ଭୁବନେଶ୍ୱର : ରାଜଧାନୀରୁ ଧରା ପଡିଥିବା ବହୁ ଚର୍ଚ୍ଚିତ କୋବ୍ରାସାପ ବିଷ ଘଟଣାରେ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଚାର୍ଜସିଟ୍ ହୋଇପାରି ନାହିଁ । ଜେଲରୁ ଜାମିନରେ ଫେରିଥିବା ଅଭିଯୁକ୍ତଙ୍କୁ କର୍ତ୍ତୃପକ୍ଷ ବାରମ୍ବାର ଡାକୁଥିଲେ ମଧ୍ୟ ଚାର୍ଜସିଟ୍ ଦାଖଲ କରିପାରୁ ନଥିବରୁ ମାମଲାଟି ଏବେ ଧିରେ ଧିରେ ହଜିବାକୁ ବସିଲାଣି ।
ଉଲ୍ଲେଖନୀୟ ଯେ ଗତବର୍ଷ ମାର୍ଚ୍ଚ ୨୭ତାରିଖରେ ରାଜଧାନୀର ଫରେଷ୍ଟପାର୍କ ଅଞ୍ଚଳରୁ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଜଙ୍ଗଲ ବିଭାଗ ଅଧିକାରୀମାନେ ତିନି ଜଣଙ୍କ ବ୍ୟକ୍ତିଙ୍କ ଠାରୁ ଦୁଇଟି ବୋତଲ ଜବତ କରିଥିଲେ ଯେଉଁଥିରେ ବିଷଧର ସାପ କୋବ୍ରାର ବିଷ ଥିବା କୁହାଯାଇଥିଲା । ଏହି ଘଟଣାରେ ଜଙ୍ଗଲ ବିଭାଗର ଅଧିକାରୀମାନେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଏମାନଙ୍କ ମଧ୍ୟରେ ବଲାଙ୍ଗିର, ବରଗଡ, ବାଲେଶ୍ୱର, ଅନୁଗୁଳ ଆଦି ଅଞ୍ଚଳର ଲୋକେ ଥିବାବେଳେ ବାଲେଶ୍ୱରର ଜଣେ ମହିଳା ବି ଥିଲେ ।
ସେତେବେଳେ ରାଜ୍ୟରେ ସାପ ବିଷ କାରବାର ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଇଥିଲା । ଇତି ମଧ୍ୟରେ ଅଭିଯୁକ୍ତମାନେ ଜାମିନରେ ଆସିଥିବାବେଳେ କର୍ତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିପାରି ନାହାନ୍ତି । ଏବେ ବି ଅଭିଯୁକ୍ତମାନଙ୍କୁ ନିୟମିତ ବ୍ୟବଧାନରେ ଡାକି ଜେରା କରୁଛନ୍ତି ।
ତେବେ ଏଭଳି ବିଳମ୍ବକୁ ନେଇ ଅଭିଯୁକ୍ତମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଅଦାଲତର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ବଲାଙ୍ଗିର, ଅନୁଗୁଳ, ବାଲେଶ୍ୱର ଭଳି ସ୍ଥାନରୁ ବାରମ୍ବାର ଭୁବନେଶ୍ୱର ଦଉଡି ହଇରାଣ ହେଉଥିବା ଉଲ୍ଲେଖ କରିଛନ୍ତି । ଅନ୍ୟ ପକ୍ଷରେ ଜବତ ହୋଇଥିବା ତରଳ ପଦାର୍ଥ ସାପ ବିଷ କି ନୁହେଁ ତାହାର କୌଣସି ବିଧିବଦ୍ଧ ରିପୋର୍ଟ ଆସିନଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ପୂର୍ବରୁ ଅନୁରୂପ ଏକ ଘଟଣାରେ ଜବତ ତରଳ ସାମଗ୍ରୀକୁ ପରୀକ୍ଷା ପାଇଁ ମହାରାଷ୍ଟ୍ରର ପରୀକ୍ଷାଗାରକୁ ପଠାଯାଇଥିବାବେଳେ ତାହା ସାପ ବିଷ ନୁହେଁ ବୋଲି ପରୀକ୍ଷାଗାର ରିପୋର୍ଟ ଦେଇଥିଲା ।
ଏଭଳି ସ୍ଥିତିରେ ରାଜଧାନୀରୁ ଜବତ ହୋଇଥିବା ଦୁଇ ବୋତଲ ତରଳ ସାମଗ୍ରୀ ସାପ ବିଷ ନୁହେଁ ତାହାର ବିଧିବଦ୍ଧ ପରୀକ୍ଷା ରିପୋର୍ଟ ଆସିନଥିବାବେଳେ ଜଙ୍ଗଲ ବିଭାଗ ବି ଏହି ଘଟଣାରେ ଚାର୍ଜସିଟ୍ ଦାଖଲ ନକରିବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଣେ ଅଭିଯୁକ୍ତମାନେ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଆଇନ୍ ଅଦାଲତର ଦ୍ୱାରସ୍ଥ ହୋଇଥିବାରୁ ଏହି ମାମଲାଟି ପୂର୍ବ ମାମଲା ଭଳି ବାଏଁ ବାଏଁ ଉଡିଯିବ ବୋଲି ଆଇନ୍ଜୀବୀମାନେ ମତ ଦେଉଛନ୍ତି । (ତଥ୍ୟ)