ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନକୁ ଯୁକ୍ତ ଦୁଇ ଆସିବାପରେ ହାଇସ୍କୁଲଗୁଡିକରେ ଯୁକ୍ତ ଦୁଇ ଶ୍ରେଣୀରେ ପାଠପଢା ଯୋଜନା ଏବେ ବି ଶୀତଳଭଣ୍ଡାରରେ । ଏଥିପାଇଁ ସ୍ୱତନ୍ତ୍ର ଭାବେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଖୋଲାଯିବା ସହିତ ସ୍କୁଲ ଚିହ୍ନଟ ହୋଇଥିଲେ ମଧ୍ୟ ଏହି କାର୍ଯ୍ୟ ଆଗେଇ ପାରୁନାହିଁ ।
୨୦୧୬ ମସିହାରେ ଯୁକ୍ତ ଦୁଇ ଶ୍ରେଣୀ ଉଚ୍ଚଶିକ୍ଷା ବିଭାଗରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଆସିଥିଲା । ଏହାର ସୁପରିଚାଳନା ନିମନ୍ତେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଗଠନ କରାଯିବା ସହିତ ଅତିରିକ୍ତ ସଚିବ ପାହ୍ୟାର ଜଣେ ଅଧିକାରୀ ଏହାର ନିର୍ଦ୍ଦେଶକ ଭାବେ ରହିଲେ । ଏହାପରେ ଯୁକ୍ତ ଦୁଇ ଶ୍ରେଣୀ ରାଜ୍ୟର ହାଇସ୍କୁଲଗୁଡିକରେ ଖୋଲିବ ବୋଲି ଯୋଜନା ପ୍ରସ୍ତୁତ ହୋଇଥିଲା ।
ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୨୦୮ଟି ହାଇସ୍କୁଲକୁ ଚିହ୍ନଟ କରାଯାଇଥିଲା । ଏଥି ମଧ୍ୟରେ ଖୋରଧା ଜିଲ୍ଲାର ୯ଟି ହାଇସ୍କୁଲ ରହିଥିବାବେଳେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା କ୍ୟାପିଟାଲ ହାଇସ୍କୁଲକୁ ଏଥିପାଇଁ ଚିହ୍ନଟ କରାଯାଇଥିଲା । ଏଥିସହିତ ଦେବଗଡ ଓ ବୌଦ୍ଦରେ ୩ଟି କରି ହାଇସ୍କୁଲ ଚିହ୍ନଟ ହୋଇଥିବାବେଳେ ଜଗତ୍ସିଂହପୁର ଜିଲ୍ଲାରେ ୭ଟି ହାଇସ୍କୁଲ ଚିହ୍ନଟ ହୋଇଥିଲା ।
ଚିହ୍ନଟ ହୋଇଥିବା ଅଧିକାଂଶ ହାଇସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ ହେଉଥିବାବେଳେ ଆବଶ୍ୟକ ଭିତ୍ତିଭୂମି ପାଇଁ ରାଜ୍ୟ ସରକାର ଅର୍ଥ ଯୋଗାଇ ଦେଇଥିଲେ । କେତେକ ହାଇସ୍କୁଲରେ ଏଥିପାଇଁ ସ୍ୱତନ୍ତ୍ର ଭାବେ ପରୀକ୍ଷାଗାର ଓ ଲାଇବ୍ରେରୀ ସମେତ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ଆରମ୍ଭ ହୋଇଥିଲା । ତେବେ ଇତି ମଧ୍ୟରେ ଯୁକ୍ତ ଦୁଇ ପୃଥକୀକରଣକୁ ୬ବର୍ଷ ପୂରିଥିଲେ ମଧ୍ୟରେ ହାଇସ୍କୁଲରେ ଯୁକ୍ତ ଦୁଇ ପାଠପଢା ହୋଇପାରିଲା ନାହିଁ ।
ଅନ୍ୟ ପକ୍ଷରେ ଏବେ ବି ଅଧିକାଂଶ କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ମିଳିତ ଭାବେ ଚାଲିଥିବାରୁ ସେଠାରେ ବିଚିତ୍ର ଅବସ୍ଥା ସୃଷ୍ଟି ହେଉଛି । ଶିକ୍ଷକ ଅଭାବରୁ ଯୁକ୍ତ ତିନି ଶ୍ରେଣୀ ପାଇଁ ନିୟୋଜିତ ବରିଷ୍ଠ ଅଧ୍ୟାପକମାନେ ଯୁକ୍ତ ଦୁଇ ଶ୍ରେଣୀରେ ବାଧ୍ୟହୋଇ ପାଠ ପଠାଉଛନ୍ତି । ଏହାକୁ ନେଇ କେତେକ ସ୍ଥାନରେ ଅଧ୍ୟାପକମାନଙ୍କ ମଧ୍ୟରେ ବରିଷ୍ଠ ଓ କନିଷ୍ଠ ଘଟଣାରେ ଛକାପଞ୍ଝା ଲକ୍ଷ୍ୟ କରାଯାଉଛି ।
ଏଭଳି ସ୍ଥିତିରେ ଯୁକ୍ତ ଦୁଇ କେବଳ ବିଭାଗ ବଦଳାଇଥିବାବେଳେ ଅନ୍ୟ କୌଣସି କ୍ଷେତ୍ରରେ ସେଭଳି କିଛି ପରିବର୍ତ୍ତନ ହୋଇନଥିବା ଶିକ୍ଷାବିତ୍ମାନେ ମତ ଦେଉଛନ୍ତି । କେବଳ ଯୁକ୍ତ ଦୁଇ ପିଲାଙ୍କ କ୍ଷେତ୍ରରେ ମାଧ୍ୟମିକ ଶିକ୍ଷା ବୋଲି ଉଲ୍ଲେଖ କରାଯାଉଛି । (ତଥ୍ୟ)