ଭୁବନେଶ୍ୱର : ମହାନଦୀର ଶାଖା ଲୁଣା, ଚିତ୍ରୋତ୍ପଳା, କରାଣ୍ଡିଆ ଓ ପାଇକା ନଦୀରେ ବନ୍ୟା ଜଳସ୍ତର ହ୍ରାସ ପାଉଛି । ବନ୍ୟାଂଚଳରୁ ପାଣି କିନ୍ତୁ କମିନାହିଁ । ରାଜ୍ୟ ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗତ କାଲି ମାର୍ଶାଘାଇ ଓ ମହାକାଳପଡା ବ୍ଲକର ବନ୍ୟା ପରବର୍ତୀ ସ୍ଥିତି ସଂପର୍କରେ ବିଭାଗୀୟ ଅଧୀକାରୀମାନଙ୍କୁ ନେଇ ଏକ ସମୀକ୍ଷା କରିଥିଲେ ।
ଉପରୋକ୍ତ ଦୁଇ ବ୍ଲକର କୈାଣସି ସ୍ଥାନରେ ନଦୀ ବନ୍ଧରେ ଘାଇ ହୋଇନଥିବା ବେଳେ କେବଳ ଘେରିବନ୍ଧଗୁଡିକରେ ଘାଇ ହୋଇଥିବା ଅଭିଯୋଗ ହୋଇଥିଲା । ଦୀର୍ଘ ଦଶ ବର୍ଷ ଧରି ବନ୍ୟା ନହେବା ଓ ଏସବୁ ମରାମତି ହୋଇନଥିବାରୁ ଏପରି ସ୍ଥିତି ଉପୁଜିଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଖାଲିସେତିକି ନୁହେଁ, ଲୁଣା ଚିତ୍ରୋତ୍ପଳାର ସଂଗମସ୍ଥଳ ନିକଟବର୍ତୀ ନାରଣପୁରଠାରେ ଥିବା ମାଛମରା ସ୍କୁଇସ ଗେଟ ଦେଇ ଅବାଧରେ ବନ୍ୟାଜଳ ପ୍ରବେଶ କରିବା ଉପରେ ମନ୍ତ୍ରୀ ଶ୍ରୀ ନାୟକ ଅସନ୍ତୋଷ ପ୍ରକାଶ କରିଥିଲେ ।
ବନ୍ୟାଜଳ ତଥା ଜଳ ନିଷ୍କାସନ ଅଭାବରୁ ଉଦବୃତ ଜଳରେ ଉଜୁଡି ଯାଇଥିବା ଖରିଫ ଧାନ ତଥା ଅଣଧାନ ଫସଲର କ୍ଷୟକ୍ଷତିର ସଠିକ ତଥା ତୁରନ୍ତ ଆକଳନ ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାସ୍ତାଘାଟର ମରାମତି ଉପରେ ଆଲୋଚନା ରଖି ଜଳସେଚନ, ଗ୍ରାମ୍ୟଉନ୍ନୟନ, ପୂର୍ତ ଏବଂ ଜଳ ସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ତଥା ସହକାରୀ ଯନ୍ତ୍ରୀମାନଙ୍କୁ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି ।
ସେହିପରି ଆଖୁଆ-ବଉଳାଙ୍ଗ ଓ ବଉଳାଙ୍ଗ-ମେହେନ୍ଦିନଗର ଗଡାପର୍ଯ୍ୟନ୍ତ ରାସ୍ତା, ମାଣିକପୁର-ନଛିପଡା ଓ ନଛିପଡାରୁ ରାମଚନ୍ଦ୍ରପୁର, ପାଇଲୋରୁ ପୋତାରୀ, ବେରୁହାଁରୁ ମଧୁସୂଦନପୁର ରାସ୍ତା ମରାମତି ଉପରେ ରିପୋର୍ଟ ଦେବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ମହାକାଳପଡା ବ୍ଲକର ବିଭିନ୍ନ ରାସ୍ତା ସମସ୍ୟା ସୁଧୁରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ମହାକାଳପଡା ଠାରେ ଆର୍ସେଲର ମିତଲ ଦ୍ୱାରା ପ୍ରତିଷ୍ଠା ହେବାକୁ ଯାଉଥିବା ମେଗା ଷ୍ଟିଲପ୍ଲାଂଟ ପ୍ରକଳ୍ପ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଭିତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ବୃହତ୍ ଇସ୍ପାତ କାରଖାନା ପ୍ରକଳ୍ପ ପାଇଁ ମାର୍ଶାଘାଇ ଜାତୀୟ ରାଜପଥ-ମହାକାଳପଡା ଆଖଡାଶାଳ ପର୍ଯ୍ୟନ୍ତ ୪ଥାକିଆ ରାସ୍ତା ନିର୍ମାଣକାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ପୂର୍ତବିଭାଗ ପଦସ୍ଥ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବନ୍ୟାପରବର୍ତୀ ସମୟରେ ରାସ୍ତାଘାଟ , ବିଦ୍ୟୁତ ସରବରାହ ବ୍ୟବସ୍ଥା ସାମନ୍ୟ କରିବା ସହିତ ବିପନ୍ନମାନଙ୍କୁ ସହାୟତା ପ୍ରଦାନ କରିବାରେ କୌଣସିପ୍ରକାର ଅବହେଳା ନକରିବାକୁ ସତର୍କ କରିଦେଇଛନ୍ତି ଦେଇଛନ୍ତି ।
ସମୀକ୍ଷା ବୈଠକରେ ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାମଲ ବିଡିଓ , ତହସିଲଦାର. ମହାକାଳପଡା ବିଡିଓ , ତହସିଲଦାର, ମାର୍ଶାଘାଇ ଜଳସେଚନ ନିର୍ବାହୀ ଯନ୍ତ୍ରୀ , କେନ୍ଦ୍ରପଡା ପୂର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ , ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ର. ସହକାରୀ ନିର୍ବାହୀ ଯନ୍ତ୍ରୀ , ନର୍ଥ ଡିଭିଜନର ନିର୍ବାହୀ ଯନ୍ତ୍ରୀ , ମାର୍ଶାଘାଇ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ସମେତ ସମସ୍ତ ଲାଇନ ଡିପାର୍ଟମେଂଟର ଅଧିକାରୀମାନେ ଉପସ୍ଥିତ ଥିଲେ ।