Home General ଓଏସ୍‍ଆରଟିସିର ୨୧୯ ବସ୍‍ ଅଚଳ

ଓଏସ୍‍ଆରଟିସିର ୨୧୯ ବସ୍‍ ଅଚଳ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି)ର ୩୭୮ଟି ବସ୍‍ ଚଳାଚଳ କରୁଥିବା ବେଳେ ୨୧୯ଟି ବସ୍‍ ଅଚଳ ହୋଇ ପଡିଛି । ନିଗମରେ ଏବେ ମୋଟ ୧୪୭୬ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ।

ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଓଏସଆରଟିସିର ୩୭୮ଟି ବସ୍‍ ୨୦୪ଟି ରୁଟ୍‍ରେ ଚଳାଚଳ କରୁଛି । ୨୧୯ଟି ବସ୍‍ ଅସ୍ଥାୟୀ ଭାବେ ଅଚଳ ଅବସ୍ଥାରେ ପଡି ରହିଛି ।

ନିଗମରେ ସମୁଦାୟ ୧୪୭୬ଜଣ କର୍ମଚାରୀ କାର୍ଯ୍ୟରତ ଥିବାବେଳେ ଏମାନଙ୍କ ମଧ୍ୟରୁ ୧୭୧ ଜଣ ନିୟମିତ, ୧୦୫୧ଜଣ ଚୁକ୍ତିଭିତ୍ତିକ, ୧୯୪ ଜଣ ସେବା ଯୋଗାଣକାରୀ ସଂସ୍ଥା ଦ୍ୱାରା ନିଯୁକ୍ତ ଏବଂ ୬୦ଜଣ ଦୈନିକ ମଜୁରି ଆକାରରେ କାର୍ଯ୍ୟ କରୁଛନ୍ତି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଏସଆରଟିସି ଅଧୀନରେ ରାଜ୍ୟରେ ଏବେ ପ୍ରାୟ ୨୫୦ ଏକର ଜମି ବିଭିନ୍ନ ସ୍ଥାନରେ ରହିଛି । କିଛି ସ୍ଥାନରେ ପରିବହନ ନିଗମ ପକ୍ଷରୁ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯାଇଛି ଏବଂ ଅନ୍ୟ ସ୍ଥାନମାନଙ୍କରେ ଆବଶ୍ୟକ ଅନୁଯାୟୀ ନୂତନ ମାର୍କେଟ୍‍ କଂପ୍ଲେକ୍ସ ନିର୍ମାଣ କରି ନିଗମର ଆୟ ବୃଦ୍ଧି ଲାଗି ପଦକ୍ଷେପ ନିଆଯାଉଛି । (ତଥ୍ୟ)