ନୂଆଦିଲ୍ଲୀ : ଦେଶରେ ତମାଖୁ ଜନିତ ରୋଗ ଯୋଗୁଁ ବାର୍ଷିକ ୧.୩ ନିୟୁତରୁ ଅଧିକ ଲୋକ ମୃତ୍ୟୁ ବରଣ କରୁଥିବାରୁ ତମାଖୁ ସେବନ ଭାରତୀୟଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଉଛି । ଏହି ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିକୁ ବିଚାରକୁ ନେଇ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ପିପୁଲ୍ସ କଲଚରାଲ ସେଣ୍ଟର (ପିକକ୍) ଓ ତମାଖୁ ମୁକ୍ତ ଓଡିଶା ପାଇଁ ମିଳିତ ମଞ୍ଚ ସାଂସଦମାନଙ୍କୁ ନେଇ ଏକ ପରାମର୍ଶ କର୍ମଶାଳା ଆୟୋଜିତ ହୋଇଥିଲା । ଶିଶୁ ଏବଂ ଯୁବକମାନଙ୍କୁ ତମାଖୁ ଜନିତ ରୋଗ ଏବଂ କର୍କଟ ରୋଗରୁ ରକ୍ଷା କରିବା ପାଇଁ ଆଇନ୍ର ସଂଶୋଧନ ପାଇଁ ପରାମର୍ଶ ଦିଆଯାଇଥିଲା ।
ବିଭିନ୍ନ ରାଜନୈତିକ ଦଳର ସାଂସଦମାନେ ନୂଆଦିଲ୍ଲୀ ସ୍ଥିତ କନଷ୍ଟିଚ୍ୟୁସନ କ୍ଲବ ଅଫ୍ ଇଣ୍ଡିଆ ଠାରେ ଏକତ୍ରିତ ହୋଇ ଭାରତରେ ତମାଖୁ ନିୟନ୍ତ୍ରଣ ନୀତି ଏବଂ କଠୋର ଆଇନ ସପକ୍ଷରେ ମତ ରଖିଥିଲେ । ରାଜ୍ୟସଭା ସାଂସଦ ମୁଜିବୁଲ୍ଲା (ମୁନ୍ନା) ଖାନ, ଶ୍ରୀ ସୁଜିତ କୁମାର, ଶ୍ରୀମତୀ ସୁଲତା ଦେଓ, ଶ୍ରୀ ନିରଂଜନ ବିଶି; ଶ୍ରୀମତୀ ମମତା ମହାନ୍ତ, ସାଂସଦ ଶ୍ରୀ ଠାକୁର ଯୁଗଲ ଲୋଖଣ୍ଡୱାଲା; ଲୋକସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରସ୍ତାବିତ କୋଟପା ସଂଶୋଧନ ବିଲ୍ ସପକ୍ଷରେ ଆଗ୍ରହ ପ୍ରକାଶ କରି ସାଂସଦ ଶ୍ରୀ ମୁଜିବୁଲ୍ଲା (ମୁନ୍ନା) ଖାନ କହିଛନ୍ତି ଯେ ଧୂମପାନ କେବଳ ଧୂମପାନକାରୀଙ୍କୁ କ୍ଷତି ପହଞ୍ଚାଏ ନାହିଁ, ଧୂମପାନ କରୁଥିବା ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କର ମଧ୍ୟ କ୍ଷତି କରିଥାଏ । ତମାଖୁରୁ ମିଳୁଥିବା ରାଜସ୍ୱ ତୁଳନାରେ ତମାଖୁ ଜନିତ ରୋଗରେ ଅଧିକ ଅର୍ଥ ବ୍ୟୟ ହୋଇଥାଏ । କୋଟପାକୁ ମଜବୁତ କରିବା ହେଉଛି ନୂତନ ପୀଢିକୁ ତମାଖୁ ସେବନର ଜାଲରେ ପଡ଼ିବାରୁ ରକ୍ଷା କରିବା ।
ତମାଖୁ ନିୟନ୍ତ୍ରଣ ଆଇନକୁ ମଜବୁତ କରିବାପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି-ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ଆଇନ) କୋଟପା ୨୦୦୩ ସଂଶୋଧନ ବିଲ୍, ୨୦୨୦ ରେ ଥିବା ତ୍ରୁଟିକୁ ଦୂର କରି ସରକାର ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଲୋକସଭା ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କହିଛନ୍ତି, ଏକ ସୁସ୍ଥ ରାଷ୍ଟ୍ର ପାଇଁ ଆମେ ଆଇନକୁ ମଜବୁତ କରିବା ଆବଶ୍ୟକ । ଭାରତରେ ତମାଖୁ ସେବନକୁ ହ୍ରାସ କରିବା ପାଇଁ ଏକ କଠୋର ଆଇନ୍ ଏବଂ ଏହାର ପ୍ରଭାବଶାଳୀ କାର୍ଯ୍ୟକାରିତା ଗୁରୁତ୍ୱପୂର୍ଣ୍ଣ । ଯଦିଓ ଆଇନ ସର୍ବସାଧାରଣ ସ୍ଥାନରେ ଧୂମପାନକୁ ନିଷେଧ କରିଛି ତଥାପି ଏହା ଜାରି ରହିଛି । ତମାଖୁ ପରିବେଶ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ । ଆମ ପରବର୍ତ୍ତୀ ପୀଢିକୁ ବଞ୍ଚାଇବାକୁ ପଡିବ ।
ଏହି ଅଧିବେଶନରେ ଅଂଶଗ୍ରହଣ କରିଥିବା ସାଂସଦମାନେ ଏହି ସଂଶୋଧନ ବିଲ୍ ସପକ୍ଷରେ ସେମାନଙ୍କର ସମ୍ପୂର୍ଣ୍ଣ ସମର୍ଥନ ନିଶ୍ଚିତ କରିଛନ୍ତି । ବିଶେଷକରି ଶିଶୁ ତଥା ଯୁବକମାନଙ୍କ ମଧ୍ୟରେ ତମାଖୁ ସେବନକୁ ରୋକିବା ଦିଗରେ କାର୍ଯ୍ୟ କରି ଜନସ୍ୱାସ୍ଥ୍ୟର ଉନ୍ନତିର ଜରୁରୀ ଆବଶ୍ୟକତା ଉପରେ ସେମାନେ ସେମାନଙ୍କର ମତାମତ ପ୍ରଦାନ କରିଥିଲେ ।
ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର କହିଛନ୍ତି, କୋଟପା ରେ ପ୍ରସ୍ତାବିତ ସଂଶୋଧନ ଏକ ପ୍ରଶଂସନୀୟ ପଦକ୍ଷେପ ଏବଂ ଏହି ଜାତୀୟ ଅଭିଯାନକୁ ସମର୍ଥନ କରି ଆମେ ଅଧିକ ସାଂସଦଙ୍କୁ ଏଥିରେ ସାମିଲ କରିବାକୁ ଚେଷ୍ଟା କରିବୁ । ଆମ ପିଲାମାନଙ୍କୁ ତମାଖୁ ସେବନରୁ ରକ୍ଷା କରିବାକୁ ପଡିବ । ଯେହେତୁ ସେମାନେ ପ୍ରାୟତଃ ବିଦ୍ୟାଳୟ ସ୍ତରରେ ତମାଖୁ ଅଭ୍ୟାସ ପଡୁଛନ୍ତି ତେଣୁ ଆମେ ବିଦ୍ୟାଳୟ ସ୍ତରରେ ଯୁଦ୍ଧକାଳୀନ ଭିତ୍ତିରେ ଏହି କ୍ଷତିକାରକ ପଦାର୍ଥ ବିରୁଦ୍ଧରେ ଅଭିଯାନ ଚଳାଇବା ଉଚିତ । ଆମ ପିଲାମାନଙ୍କୁ ପରୋକ୍ଷ ଧୂମପାନରୁ ରକ୍ଷା କରିବାକୁ ମଧ୍ୟ ପଡ଼ିବ ।
୨୦୧୯ ରେ ଇ-ସିଗାରେଟ୍ ଉପରେ ନିଷେଧାଦେଶ ଲଗାଇ ସରକାର ର୍ନିଭୀକ ପଦକ୍ଷେପ ନେଇଥିଲେ । ଶକ୍ତିଶାଳୀ ଆଇନ ଏବଂ ନୀତି ଦ୍ୱାରା ଆମେ ଆମର ଯୁବପୀଢିକୁ ତମାଖୁ ବିପଦରୁ ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଗୁଜୁରାଟର ରାଜ୍ୟସଭା ସାଂସଦ ଠାକୁର ଯୁଗଲ ଲୋଖଣ୍ଡୱାଲା କହିଛନ୍ତି । ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ କହିଛନ୍ତି ଯେ ଏହି ସାମଗ୍ରୀଗୁଡ଼ିକର ଉତ୍ପାଦନ ସହ ତାଳଦେଇ ବ୍ୟବଡାର ବଢିଚାଲିଛି । ତେଣୁ ଆମକୁ ଉତ୍ପାଦନକୁ ନିୟନ୍ତ୍ରଣ କରିବାକୁ ପଡ଼ିବ ଯାହାଦ୍ୱାରା ତମାଖୁ ବ୍ୟବହାରକାରୀଙ୍କ ସଂଖ୍ୟା ହ୍ରାସ ପାଇପାରିବ । ପିଲାମାନଙ୍କୁ ଠାରୁ ତମାଖୁ ଠାରୁ ଦୂରେଇ ରଖିବାପାଇଁ ପିତାମାତାମାନେ ସେମାନଙ୍କ ପାଇଁ ସମୟ ଦେବା ସହିତ ଉପଯୁକ୍ତ ପରାମର୍ଶ ଦେବାକୁ ଶ୍ରୀମତୀ ଦେଓ ମତ ରଖିଥିଲେ ।
ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ କହିଛନ୍ତି ଯେ ଶିଶୁ ତଥା ଯୁବକମାନଙ୍କୁ ତମାଖୁ ସେବନ ନକରିବା ପାଇଁ ଆମ ଆଇନ ତଥା ନୀତି ତଥା ସାମାଜିକ ଚାପ ମାଧ୍ୟମରେ ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ । ରାଜ୍ୟସଭା ସାଂସଦ ଶ୍ରୀ ନିରଂଜନ ବିଶି କହିଛନ୍ତି ଯେ ତମାଖୁ ସେବନ କେବଳ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ବରଂ ଏହା ଆମ ପରିବେଶକୁ ପ୍ରଦୂଷିତ କରୁଛି । ସମୟ ଆସିଛି, ଆମେ ନୀତି ର୍ନିମାତାମାନେ ଏକାଠି ହେବା ଅତ୍ୟନ୍ତ କଠୋର ଆଇନ ସହିତ ଆଗକୁ ଆସିବା ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିବା ।
ପିକକର ସମ୍ପାଦକ ଶ୍ରୀ ରଂଜନ କୁମାର ମହାନ୍ତି ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି କହିଛନ୍ତି, ତମାଖୁ ନିୟନ୍ତ୍ରଣ ଆଇନକୁ ମଜବୁତ କରିବା ପାଇଁ ସାଂସଦମାନଙ୍କର ସମର୍ଥନ ଓ ପ୍ରତିବଦ୍ଧତା ଅତ୍ୟନ୍ତ ଉତ୍ସାହଜନକ । ବରିଷ୍ଠ କର୍କଟରୋଗ ବିଶେଷଜ୍ଞ ଡାକ୍ତର କୃପାସିନ୍ଧୁ ପଣ୍ଡା ତମାଖୁ ସେବନର ସ୍ୱାସ୍ଥ୍ୟଗତ କ୍ଷତି ବିଷୟରେ କହିଥିଲେ । ପିକକର ଅଧ୍ୟକ୍ଷା ଡକ୍ଟର ମୀନାକ୍ଷୀ ପଣ୍ଡା ତମାଖୁର ଭୟାବହତା ଉପରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ପିକକର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରସ୍ତାବିତ କୋଟପା (ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ଅଧିନିୟମ) ସଂଶୋଧନ ବିଲ୍, ୨୦୨୦ ରେ ପ୍ରଭାବଶାଳୀ ଦଣ୍ଡ ଏବଂ ଜରିମାନା ଲାଗୁ, ସିଗାରେଟର ଖୁଚୁରା ବିକ୍ରିକୁ ଅନୁମତି ନଦେବା, ୨୧ ବର୍ଷରୁ କମ୍ ବ୍ୟକ୍ତିଙ୍କୁ ତମାଖୁ ଦ୍ରବ୍ୟ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବା ଭଳି ବ୍ୟବସ୍ଥା ରହିଛି । ସମ୍ପୁର୍ଣ୍ଣ ଧୂଆଁମୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ହୋଟେଲ / ରେଷ୍ଟୁରାଣ୍ଟ ତଥା ବିମାନବନ୍ଦର ଲାଉଞ୍ଜରେ ବିଜ୍ଞାପନ ଏବଂ ର୍ନିଦ୍ଦିଷ୍ଟ ଧୂମପାନ ଅଞ୍ଚଳ ଉପରେ ନିଷେଧାଦେଶ ଲାଗୁ କରିବା ଆବଶ୍ୟକ ।
ତମାଖୁ ଜନିତ ରୋଗ ହେତୁ ଭାରତରେ ବାର୍ଷିକ ୧.୩ ନିୟୁତରୁ ଅଧିକ ଲୋକ ମୃତ୍ୟୁମୁଖରେ ପଡନ୍ତି । ପରୋକ୍ଷ ଧୂଆଁର ପ୍ରଭାବ ଜନିତ ସ୍ୱାସ୍ଥ୍ୟସେବା ଖର୍ଚ୍ଚରେ ୫୬୭ ବିଲିୟନ ଟଙ୍କାର ଆର୍ଥିକ ବୋଝ ସୃଷ୍ଟି କରିଥାଏ, ଏହା ବ୍ୟତୀତ ତମାଖୁ ବ୍ୟବହାର ଦ୍ୱାରା ବାର୍ଷିକ ୧୭୭୩.୪ ବିଲିୟନ ଭାରତୀୟ ଟଙ୍କା (୨୭.୫ ବିଲିୟନ ଡ଼ଲାର୍) ବୋଝ ମଧ୍ୟ ପଡିଥାଏ ।