ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ଗୁଣାତ୍ମକ ପାନୀୟଜଳ ଯୋଗାଣ ପାଇଁ ୱାଟକୋ ପକ୍ଷରୁ ରାଜଧାନୀରେ ୧୨୧ ଜଣ ଜଳସାଥୀ ନିଯୁକ୍ତ ହୋଇଛନ୍ତି । ଏମାନେ ଘରକୁ ଘର ବୁଲି ଜଳର ମାନ ପରୀକ୍ଷା କରିବା ସହିତ ଜଳକର ଆଦାୟ କରୁଥିବା ନେଇ ୱାଟ୍କୋ ପକ୍ଷରୁ ସୂଚନା ଦିଆଯାଇଛି ।
ଜଳଯୋଗାଣ କ୍ଷେତ୍ରରେ ଉପୁଜୁଥିବା ଅଭିଯୋଗଗୁଡିକର ସମାଧାନ ନେଇ ଅସନ୍ତୋଷ ଦେଖାଦେବା ପରେ ୱାଟ୍କୋ ପକ୍ଷରୁ କୁହାଯାଇଛି ଯେ ହିତାଧିକାରୀଙ୍କ ଅଭିଯୋଗର ସମାଧାନ ପାଇଁ ୱାଟକୋ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ୧୫୫୩୫୯ ନମ୍ବରରେ ୨୪ଘଣ୍ଟିଆ ଅଭିଯୋଗ ଗ୍ରହଣ ପ୍ରକୋଷ୍ଠ ଖୋଲାଯିବା ସହିତ ଲୋକଙ୍କ ଠାରୁ ସିଧାସଳଖ ଅଭିଯୋଗ ଶୁଣିବାପାଇଁ ଗ୍ରାହକସେବା ଅଧିକାରୀ ରହିଛନ୍ତି । ଏଥି ସହିତ ଲୋକେ ନିଜ ନିଜର ଅଭିଯୋଗକୁ ମଧ୍ୟ ଭଏସ୍ ମେସେଜ ଜରିଆରେ ଦରଜ କରିପାରିବେ । ଏହାଛଡା ସ୍ଥାନୀୟ ଅଞ୍ଚଳର ଜଳସାଥୀମାନେ ମଧ୍ୟ ହିତାଧିକାରୀଙ୍କ ଅଭିଯୋଗର ଫଏସଲା କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବେ ।
ୱାଟକୋ ପକ୍ଷରୁ ୱେବସାଇଟ୍ରେ ନିୟମିତ ଭାବେ ବିଭିନ୍ନ ଟେଲିଫୋନ୍ ନମ୍ବରକୁ ଅପଡେଟ୍ କରାଯାଉଥିବାବେଳେ ଜଳର ମାନ ପରୀକ୍ଷା ଓ ଜଳକର ଆଦାୟ ପାଇଁ ବହୁ ଦିନରୁ ୧୨୧ଜଣ ଜଳସାଥି ନିୟୋଜିତ ହୋଇଛନ୍ତି । ଚଳିତବର୍ଷ ଏପ୍ରିଲ୍ରୁ ଜୁନ୍ ମାସ ମଧ୍ୟରେ ଭୁବନେଶ୍ୱର ସହରରେ ଜଳସାଥୀମାନେ ୬୯୦୦ଟି ନମୂନା ପରୀକ୍ଷା କରିଥିବା ସୂଚନା ଦିଆଯାଇଛି ।
ଏହି ଜଳସାଥୀମାନେ ଘରକୁ ଘର ବୁଲି ଜଳ ଆଦାୟ କରୁଥିବା ନେଇ ୱାଟକୋ ପକ୍ଷରୁ କୁହାଯାଇଛି । ତେବେ ସହରର କେତେକ ଅଞ୍ଚଳରେ ଏହି ଜଳସାଥୀମାନେ ନିୟମିତ ବ୍ୟବଧାନରେ ଆସି ଜଳକର ଆଦାୟ କରୁନଥିବା ନେଇ ଅଭିଯୋଗ କରୁଛନ୍ତି ।
ତେବେ ଇତି ମଧ୍ୟରେ ଯେଉଁସବୁ ଅଞ୍ଚଳରେ ୱାଟକୋ ପକ୍ଷରୁ ପୂର୍ବରୁ ଜଳସଂଯୋଗ ପାଇଁ ପାଇପ୍ ବିଛାଯିବା ସହିତ ପାଣି ମିଟର ଲଗାଯାଇଥିଲା ସେଠାରେ ଏବେ ପୁର୍ନବାର ଖୋଳାତଡା ଚାଲିଛି । ୨୪ ଘଣ୍ଟିଆ ଜଳଯୋଗାଣ ପାଇଁ ଏଭଳି ଖୋଳାଯାଉଥିବା ଓ ଏଥିପାଇଁ ଜଳ ଯୋଗାଣରେ ହେଉଥିବା ସମସ୍ୟା ପାଇଁ ଗ୍ରାହକମାନେ ସହଯୋଗ କରିବାକୁ ୱାଟ୍କୋ ପକ୍ଷରୁ ଲିଫ୍ଲେଟ୍ ଛପାଯାଇ ଘରକୁ ଘର ବୁଲି ବଣ୍ଟନ ହେଉଥିବା ଦେଖିବାକୁ ମିଳୁଛି ।
ଉଲ୍ଲେଖନୀୟ ଯେ ରାଜ୍ୟର ସହରାଞ୍ଚଳଗୁଡିକରେ ସୁଜଳ ଯୋଜନାରେ ୨୪ଘଣ୍ଟିଆ ଆକ୍ୱାଗାଡ୍ ମାନର ଜଳ ଯୋଗାଣ ପାଇଁ ପଦକ୍ଷେପ ନିଆଯାଉଛି । ଇତି ମଧ୍ୟରେ ରାଜଧାନୀର କେତେକ ଅଞ୍ଚଳରେ ଏଭଳି ଜଳ ଯୋଗାଣ ହେଉଥିବାବେଳେ ବହୁ ଅଞ୍ଚଳରେ ଲୋକେ ଆକ୍ୱାଗାଡ୍ମାନର ପାଣି ପାଇବାପାଇଁ ଅପେକ୍ଷାରେ ରହିଛନ୍ତି । (ତଥ୍ୟ)