ଭୁବନେଶ୍ୱର : ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା କହିଲେ ଯେ, ହୀରାକୁଦର ଜଳ ପ୍ରବାହର ସ୍ଥିତିକୁ ଦେଖି ଆଉ ୪ଟି ଗେଟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଏବେ ହୀରାକୁଦରେ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ୪ଟି ଗେଟ୍ ବନ୍ଦ ହେବା ପରେ ୨୦ଟି ଗେଟ୍ ଖୋଲାରହିବ ।
ଆଜି ଅପରାହ୍ନରେ ହୀରାକୁଦର ଜଳପତ୍ତନ ୬୨୧.୮୧ ଫୁଟ୍ ଅଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୩୭ ହଜାର ୩୪୧ କ୍ୟìସେକ୍ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୩ ଲକ୍ଷ ୫୦ ହଜାର ୨୬ କ୍ୟìସେକ୍ ଜଳ ନିଷ୍କାସିତ ହେଉଛି । ଖଇରମାଳଠାରେ ୬ ଲକ୍ଷ ୩୦ ହଜାର କ୍ୟìସେକ୍ ଜଳ ପ୍ରବାହିତ ହେଉଅଛି । ବଡମୂଳଠାରେ ୮ ଲକ୍ଷ ୧୯ ହଜାର ୫୦୦ କ୍ୟìସେକ୍ ଜଳ ପ୍ରବାହିତ ହେଉଅଛି । ସେହିପରି ମୁଣ୍ଡଳୀଠାରେ ୯ ଲକ୍ଷ ୪୮ ହଜାର ୯୦୫ କ୍ୟìସେକ୍ ଜଳ ପ୍ରବାହିତ ହେଉଅଛି । ମୁଣ୍ଡଳୀ ସମେତ ସବୁ ସ୍ଥାନରେ ଜଳସ୍ତର କ୍ରମଶଃ ହ୍ରାସ ପାଉଛି ।
ଆଗାମୀ ୨୦ ଓ ୨୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହି ଲଘୁଚାପର ପ୍ରଭାବରେ ସମ୍ଭାବ୍ୟ ବୃଷ୍ଟିପାତକୁ ନଜରରେ ରଖି ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ବନ୍ୟା ଦ୍ୱାରା ୧୩ଟି ଜିଲ୍ଲାର ୭୧ଟି ବ୍ଲକ୍ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୧୪୯ଟି ଗ୍ରାମ ପ୍ରଭାବିତ ହୋଇଛି । ରାଜ୍ୟର ୬୪୨ଟି ଗ୍ରାମ ଜଳଘେରରେ ରହିଥିବାବେଳେ ୩ ଲକ୍ଷ ୯୧ ହଜାର ୫୨୮ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଏବଂ ପ୍ରାୟ ୬ ଲକ୍ଷ ୪୪ ହଜାର ୬୬୨ ଲୋକ ପ୍ରଭାବିତ ହୋଇଛନ୍ତି । ଏହିସବୁ ଅଞ୍ଚଳରେ ୨୨୭ ଟି ରିଲିଫ୍ କେନ୍ଦ୍ରରେ ୧ ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ।
ବନ୍ୟା ପ୍ରଭାବିତ ଅଞ୍ଚଳରେ ୨ ଲକ୍ଷ ୭୭ ହଜାର ବିଦ୍ୟୁତ ଉପୋଭକ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ବନ୍ୟାପାଣି କମିବାରୁ ସେଥିମଧ୍ୟରୁ ୨ ଲକ୍ଷ ୪୩ ହଜାର ଲୋକଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି । ୩୩ କେଭି ୯ଟି ଫିଡର ଖରାପ ହୋଇଥିବାବେଳେ ୭ ଟିକୁ ଠିକ୍ କରିଦିଆଯାଇଛି । ୩୩/୧୧ କେଭି ସବ-ଷ୍ଟେସନ ୩୩ଟି ଅଚଳ ହୋଇପଡିଥିବାବେଳେ ୨୯ଟି ସଜଡା ଯାଇଛି । ୧୧ କେଭି ଫିଡର ୧୪୯ ଟିରୁ ୧୨୧ ଟିକୁ ଚାଲୁ କରାଯାଇଛି । ପ୍ରାଇମେରି ଟ୍ରାନ୍ସଫର୍ମର ୨୦ଟିରୁ ୧୭ଟି ଓ ଡିଷ୍ଟ୍ରିବ୍ୟìସନ ଟ୍ରାନ୍ସଫର୍ମର ୯୩୦୧ ରୁ ୭୮୩୩ ଟିକୁ ସଠିକ୍ କରିଦିଆଯାଇଛି । ଏହି ରିଷ୍ଟୋରେସନ୍ କାର୍ଯ୍ୟରେ ୧୮ ହଜାରରୁ ଅଧିକ ମାନବସମ୍ବଳ ନିୟୋଜିତ ଅଛନ୍ତି ।
ସେହିପରି ସ୍ୱାସ୍ଥ୍ୟ ବିଭାଗ ତରଫରୁ ବନ୍ୟାଞ୍ଚଳରେ ୧୫୯ଟି ମେଡିକାଲ ରିଲିଫ୍ କେନ୍ଦ୍ର ଖୋଲାଯାଇଥିବାବେଳେ, ୧୧୦ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଚିକିତ୍ସା ଟିମ୍ ମୁତୟନ କରାଯାଇଛି । ୩୨ ହଜାର ଓଆରଏସ୍ ପ୍ୟାକେଟ ଓ ୧ ଲକ୍ଷ ୨୧ ହଜାର ହାଲୋଜିନ୍ ବଟିକା ବଣ୍ଟାଯାଇଛି । ଏହି ସମୟ ମଧ୍ୟରେ ୫୫୦୦ଟି ସାଧାରଣ ରୋଗ ଚିକିତ୍ସା କରାଯାଇଥିବାବେଳେ ୫ଟି ସାପ କାମୁଡା ଘଟଣାରେ ଚିକିତ୍ସା କରାଯାଇଛି ।
ଗୋସମ୍ପଦର ସୁରକ୍ଷା ପାଇଁ ବନ୍ୟାଞ୍ଚଳରେ ୧୯୩ଟି ଭେଟେରିନାରୀ ଟିମ୍ ନିୟୋଜିତ ହୋଇଛନ୍ତି । ୨୮୫ଟି କ୍ୟାମ୍ପ ଆୟୋଜିତ ହୋଇଥିବାବେଳେ ପ୍ରାୟ ୧୦ ହଜାର ପଶୁଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି । ସେହିପରି କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ, ପୁରୀ, କଟକ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାକୁ ୨୩୧.୪୫୩ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଓ ୫୧ ମେଟ୍ରିକ ଟନ୍ ଫଡର ଯୋଗାଇଦିଆଯାଇଛି ।
ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷା ସହ ପବନ ହେବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି । ସମୁଦ୍ର ଓ ନଦୀକୁ ଯେଉଁମାନେ ମାଛ ଧରିବାକୁ ଯାଇଛନ୍ତି ସେମାନଙ୍କୁ ଫେରିଆସିବାକୁ କୁହାଯାଇଛି ।
ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ମହାନଦୀ ଉପର ମୁଣ୍ଡରେ ଓ ଇବ୍ ନଦୀ ଅବବାହିକାରେ ଅଧିକ ବର୍ଷା ହୋଇପାରେ । ପାଣିପାଗ ଆକଳନ ଦୃଷ୍ଟିରୁ ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ବ୍ରାହ୍ମଣୀ ନଦୀର ଜଳସ୍ତର ପ୍ରତି ନଜର ରଖାଯାଇଛି । ଭଦ୍ରକ ସହରର ସୁରକ୍ଷା ଦୃଷ୍ଟିରୁ ସାଳନ୍ଦୀ ନଦୀର ଜଳ ପ୍ରବାହ ଉପରେ ନଜର ରଖାଯାଇଛି ।
ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ପୁରୀ, ଯାଜପୁର ଜିଲ୍ଲାପାଳମାନଙ୍କୁ ସମ୍ଭାବ୍ୟ ଲଘୁଚାପ ଓ ତଦ୍ଜନିତ ବୃଷ୍ଟିପାତ ସମ୍ପର୍କରେ ସତର୍କ କରିଦିଆଯାଇଛି । ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର ଏହିସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ୟାର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ୧୪ଟି ଜିଲ୍ଲାକୁ ୧୬ଟି ଏନ୍ଡିଆର୍ଏଫ୍ ଟିମ୍, ୧୫ଟି ଓଡ୍ରାଫ୍ ଟିମ୍ ଓ ଅତିରିକ୍ତ ୪୮ଟି ଫାୟାର ସର୍ଭିସ୍ ଟିମ୍, ମୋଟ ୭୯ଟି ଟିମ୍ ମୁତୟନ କରାଯାଇଛି ।