Home Judiciary ଶିଶୁଙ୍କ ପ୍ରତି ଅପରାଧରେ ଦଣ୍ଡ ହାର କମ୍‍

ଶିଶୁଙ୍କ ପ୍ରତି ଅପରାଧରେ ଦଣ୍ଡ ହାର କମ୍‍

ଭୁବନେଶ୍ୱର : ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ଢେର କମ୍‍ ରହୁଛି । ଏଭଳି ସମ୍ବେଦନଶୀଳ ମାମଲାର ବିଚାରପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା ସତ୍ୱେ ବର୍ଷକରେ ମୋଟ୍‍ ମାମଲାର ୪ ପ୍ରତିଶତ ବି ଫଏସଲା ହୋଇପାରୁ ନାହିଁ ଏବଂ ଯେତିକି ଟି ମାମଲା ଫଏସଲା ହେଉଛି ସେଥିରେ ଦଣ୍ଡବିଧାନ ହାର ୧୭ ପ୍ରତିଶତରୁ କମ୍‍ ରହୁଛି ।

ଆନ୍ଧ୍ରପ୍ରଦେଶ, ଆସାମ, ଗୋଆ, ଗୁଜୁରାଟ, ପଶ୍ଚିମବଙ୍ଗରେ ଏଭଳି ମାମଲାରେ ଦଣ୍ଡବିଧାନ ହାର ଓଡିଶା ଅପେକ୍ଷା ଆହୁରି କମ୍‍ ଥିବାବେଳେ ନାଗାଲ୍ୟାଣ୍ଡ ଭଳି ଛୋଟ ରାଜ୍ୟରେ ଦଣ୍ଡବିଧାନ ହାର ୮୦ ପ୍ରତିଶତ ରହିଛି । ପୁଡୁଚେରୀ, ଲକ୍ଷାଦ୍ୱୀପ, ଦିଲ୍ଲୀ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମିଜୋରାମ, ଅରୁଣାଚଳପ୍ରଦେଶ, ଝାଡଖଣ୍ଡ ଆଦି ରାଜ୍ୟରେ ଶିଶୁଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅପରାଧିକ ମାମଲାରେ ଦଣ୍ଡବିଧାନ ହାର କିନ୍ତୁ ୬୦ ପ୍ରତିଶତରୁ ଅଧିକ ରହୁଛି ।

ଭାରତ ସରକାରଙ୍କ ସର୍ବଶେଷ କ୍ରାଇମ ଇନ୍‍ ଇଣ୍ଡିଆ ରିପୋର୍ଟରେ ଏହି ତଥ୍ୟ ରହିଛି । ସବୁଠାରୁ ଉଦବେଗଜନକ ବିଷୟ ହେଉଛି ଯେ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରୁ ବର୍ଷରେ ସାରା ଦେଶରେ ମାତ୍ର ୫ ପ୍ରତିଶତ ଫଏସଲା ହେଉଥିବାବେଳେ ଆଉ ୯୫ ପ୍ରତିଶତ ମାମଲା ପରବର୍ଷକୁ ଗଡୁଛି । ୨୦୨୧ ଆରମ୍ଭ ବେଳକୁ ଆମ ଦେଶରେ ଏଭଳି କିସମର ୪,୧୬,୪୧୩ ମାମଲା ବିଚାର ପ୍ରତୀକ୍ଷାରେ ରହିଛି ।

ରିପୋର୍ଟର ତଥ୍ୟ ମୁତାବକ ଓଡିଶାରେ ଏ କିସମର ମାମଲା ବର୍ଷକୁ ମାତ୍ର ୨.୧ ପ୍ରତିଶତ ଫଏସଲା ହେଉଥିବାବେଳେ ୯୭.୯ ପ୍ରତିଶତ ମାମଲା ପରବର୍ଷକୁ ଗଡୁଛି । ୨୦୨୧ ଆରମ୍ଭ ବେଳକୁ ଓଡିଶାରେ ଏ କିସମର ୧୫,୨୨୮ଟି ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଏବେ ଏହି ସଂଖ୍ୟା ପାଖାପାଖି ୧୮ହଜାର ହେବବୋଲି ଆଇନ୍‍ ବିଶାରଦମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।

ଶିଶୁମାନଙ୍କୁ ଯୌନ ଶୋଷଣରୁ ରକ୍ଷା କରିବାପାଇଁ କେନ୍ଦ୍ର ସରକାର ପୋକ୍‍ସୋ ଆଇନ୍‍ କରିଛନ୍ତି । ୨୦୨୧ ଆରମ୍ଭ ବେଳକୁ ସାରା ଦେଶରେ ୧,୭୦,୨୭୧ ପୋକ୍‍ସୋ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଏବେ ଏହି ସଂଖ୍ୟା ପ୍ରାୟ ୨ଲକ୍ଷ ହେବ ବୋଲି ଆଶଙ୍କା କରାଯାଉଛି । ଏତେ ସଂଖ୍ୟକ ପୋସ୍‍କୋ ମାମଲା ସାରା ଦେଶରେ ବିଚାର ପ୍ରତୀକ୍ଷାରେ ଥିବାବେଳେ ୨୦୨୦ ବର୍ଷରେ ମାତ୍ର ୩୬୮୬ଟି ମାମଲା ଦଣ୍ଡବିଧାନ ହୋଇଥିଲା ଓ ୫୧୩୩ଟି ମାମଲାରେ ଅଭିଯୁକ୍ତମାନେ ଖସିଯାଇଥିଲେ ।

ମୋଟାମୋଟି ଭାବେ ଏହି ବର୍ଷରେ ୯୬୨୨ଟି ପୋକ୍‍ସୋ ମାମଲାର ଫଏସଲା ହୋଇଥିଲା ଏବଂ ଏ କ୍ଷେତ୍ରରେ ଦଣ୍ଡବିଧାନ ହାର ୩୯.୬ ପ୍ରତିଶତ ଥିଲା । ତେବେ ମୋଟ ମାମଲା ମଧ୍ୟରୁ ମାତ୍ର ୫.୩ ପ୍ରତିଶତ ପୋକ୍‍ସୋ ମାମଲା ବର୍ଷରେ ଫଏସଲା ହୋଇଛି ।

ଓଡିଶାରେ ଏହି ବର୍ଷରେ ୨୨୦୨ଟି ପୋକ୍‍ସୋ ମାମଲା ରୁଜୁ ହୋଇଥିବାବେଳେ ୨୩୭୯ଜଣ ଗିରଫ ହୋଇଥିଲେ । ମୋଟାମୋଟି ଭାବେ ଏହି ବର୍ଷରେ ୨୦୮୬ଟି ପୋକ୍‍ସୋ ମାମଲା ଓଡିଶାରେ ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ମାତ୍ର ୩୫ଟି ମାମଲାରେ ୩୭ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୨୧ ଆରମ୍ଭ ବେଳକୁ ଓଡିଶାରେ ୬୬୬୧ଟି ପୋକ୍‍ସୋ ମାମଲା ବିଚାର ପ୍ରତୀକ୍ଷାରେ ରହିଥିଲା ।

ଏବେ ଏହି ସଂଖ୍ୟା ୭ହଜାରରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି । ଶିଶୁମାନଙ୍କ କଲ୍ୟାଣ ଓ ନିରାପତ୍ତା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସ୍ୱତନ୍ତ୍ର ବିଭାଗ ପ୍ରତିଷ୍ଠା ସହ କୋଟି କୋଟି ଟଙ୍କାର ଯୋଜନା କରୁଥିବାବେଳେ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ କିନ୍ତୁ ଫଏସଲା ଓ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଛି । (ତଥ୍ୟ)