Home Education ଓଡିଶା ପଲିଟେକ୍‌ନିକ୍‌ ରାଙ୍କ ଉନ୍ମୋଚନ

ଓଡିଶା ପଲିଟେକ୍‌ନିକ୍‌ ରାଙ୍କ ଉନ୍ମୋଚନ

ଭୁବନେଶ୍ୱର : ରାଜ୍ୟର ଉଭୟ ସରକାରୀ ଏବଂ ବେସରକାରୀ ପଲିଟେକ୍‌ନିକ୍‌ ଶିକ୍ଷାନୁଷ୍ଠାନମାନଙ୍କର ରାଙ୍କିଙ୍ଗ୍‌ ପ୍ରକାଶ ପାଇଛି । ରାଜ୍ୟ ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ପରିଷଦରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ର୍ୟାଙ୍କିଙ୍ଗ୍‌ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ଓଡିଶାର ପଲିଟେକ୍‌ନିକ୍‌ ଶିକ୍ଷାନୁଷ୍ଠାନମାନଙ୍କର ଡିପ୍ଲୋମା ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନର ମାନ ବୃଦ୍ଧି ପାଇଁ ରାଙ୍କିଙ୍ଗ୍‌ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଏପର୍ଯ୍ୟନ୍ତ ରାଜ୍ୟସ୍ତରରେ ରାଙ୍କିଙ୍ଗ୍‌ ପ୍ରଦାନ ବ୍ୟବସ୍ଥା ନଥିଲା । ଭାରତ ସରକାରଙ୍କ କ୍ୱାଲିଟି କାଉନସିଲ୍‌ ଅଫ୍‌ ଇଣ୍ଡିଆର ସହଯୋଗରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ର୍ୟାଙ୍କିଙ୍ଗ୍‌ ପ୍ରଦାନ ପ୍ରକ୍ରିୟାର ଶୁଭାରମ୍ଭ ଏକ ମାଇଲଖୁଣ୍ଟ ହେବ ।

ଏକାଧିକ ମୂଲ୍ୟାଙ୍କନ ପଦ୍ଧତି ଅବଲମ୍ବନ କରାଯାଇ ରାଜ୍ୟର ସମସ୍ତ ୧୦୨ ପଲିଟେକ୍‌ନିକ୍‌ ଶିକ୍ଷାନୁଷ୍ଠାନର ରାଙ୍କିଙ୍ଗ୍‌ ସ୍ଥିର ହୋଇଛି । ରାଙ୍କିଙ୍ଗ୍‌ ବ୍ୟବସ୍ଥା ପଲିଟେକ୍‌ନିକ୍‌ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ବାତାବରଣ ସୃଷ୍ଟି କରିବ । ଆଗାମୀ ବର୍ଷରେ ପଲିଟେକ୍‌ନିକ୍‌ର ପରିବେଶକୁ ମଧ୍ୟ ମୂଲ୍ୟାଙ୍କନରେ ସାମିଲ କରାଯିବ । କାଉନସେଲିଂ ସମୟରେ ନିଷ୍ପତ୍ତି ନେବା ପାଇଁ ଏହି ରାଙ୍କିଙ୍ଗ୍‌ ପ୍ରାର୍ଥୀ ଏବଂ ସେମାନଙ୍କ ପିତାମାତାଙ୍କୁ ସାହାଯ୍ୟ କରିବ ବୋଲି ମନ୍ତ୍ରୀ ଶ୍ରୀ ଘଡେଇ କହିଛନ୍ତି ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ, ଶ୍ରୀ ହେମନ୍ତ ଶର୍ମା ପଲିଟେକ୍‌ନିକ୍‌ ରାଙ୍କିଙ୍ଗ୍‌ର ଆବଶ୍ୟକତା ବିଷୟରେ ବର୍ଣ୍ଣନା କରିଛନ୍ତି ଏବଂ ମୂଲ୍ୟାଙ୍କନ ପଦ୍ଧତି ଉପରେ ବିସ୍ତୃତ ବିଶ୍ଳେଷଣ ପ୍ରଦାନ କରିଛନ୍ତି । ସେ ର୍ୟାଙ୍କ୍‌ ନିର୍ଣ୍ଣୟ ପାଇଁ ନିଆଯାଇଥିବା ସାତୋଟି ପଦ୍ଧତିକୁ ମଧ୍ୟ ବ୍ୟାଖ୍ୟା କରିଥିଲେ । ସେ କହିଛନ୍ତି ଯେ ଯଦିଓ ଆଇଟିଆଇ ଏବଂ ଡିଗ୍ରୀ ଇଞ୍ଜିନିୟରିଂ କଲେଜଗୁଡ଼ିକର ରାଙ୍କିଙ୍ଗ୍‌ ପାଇଁ ଜାତୀୟ ସ୍ତରରେ ବ୍ୟବସ୍ଥା ରହିଛି, ତଥାପି ଜାତୀୟ ସ୍ତରରେ ପଲିଟେକ୍‌ନିିକ୍‌ ର୍ୟାଙ୍କିଙ୍ଗ୍‌ ପାଇଁ କୌଣସି ବ୍ୟବସ୍ଥା ନାହିଁ ।

ରାଜ୍ୟ ସ୍ତରରେ ଏଭଳି ରାଙ୍କିଙ୍ଗ୍‌ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପଦକ୍ଷେପ ନେଇଛି । ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ, ଶ୍ରୀ ରେଘୁ ଜି କହିଛନ୍ତି ଯେ ତଥ୍ୟ ସଂଗ୍ରହ ଠାରୁ ଆରମ୍ଭ କରି ଅଭିଯୋଗ ଗ୍ରହଣ ଏବଂ ତା’ପରେ ଚୂଡ଼ାନ୍ତ ସ୍ତରରେ ପହଞ୍ଚିବା ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଇଥିଲା । ଏହି ଅବସରରେ କ୍ୟìସିଆଇ ନୂଆଦିଲ୍ଲୀ, ସେକ୍ରେଟାରୀ ଜେନେରାଲ୍‌, ଡକଫର ଆର ପି ସିଂ, ଅତିରିକ୍ତ ସଚିବ ଶ୍ରୀ ତପନ କୁମାର ଶତପଥୀ, ଯୁଗ୍ମ ସଚିବ ଶ୍ରୀମତି ରୋଜିନା ଦାସ ଏବଂ ଏସସିଟିଇଭିଟି ସଚିବ, ଶ୍ରୀ ଏସ୍‌ କେ ମିଶ୍ର ଉପସ୍ଥିତ ଥିଲେ ।