Home Health ସଙ୍କୁଚିତ ଶିଶୁୱାର୍ଡରେ କଅଁଳ ପିଲା ଛଟପଟ

ସଙ୍କୁଚିତ ଶିଶୁୱାର୍ଡରେ କଅଁଳ ପିଲା ଛଟପଟ

ଭୁବନେଶ୍ୱର : ଶିଶୁ ୱାର୍ଡକୁ ଚିକିତ୍ସାପାଇଁ ଆସୁଥିବା କଅଁଳ ପିଲାମାନେ କଲବଲ ହେଉଛନ୍ତି । କିଏ ଗରମରେ ଛଟପଟ ହେଉଛି ତ ଆଉ କିଏ ମାଳ ମାଳ ଜୋତା ଚପଲ ଭିତରେ ତଳେ ପଡି ସଂକ୍ରମଣକୁ ଡାକୁଛି ।

ଏଭଳି ଦୃଶ୍ୟ ଖୋଦ୍‍ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଥିବା ଶିଶୁ ଚିକିତ୍ସା କେନ୍ଦ୍ରର । ୨୦୦୩ ମସିହାରେ ଇନ୍‍ଫୋସିସ୍‍ ସହାୟତାରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ପ୍ରତିଷ୍ଠା ହୋଇଛି ଏହି ଡାକ୍ତରଖାନା । ଏଠାକୁ ରାଜଧାନୀ ସମେତ ପୁରୀ, ଖୋରଧା ଆଦି ଜିଲ୍ଲାରୁ ଶିଶୁମାନେ ଚିକିତ୍ସା ପାଇଁ ଆସୁଛନ୍ତି । ଦିନକୁ ଦିନ ଶିଶୁରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ପ୍ରତିଷ୍ଠା ହୋଇଥିବା ଡାକ୍ତରଖାନାରେ କିନ୍ତୁ ସ୍ଥାନ ସଙ୍କୁଚିତ ହେବାରେ ଲାଗିଛି । ଫଳରେ ବାୟୁ ଚଳାଚଳରେ ବାଧା ସହିତ ସ୍ଥାନାଭାବରୁ ଶିଶୁମାନେ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି ।

ଏଠାରେ ସ୍ଥାନାଭାବର ମୁଖ୍ୟ କାରଣ ହେଲା ଡାକ୍ତରଖାନା କର୍ତ୍ତୃପକ୍ଷ ଏଠାରେ ନବଜାତକଙ୍କ ପାଇଁ ଏସ୍‍ଏନ୍‍ୟୁ, ଦୁଗ୍ଧ ବ୍ୟାଙ୍କ୍‍, ନବଜାତକଙ୍କ ନାସା, କର୍ଣ୍ଣ ଆଦି ପରୀକ୍ଷା ୟୁନିଟ୍‍ ଖୋଲିବାରେ ଲାଗିଛନ୍ତି । ବିଶେଷଜ୍ଞଙ୍କ ମତରେ ଏହିସବୁ ୟୁନିଟ୍‍ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଖୋଲିବା କଥା । ହେଲେ ତାହା ନକରି ଡାକ୍ତରଖାନା କର୍ତ୍ତୃପକ୍ଷ ଶିଶୁ ଚିକିତ୍ସା ପାଇଁ ଥିବା ସୌଧକୁ ଏଥିପାଇଁ ବ୍ୟବହାର କରୁଛନ୍ତି ।

ଯେଉଁ ଶିଶୁମାନଙ୍କୁ ଏସ୍‍ଏନୟୁରେ ରଖିବାକୁ ପଡୁଛି ସେମାନଙ୍କୁ ନିକଟରେ ଥିବା ସ୍ତ୍ରୀ ଓ ପ୍ରସୂତୀ ସୌଧରୁ ଏଠାକୁ ମା ଠାରୁ ଅଲଗା କରି ଆଣିବାକୁ ପଡୁଛି । ବହୁ ସମୟରେ ପ୍ରସୂତୀମାନେ ବହୁ କଷ୍ଟରେ ଏଠାକୁ ଆସି ପିଲାଙ୍କୁ କ୍ଷୀର ପିଆଉଛନ୍ତି । ସେହିଭଳି ଯେଉଁ ନବଜାତକଙ୍କୁ ଦୁଗ୍ଧବ୍ୟାଙ୍କ୍‍ରୁ କ୍ଷୀର ଦେବାକୁ ପଡୁଛି ସେମାନଙ୍କୁ ମଧ୍ୟ ଏଠାକୁ ଆଣିବାକୁ ହେଉଛି । ଫଳରେ ଉଭୟ ନବଜାତକ ଓ ପ୍ରସୂତୀମାନେ ଏ କୋଠାରୁ ସେ କୋଠା ଧାଁ ଦଉଡ କରୁଛନ୍ତି । ଏଥିଯୋଗୁଁ କେତେକ ସମୟରେ ପ୍ରସୂତୀମାନେ ହାର୍ଣ୍ଣିଆ ଭଳି ଯନ୍ତ୍ରଣାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

ଶିଶୁ ରୋଗ ଚିକିତ୍ସା ସୌଧରେ ଏସ୍‍ଏନ୍‍ୟୁ ଖୋଲିବା ସହିତ ସେଠାରେ ଡାକ୍ତର ଓ ସେବିକାଙ୍କ ଚାମ୍ବର ସହିତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବସାଯାଉଛି । ଫଳରେ ଦିନକୁ ଦିନ ସ୍ଥାନ ସଙ୍କୁଚିତ ହେଉଛି । କର୍ତ୍ତୃପକ୍ଷ ଏହି ସୌଧରେ ନୂଆ ୟୁନିଟ୍‍ ଖୋଲିବା ପାଇଁ ବିଭିନ୍ନ ସ୍ଥାନରେ ପ୍ଲାଇ ଓ କାଚ ଲଗାଇବା ଦ୍ୱାରା ବାୟୁ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେଉଛି । ଫଳରେ ଚିକିତ୍ସିତ ହେଉଥିବା ପିଲାମାନେ ଦିନ ବେଳା କୌଣସି ପ୍ରକାରେ ରହିଯାଉଥିବାବେଳେ ସଞ୍ଜ ହେଲେ ମଶା ଦାଉରୁ ରକ୍ଷାପାଇଁ ଝରକା ସବୁ ବନ୍ଦ ହେବାପରେ ଗରମରେ ଆଉଟୁ ପାଉଟୁ ହେଉଛନ୍ତି । ଅଧିକାଂଶ ପିଲାଙ୍କୁ ବାପ ମା’ ମାନେ କାନ୍ଧରେ ପକାଇ ଡାକ୍ତରଖାନା ବାହାରେ ବୁଲୁଥିବା ଲକ୍ଷ୍ୟ କରାଯାଉଛି ।

ଡାକ୍ତର, ନର୍ସମାନେ ଶୀତତାପ ନିୟନ୍ତ୍ରିତ କୋଠରୀରେ ରହୁଥିବାବେଳେ ଚିକିତ୍ସାଧିନ କଅଁଳ ପିଲାମାନେ କିଭଳି ଗରମରେ ଛଟପଟ ହେଉଛନ୍ତି ତାହା ନଦେଖିଲେ ବିଶ୍ୱାସ କରିହେବ ନାହିଁ । ସେହିଭଳି ତଳେ ପଡି ଚିକିତ୍ସିତ ହେଉଥିବା ପିଲାଙ୍କ ଚାରିପଟେ ଚପଲ ଓ ଜୋତା ମାଳ ମାଳ ଗଦହୋଇ ରହୁଛି । ଏଠାରେ ଭଲ ପିଲା ମଧ୍ୟ ସଂକ୍ରମିତ ହୋଇଯିବେ ବୋଲି କିଛି କର୍ମଚାରୀ ମତ ଦେଉଛନ୍ତି ।

ତେଣୁ ଇନ୍‍ଫୋସିସ୍‍ ସହାୟତାରେ ପ୍ରତିଷ୍ଠା ହୋଇଥିବା ଏହି ଶିଶୁ ଚିକିତ୍ସା ସୌଧରେ କେବଳ ଶିଶୁମାନଙ୍କ ଚିକିତ୍ସା ସହିତ ଅନ୍ୟସବୁ ୟୁନିଟ୍‍କୁ ସ୍ତ୍ରୀ ଓ ପ୍ରସୂତୀ ସୌଧକୁ ଉଠାଇନେବାକୁ ମତପ୍ରକାଶ ପାଉଛି । ସେହିଭଳି ଶିଶୁ ୱାର୍ଡଗୁଡିକୁ ଶୀତତାପ ନିୟନ୍ତ୍ରିତ କରିବାକୁ ମଧ୍ୟ ଚିକିତ୍ସାଧିନ ପିଲାଙ୍କ ଅଭିଭାବକମାନେ ମତ ଦେଉଛନ୍ତି । ଏଥି ସହିତ ସଂକ୍ରମଣ ଠାରୁ ପିଲାଙ୍କୁ ଦୂରେଇ ରଖିବାପାଇଁ ଜୋତା ଚପଲ ଯେଭଳି ୱାର୍ଡକୁ ନଯିବ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । (ତଥ୍ୟ)