲେ । ସେଥିପାଇଁ ଆମକୁ ଜୀବାଶ୍ମ ଇନ୍ଧନରୁ ବିକଳ୍ପ ଶକ୍ତି ଆଡକୁ ଅଗ୍ରସର ହେବାକୁ ପଡିବ । ଆଗାମୀ ଦିନରେ ପରିବେଶଭିତ୍ତିକ ଆହ୍ୱାନର ମୁକାବିଲା ନିମନ୍ତେ ସମଗ୍ର ବିଶ୍ୱ ତରବରିଆ ଭାବେ ପ୍ରଯୁକ୍ତିଗତ ସମାଧାନ ପ୍ରତି ଧ୍ୟାନ କେନ୍ଦ୍ରିତ କରୁଥିବାବେଳେ ଭାରତର ଯୁବ ଯନ୍ତ୍ରୀ ଓ ବିଜ୍ଞାନୀ ମାନବଜାତିକୁ ଏଥିରେ ରକ୍ଷା କରିବ ବୋଲି ତାଙ୍କର ବିଶ୍ୱାସ ଥିବା ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରକାଶ କରିଥିଲେ ।