ଭୁବନେଶ୍ୱର : ରାଜ୍ୟରେ ଡାଲି ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପନ୍ଦର ଦିନ ମଧ୍ୟରେ ହରଡ ଡାଲି କିଲୋ ପ୍ରତି ୨୦ ଟଙ୍କା ବୃଦ୍ଧି ପାଇଲାଣି । ହରଡ ସହିତ ତାଳ ଦେଇ ମୁଗ, ବୁଟ, ମସୁର ଆଦି ଡାଲର ଦର ବି ବଢୁଛି । ତେବେ ରାଜ୍ୟରେ ଡାଲିର ଆବଶ୍ୟକ ତୁଳନାରେ ଉତ୍ପାଦନ ପାଖାପାଖି ରହୁଥିବାବେଳେ ଓଡିଶାରୁ ଉତ୍ପାଦିତ ଡାଲି କୁଆଡେ ଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କଲାଣି ।
ସରକାରୀ ଆକଳନ ଅନୁଯାୟୀ ଆମ ରାଜ୍ୟରେ ବାର୍ଷିକ ଡାଲି ଆବଶ୍ୟକ ହେଉଛି ୧୨ଲକ୍ଷ ୧ହଜାର ମେଟ୍ରିକ ଟନ୍ । ୨୦୨୧-୨୨ ବର୍ଷରେ ରାଜ୍ୟରେ ଉତ୍ପାଦିତ ହୋଇଛି ୧୧ଲକ୍ଷ ୬୬ହଜାର ମେଟ୍ରିକ ଟନ୍ । ଏହା ଆବଶ୍ୟକତାର ପ୍ରାୟ ପାଖାପାଖି ରହିଛି । ଗତବର୍ଷ ଉତ୍ପାଦିତ ହୋଇଥିବା ଡାଲିଜାତୀୟ ଶସ୍ୟ ମଧ୍ୟରେ ୧,୪୧,୨୦୦ ଟନ୍ ହରଡ ଥିବାବେଳେ ମୁଗ ପରିମାଣ ୪,୪୭,୦୪୦ ଟନ୍, କୋଳଥ ୧,୦୫,୧୧୦ ଟନ୍, ବୁଟ ୩୯ହଜାର ଟନ୍, ମସୁର ୭୯୫୦ ଟନ୍ ଓ ଅନ୍ୟାନ୍ୟ ଡାଲି ଉତ୍ପାଦନ ପରିମାଣ ୧,୪୭,୫୬୦ ଟନ୍ ରହିଥିଲା ।
ଏତେ ପରିମାଣର ଡାଲି ଉତ୍ପାଦନ ସତ୍ୱେ ବି ଓଡିଶାର ଖାଉଟିମାନେ ବର୍ଷ ତମାମ ଡାଲି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ରାଜ୍ୟରେ ହରଡଡାଲିର ଚାହିଦା ଅଧିକ ରହୁଥିବାରୁ ପ୍ରତିଦିନ ଟନ ଟନ୍ ଡାଲି ଆମଦାନୀ ହେଉଛି । ହରଡ ଡାଲିର ଦର ପନ୍ଦର ଦିନ ତଳେ ଶହେ ଟଙ୍କା ମଧ୍ୟରେ ଥିବାବେଳେ ଏବେ ତାହା କିଲୋ ପ୍ରତି ୧୨୦ ଟଙ୍କାକୁ ଟପି ଯାଇଛି । ଆଗାମୀ ଦିନରେ ଆହୁରି ବଢିବ ବୋଲି ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି ।
ତେବେ ରାଜ୍ୟରୁ ଉତ୍ପାଦିତ ଡାଲି ଅମଳ ସମୟରେ ଅନ୍ୟ ରାଜ୍ୟକୁ ଚାଲି ଯାଉଛି । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଡାଲି ପ୍ରକ୍ରିୟାକରଣ ଶିଳ୍ପ ନଥିବାରୁ ରାଜ୍ୟ ବାହାରର ବ୍ୟବସାୟୀମାନେ ଅମଳ ସମୟରେ ଅତି ଶସ୍ତା ଦରରେ ଓଡିଶାରୁ ଡାଲି ଖରିଦ କରିନେଇ ତାହାକୁ ପ୍ରକ୍ରିୟାକରଣ କରି ଚଢା ଦରରେ ଓଡିଶା ବଜାରକୁ ଛାଡୁଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଓଡିଶାର ଡାଲି ବଜାରକୁ ରାଜ୍ୟ ବାହାରର ବ୍ୟବସାୟୀମାନେ ପୂରାପୂରି ନିୟନ୍ତ୍ରଣ କରୁଛନ୍ତି ।
ତେବେ ଡାଲି କ୍ଷେତ୍ରରେ ରାଜ୍ୟକୁ ଆତ୍ମନିର୍ଭରଶୀଳ ଲାଗି ଜାତୀୟ ଖାଦ୍ୟ ନିରାପତ୍ତା ମିଶନ-ଡାଲି ଯୋଜନା ମାଧ୍ୟରେ ଅମଳ ବଢାଇବାପାଇଁ ଉନ୍ନତମାନର ବିହନ ଓ ବୈଜ୍ଞାନିକ ଚାଷ ପ୍ରଣାଳୀ ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି । ଏହାଛଡା ଡାଲି ଚାଷ ପାଇଁ ୫୦ ପ୍ରତିଶତ ରିହାତିରେ କୀଟନାଶକ, ତୃଣ ନାଶକ, ଜୈବିକଖତ, ଔଷଧ ସିଞ୍ଚନ ଯନ୍ତ୍ର ଓ ଫୁଆରା ଜଳସେଚନ ଆଦି ଯୋଗାଇ ଦିଆଯାଉଛି । ଏହା ସତ୍ୱେ ବି ଓଡିଶା ଡାଲି ପାଇଁ ବର୍ଷ ସାରା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେଉଛି ।
ରାଜ୍ୟରେ ଏବେ ଡାଲିର ଦର ଯେଭଳି ହୁ ହୁ ଭାବରେ ବଢିବାରେ ଲାଗିଛି ତାହାକୁ ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନରେ ଲୋକଙ୍କ ଭାତ ଥାଳିରୁ ଡାଲି ଉଭାନ ହେବା ସହିତ ରାଜ୍ୟର ବିଦ୍ୟାଳୟଗୁଡିକରେ ଚାଲୁଥିବା ମଧ୍ୟାହ୍ନ ଭୋଜନ ଡାଲିରେ ଅଧିକ ପାଣି ପଶିବ ବୋଲି ଆଶଙ୍କା କରାଗଲାଣି । (ତଥ୍ୟ)