Home Education ଘରୋଇ ଶିକ୍ଷାନୁଷ୍ଠାନ ହାତରେ ଏକାଧିକ ଟେଲିଫୋନ୍‍ ନମ୍ବର

ଘରୋଇ ଶିକ୍ଷାନୁଷ୍ଠାନ ହାତରେ ଏକାଧିକ ଟେଲିଫୋନ୍‍ ନମ୍ବର

ଭୁବନେଶ୍ୱର : ମାଟ୍ରିକ ପାଶ୍‍ କରିଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ଟେଲିଫୋନ୍‍ ନମ୍ବର ଓ ଠିକଣା ଆଦି ଏବେ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ହାତରେ । ପ୍ରତିଦିନ ହଜାର ହଜାର ଛାତ୍ରଛାତ୍ରୀଙ୍କ ନିକଟକୁ ଫୋନ କରି ସେମାନଙ୍କୁ ବିଭିନ୍ନ ପ୍ରକାରେ ପ୍ରଲୋଭିତ କରିବା ସହିତ ଆୟୋଜିତ ସେମିନାରେ ଆସି ଯୋଗଦେବାକୁ କହୁଛନ୍ତି । ତେବେ ଏତେ ବିପୁଳ ସଂଖ୍ୟକ ଟେଲିଫୋନ୍‍ ନମ୍ବର କିଭଳି ଶିକ୍ଷାନୁଷ୍ଠାନମାନେ ହାତଉଛନ୍ତି ତାହା ଚର୍ଚ୍ଚାର ବିଷୟ ହୋଇଛି ।

ରାଜ୍ୟରେ ଥିବା ଅନେକ ପ୍ରବନ୍ଧନ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଏବେ ମାଟ୍ରିକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଅନୁଷ୍ଠାନକୁ ଆଣିବାପାଇଁ ଅଭିନବ ଯୋଜନା କରିଛନ୍ତି । ସମ୍ପୃକ୍ତ ଛାତ୍ରଛାତ୍ରୀ କିମ୍ବା ସେମାନଙ୍କ ଅଭିଭାବକଙ୍କ ନିକଟକୁ ଫୋନ୍‍ କରି ପ୍ରଥମେ ତାଙ୍କ ଅନୁଷ୍ଠାନଟି କେନ୍ଦ୍ର ସରକାରଙ୍କ ଅଧିନରେ ଥିବା କହୁଛନ୍ତି । ଯଦି କୌଣସି ବ୍ୟକ୍ତି ଅଧିକ ଖୋଳତାଡ କରୁଛନ୍ତି ତେବେ ଘରୋଇ ସଂସ୍ଥାର ନାମ ପ୍ରକାଶ କରୁଛନ୍ତି ।

ତେବେ ତାଙ୍କ ସଂସ୍ଥା ତରଫରୁ ହୋଇଥିବା ଚୟନ ପ୍ରକ୍ରିୟାରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ବଛାଯାଇଛି । ଏଥିପାଇଁ ଶିକ୍ଷାନୁଷ୍ଠାନ ତରଫରୁ ଏକ ସ୍ଥାନରେ ସେମିନାର ଆୟୋଜନ ହେଉଛି ଓ ଏଥିରେ ଅଭିଭାବକଙ୍କ ସହ ପିଲାମାନେ ଆସିବାକୁ କୁହାଯାଉଛି । ଫୋନ୍‍ କରିଥିବା ବ୍ୟକ୍ତି ଏଭଳି ଢଙ୍ଗରେ ବୁଝାଉଛନ୍ତି ଯେ ଯେଭଳି ପିଲାଟି ଗୋଟିଏ କେନ୍ଦ୍ରୀୟ ସଂସ୍ଥା ଅଧିନରେ ପାଠ ପଢିବ ।

ତେବେ ଏଭଳି ଫୋନ୍‍ କଲ୍‍ ପାଇ ଅନେକ ପିତାମାତା ପିଲାଙ୍କ ଭବିଷ୍ୟତ ଦୃଷ୍ଟିରୁ ଦିଆଯାଇଥିବା ସମୟ ଓ ସ୍ଥାନରେ ପହଞ୍ଚୁଛନ୍ତି । ସେଠାରେ ପହଞ୍ଚିବା ପରେ ଫୋନ୍‍ କରିଥିବା ସଂସ୍ଥା ତରଫରୁ ଆରମ୍ଭ ହୋଇଯାଉଛି ବୁଝାଇବା । ଏଠାରେ ପଢିଲେ ପିଲା କିଭଳି ଆଗକୁ ବଢିବ, ଚାକିରି ପାଇବ ଆଦି କୁହାଯାଉଛି । ଯଦି ଅଭିଭାବକମାନେ ପିଲାଙ୍କୁ ପଢାଇବା ପାଇଁ ମନ ବଳାଉଛନ୍ତି ତେବେ ଏଥିପାଇଁ ତାଙ୍କୁ ଖର୍ଚ୍ଚର ତାଲିକା ଧରାଇ ଦିଆଯାଉଛି । ଗୋଟିଏ ଗୋଟିଏ ପାଠ୍ୟକ୍ରମ ପାଇଁ ୭ରୁ ୧୦ଲକ୍ଷ ଟଙ୍କାର ହିସାବ ଧରାଇ ଦିଆଯାଉଛି । ତେବେ ଏତେ ବିପୁଳ ପରିମାଣର ଟଙ୍କା କଥା ଶୁଣିବାପରେ ଖର୍ଚ୍ଚାନ୍ତ ହୋଇ ସେମିନାର ସ୍ଥଳୀରେ ପହଞ୍ଚିଥିବା ଅନେକ ଲୋକ କାନମୁଣ୍ଡା ଆଉଁଷି ଘରକୁ ଫେରୁଛନ୍ତି ।

ତେବେ କେତେକ ଅଭିଭାବକ କହିଛନ୍ତି ଯେ ସେମାନଙ୍କ ଟେଲିଫୋନ୍‍ ନମ୍ବର, ନାଁ ଓ ଠିକଣା କିଭଳି ଏତେ ସହଜରେ ଏହିସବୁ ଶିକ୍ଷାନୁଷ୍ଠାନ ପାଇ ଯାଉଛନ୍ତି । ଆଗାମୀ ଦିନରେ ଏଭଳି ତଥ୍ୟକୁ ନେଇ କିଛି ବି ଅଘଟଣ ଘଟିବାର ସମ୍ଭାବନା ରହିଛି । ତେଣୁ ପିଲାଙ୍କ ନାମଲେଖା ଓ ପରୀକ୍ଷା ଆଦି ପାଇଁ ବିଭିନ୍ନ ସ୍ଥାନରେ ଦିଆଯାଉଥିବା ଟେଲିଫୋନ୍‍ ନମ୍ବର ଓ ଠିକଣା ଆଦି କିଭଳି ଗୁପ୍ତ ଓ ସୁରକ୍ଷିତ ରହିପାରିବ ତାହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ । (ତଥ୍ୟ)