ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବୋର୍ଡ, ନିଗମ ସମେତ ଅନ୍ୟ ସଂସ୍ଥାଗୁଡିକରେ ଖାଲି ପଡିଥିବା ଅଧ୍ୟକ୍ଷ, ସଦସ୍ୟ ଓ ଅନ୍ୟାନ୍ୟ ପଦପଦବୀରେ ଖୁବ୍ଶୀଘ୍ର ପୁନଃ ନିଯୁକ୍ତି ଦିଆଯିବ । ବିଭିନ୍ନ ସରକାରୀ ପଦପଦବୀରେ ପୂର୍ବରୁ ଯେତେସବୁ ରାଜନୈତିକ ନିଯୁକ୍ତି ଦିଆଯାଇଥିଲା ସେସବୁ ମନ୍ତ୍ରିମଣ୍ଡଳର ଗତ ପୁନର୍ଗଠନ ସମୟରେ ନାକଚ କରିଦିଆଯାଇଛି । ସେବେଠାରୁ ଏହି ପଦବୀଗୁଡିକ ଖାଲି ପଡିଛି ।
ମନ୍ତ୍ରିମଣ୍ଡଳ ପୁନର୍ଗଠନ ପରେ ରାଜ୍ୟସଭା ଓ ରାଷ୍ଟ୍ରପତି ନିର୍ବାଚନ ଏବଂ ପରେ ପରେ ରାଜ୍ୟ ବିଧାନସଭା ଅଧିବେଶନ ଚାଲିଛି । ଏ ପରିପ୍ରେକ୍ଷୀରେ ବିଭିନ୍ନ ବୋର୍ଡ ଓ ନିଗମ ଆଦିରେ ନିଯୁକ୍ତି ପାଇବା ପାଇଁ ଆଶାବାନ୍ଧି ବସିଥିବା ରାଜନେତାମାନେ ବିଭିନ୍ନ ସ୍ତରରେ ନିଜ ନିଜ ସପକ୍ଷରେ ଲବି ଚଳାଉଥିବା ଲକ୍ଷ୍ୟ କରାଯାଉଛି । ତେବେ ଏହି ପଦବୀଗୁଡିକ କେବେ ସୁଦ୍ଧା ପୂରଣ କରାଯିବ ଏବଂ ଏଥିରେ କେଉଁମାନଙ୍କୁ ନିଯୁକ୍ତି ଦିଆଯିବ ତାହା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି । ତେବେ ଅଗଷ୍ଟ ମାସ ମଧ୍ୟରେ ଏହି ରାଜନୈତିକ ନିଯୁକ୍ତି ମିଳିପାରେ ବୋଲି କେତେକ ଆଶାୟୀ ଆଶାବ୍ୟକ୍ତ କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ୨୦୨୪ର ପ୍ରଥମ ଭାଗରେ ଲୋକସଭା ସହ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ପୂରିବାକୁ ଅଛି । ନିର୍ଦ୍ଧାରିତ ସମୟରେ କିମ୍ବା ତାହା ପୂର୍ବରୁ ୨୦୨୩ ଶେଷ ଭାଗରେ ଲୋକସଭା ସହିତ ଓଡ଼ିଶା ବିଧାନସଭା ନିର୍ବାଚନ ହୋଇପାରେ ବୋଲି ରାଜନୈତିକ ବିଶ୍ଲେଷକମାନେ ଆଶାବ୍ୟକ୍ତ କରୁଛନ୍ତି ।
ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନରେ ଓଡ଼ିଶାରେ ବିଜେଡି ଅଦ୍ଭୂତପୂର୍ବ ସଫଳତା ହାସଲ କରିଥିବା ବେଳେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି ଦଳ ପକ୍ଷରୁ ତୃଣମୂଳ ସ୍ତରରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର କେତେକ ମନ୍ତ୍ରୀ ଇସ୍ତଫା ଦେଇ ସାଂଗଠନିକ କାର୍ଯ୍ୟରେ ମନୋନିବେଶ କରିଥିଲେ । ଏଥର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା କେତେକ ମନ୍ତ୍ରୀଙ୍କୁ ପୁଣି ଅନୁରୂପ ଭାବେ ସାଂଗଠନିକ ଦାୟିତ୍ୱ ଦିଆଯାଇପାରେ ।
ଯେଉଁମାନେ ବିଭିନ୍ନ ବିଭାଗର ଉପଦେଷ୍ଟା ସମେତ ବୋର୍ଡ, ନିଗମ ଆଦିର କାର୍ଯ୍ୟକର୍ତ୍ତା ଭାବେ ମନୋନୀତ ହୋଇଥିଲେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବିଜେଡି ସାଂଗଠନିକ ଦାୟିତ୍ୱ ଦେବା ସହିତ ଆଉ କେତେକ ନୂଆ ଚେହେରାଙ୍କୁ ଏହି ପଦପଦବୀରେ ନିଯୁକ୍ତି ଦେବା ଘେନି ଜୋରଦାର ଚର୍ଚ୍ଚା ଚାଲିଛି । ତେବେ ଏସବୁ କ୍ଷେତ୍ରରେ ଦକ୍ଷତା, ସଚ୍ଚୋଟତା, ସାଂଗଠନିକ ଅଭିଜ୍ଞତା ଆଦିକୁ ଅଧିକ ପ୍ରାଧାନ୍ୟ ଦିଆଯାଇପାରେ । ଏମିତିକି ବିଜେଡି ସହ ଜଡିତ ନଥିବା ଆଉ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ସରକାର ବିଭିନ୍ନ ପଦପଦବୀରେ ନିଯୁକ୍ତି ଦେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।
ଏଥର ନୂତନ ରାଜନୈତିକ ନିଯୁକ୍ତି ବେଳେ ମହିଳା, ଯୁବକ ଓ ଅଭିଜ୍ଞ ବ୍ୟକ୍ତିଙ୍କୁ ଅଗ୍ରାଧିକାର ମିଳିପାରେ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି । ଏଥିପାଇଁ କେତେକ ଆଶାୟୀ ବିଭିନ୍ନ ମନ୍ତ୍ରୀ ଓ ବିଧାୟକଙ୍କ ସମେତ ଦଳର ସାଂଗଠନିକ ଦାୟିତ୍ୱରେ ଥିବା ନେତାମାନଙ୍କ ନିକଟରେ ନିଜ ନିଜର ପ୍ରାର୍ଥିତ୍ୱ ସପକ୍ଷରେ ଲବି କରୁଥିଲେ ମଧ୍ୟ କାହାକୁ ଏଯାବତ୍ କୌଣସି ସୂତ୍ରରୁ ସେମିତି କିଛି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିପାରୁ ନଥିବାରୁ ଆଶାୟୀମାନେ ଆଶା ଆଶଙ୍କା ମଧ୍ୟ ଦେଇ ଗତି କରୁଛନ୍ତି । (ତଥ୍ୟ)