Home Environment ବର୍ଷକୁ ବାହାରୁଛି ୨ଲକ୍ଷ ଟନ୍‍ ପ୍ଲାଷ୍ଟିକ ବର୍ଜ୍ୟ

ବର୍ଷକୁ ବାହାରୁଛି ୨ଲକ୍ଷ ଟନ୍‍ ପ୍ଲାଷ୍ଟିକ ବର୍ଜ୍ୟ

ଭୁବନେଶ୍ୱର : ରାଜ୍ୟରୁ ବର୍ଷକୁ ପ୍ରାୟ ୨ଲକ୍ଷ ମେଟ୍ରିକ ଟନ୍‍ ପ୍ଲାଷ୍ଟିକ ବର୍ଜ୍ୟ ବାହାରୁଛି । ଏହି ବିପୁଳ ପରିମାଣର ପ୍ଲାଷ୍ଟିକ ବର୍ଜ୍ୟକୁ କିଭଳି ବିଘଟନ କରାଯିବ ତାହା କର୍ତ୍ତୃପକ୍ଷ ପାଇଁ ଚିନ୍ତାର କାରଣ ପାଲଟିଲାଣି ।

ସରକାରୀ ଆକଳନ ଅନୁଯାୟୀ ଓଡିଶାରୁ ଦୈନିକ ପ୍ରାୟ ୫୩୦ ଟନ୍‍ ପ୍ଲାଷ୍ଟିକ ବର୍ଜ୍ୟ ବାହାରୁଛି । ଜାତୀୟ ସ୍ତରରେ ଏହା ଦୈନିକ ୧୦ହଜାର ଟନ୍‍ ରହୁଛି । ଓଡିଶାରୁ ଏତେ ବିପୁଳ ପରିମାଣର ପ୍ଲାଷ୍ଟିକ ବର୍ଜ୍ୟ ବାହାରୁଥିବାବେଳେ ମାତ୍ର ୯ଟି ପ୍ଲାଷ୍ଟିକ ବର୍ଜ୍ୟ ବିଘଟନ କେନ୍ଦ୍ର ରହିଛି । ତେବେ କାରଖାନାଗୁଡିକରୁ ବାହାରୁଥିବା ପ୍ଲାଷ୍ଟିକକୁ ପୁନଃ ବ୍ୟବହାରଯୋଗ୍ୟ କରିବା କର୍ତ୍ତୃପକ୍ଷଙ୍କ ପାଇଁ ସମସ୍ୟା ହୋଇଛି ।

ଏହାକୁ ଦୃଷ୍ଟିରେ ରଖି ସଡକ ନିର୍ମାଣ କାର୍ଯ୍ୟରେ ଅଧିକରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ବ୍ୟବହାର ଲାଗି ରାଜ୍ୟ ସରକାର ସ୍ଥିର କରିଛନ୍ତି । ଯାହାକି ପରିବେଶକୁ ଏହି ବିପଦପୂର୍ଣ୍ଣ ପ୍ଲାଷ୍ଟିକ କବଳରୁ ରକ୍ଷା କରିପାରିବ । ତେଣୁ ବିଭିନ୍ନ ସଡକ ଓ ରାଜପଥଗୁଡିକ ନିର୍ମାଣରେ ପ୍ଲାଷ୍ଟିକ ବର୍ଜ୍ୟ ବ୍ୟବହାର ଲାଗି ରୋଡମ୍ୟାପ ପ୍ରସ୍ତୁତ ହେଉଥିବା ଜଣାଯାଇଛି । ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ଓ ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷେଧ ପାଇଁ ରାଜ୍ୟ ସରକାର ଗ୍ରହଣ କରୁଥିବା ପଦକ୍ଷେପ ଲାଗି ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ ସମନ୍ୱୟ ରକ୍ଷା କରୁଛନ୍ତି ।

ପାଞ୍ଚ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରାଞ୍ଚଳର ୫୦ କିଲୋମିଟର ପରିଧି ମଧ୍ୟରେ ଥିବା ଜାତୀୟ ରାଜପଥକୁ ସଂଯୋଗ ସଡକ ନିର୍ମାଣରେ ପ୍ଲାଷ୍ଟିକ ବର୍ଜ୍ୟ ବ୍ୟବହାର ଲାଗି କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରାଳୟ ମାର୍ଗଦର୍ଶିକା ଜାରି କରିଥିବାବେଳେ ରାଜ୍ୟ ସରକାର ମଧ୍ୟ ଏହି ମର୍ମରେ ପଦକ୍ଷେପ ଗ୍ରହଣ କରୁଥିବା ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ବର୍ତ୍ତମାନ ରାଜ୍ୟରୁ ଦୈନିକ ପ୍ରାୟ ୫୩୦ ମେଟ୍ରିକ ଟନ୍‍ ପ୍ଲାଷ୍ଟିକ ବର୍ଜ୍ୟ ବାହାରୁଥିବାବେଳେ ଭବିଷ୍ୟତରେ ଏହି ପରିମାଣ ବହୁଗୁଣିତ ହେବାର ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଓ ଏହାକୁ ପୁନଃ ବ୍ୟବହାରଯୋଗ୍ୟ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ତେବେ ରାଜ୍ୟରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ପରିମାଣ ବୃଦ୍ଧି ପାଇବା ସହିତ ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ଏହା ଆହ୍ୱାନ ହୋଇଛି । ଏହି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ମୃତ୍ତିକାରେ ମିଶି ଉଭୟ ଜଳ ଓ ବାୟୁ ପ୍ରଦୂଷିତ କରିବା ସହିତ ଜୀବଜନ୍ତୁଙ୍କ ମୃତ୍ୟୁର କାରଣ ପାଲଟୁଛି । ଏହାଦ୍ୱାରା ମଧ୍ୟ ଫସଲ ଅମଳ ପ୍ରଭାବିତ ହେଉଛି ।

ସହରାଞ୍ଚଳରେ ଏଭଳି ପ୍ଲାଷ୍ଟିକ ଯୋଗୁଁ ନାଳ ନର୍ଦ୍ଦମା ଜାମ୍‍ ହେବା ସହିତ ବର୍ଷାଦିନେ ବନ୍ୟା ଭଳି ସ୍ଥିତି ଉପୁଜୁଛି । ଇତି ମଧ୍ୟରେ ରାଜ୍ୟ ସରକାର ଜିଲ୍ଲାପାଳ ଓ ଡିଏଫ୍‍ଓମାନଙ୍କୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷିଦ୍ଧ ଦିଗରେ ପଦକ୍ଷେପ ଗ୍ରହଣ କରିବା ସହିତ ଏ ସଂକ୍ରାନ୍ତରେ ସରକାରଙ୍କୁ ପ୍ରତିମାନ ରିପୋର୍ଟ ଦେବାପାଇଁ କହିଛନ୍ତି । ଏଥିପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ ସହିତ ସମୟ ଧାର୍ଯ୍ୟ ପାଇଁ କୁହାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିକଟରେ ଏ ସଂକ୍ରାନ୍ତରେ ସମୀକ୍ଷା କରି ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । (ତଥ୍ୟ)