Home Agriculture ଖର୍ଚ୍ଚ ହେଇପାରୁନି ପ୍ରାଣୀଧନ ଚିକିତ୍ସା ଅର୍ଥ

ଖର୍ଚ୍ଚ ହେଇପାରୁନି ପ୍ରାଣୀଧନ ଚିକିତ୍ସା ଅର୍ଥ

ଭୁବନେଶ୍ୱର : ରାଜ୍ୟରେ ପ୍ରାଣୀଧନ ଚିକିତ୍ସା ପାଇଁ ଗତ ୩ ବର୍ଷରେ ୨୫୯ କୋଟି ଟଙ୍କାରୁ ଅଧିକ ଅର୍ଥ ବରାଦ ହୋଇଥିବାବେଳେ ଏଥିରୁ ଔଷଧ କିଣିବାପାଇଁ ୧୬୨ କୋଟି ଟଙ୍କା ଥିଲା । ତେବେ ଏହି ସମୟ ମଧ୍ୟରେ ବରାଦ ଅର୍ଥ ମଧ୍ୟରୁ ୯୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରି ନାହିଁ ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପ୍ରାଣୀଧନ ଚିକିତ୍ସା ଲାଗି ୨୦୧୯-୨୦୯ ରୁ ୨୦୨୧-୨୨ ବର୍ଷ ମଧ୍ୟରେ ମୋଟ୍‍ ୨୫୯କୋଟି ୨ଲକ୍ଷ ୫୪ ହଜାର ଟଙ୍କା ବ୍ୟୟବରାଦ ହୋଇଥିଲା । ଏଥି ମଧ୍ୟରୁ କେବଳ ଗତ ଆର୍ଥିକ ବର୍ଷରେ ୧୦୫ କୋଟି ଟଙ୍କାର ବରାଦ ଥିଲା ।

ତେବେ ପ୍ରାଣୀଧନ ଚିକିତ୍ସା ପାଇଁ ବରାଦ ଅର୍ଥ ମଧ୍ୟରୁ ୧୬୨କୋଟି ଟଙ୍କା ଔଷଧ ବାବଦକୁ ବ୍ୟୟ ପାଇଁ ସ୍ଥିର ହୋଇଥିଲା । ଏହି ଅର୍ଥ ମଧ୍ୟରୁ ଜିଲ୍ଲାମାନଙ୍କୁ ୩୨କୋଟି ୪୦ଲକ୍ଷ ଟଙ୍କା ଦିଆଯାଇଥିବାବେଳେ ୩୩କୋଟି ୪୩ଲକ୍ଷ ଟଙ୍କାର ଔଷଧ ଖରିଦ ହୋଇଛି । ତେବେ ଔଷଧ ବାବଦକୁ ବ୍ୟୟ ଅର୍ଥ ମଧ୍ୟରୁ ୯୬କୋଟି ୧୭ଲକ୍ଷ ଟଙ୍କା ଖର୍ଚ୍ଚ ନହୋଇ ବଳକା ହୋଇ ରହିଯାଇଛି ।

ସେହିଭଳି ଗତ ତିନି ବର୍ଷ ମଧ୍ୟରେ ପ୍ରାଣୀଧନ ଚିକିତ୍ସା ସାମଗ୍ରୀ ପାଇଁ ୯୭କୋଟି ୨୨ଲକ୍ଷ ୫୪ ହଜାର ଟଙ୍କାର ବ୍ୟୟ ବରାଦ ହୋଇଥିବାବେଳେ ଏଥିରୁ କେବଳ ୩୮କୋଟି ୧୩ଲକ୍ଷ ୫୮ହଜାର ଟଙ୍କା ଖର୍ଚ୍ଚ ହୋଇଛି ଓ ପ୍ରାୟ ୫୯କୋଟି ଟଙ୍କା ବଳକା ରହିଛି । ତେବେ ୨୦୧୯-୨୦ ବର୍ଷରେ ପ୍ରାଣୀଧନ ଚିକିତ୍ସା ପାଇଁ ଯେତିକି ପରିମାଣର ଔଷଧ ଖରିଦ ହୋଇଥିଲା ତାହାକୁ ବିଭିନ୍ନ ଚିକିତ୍ସାଳୟଗୁଡିକୁ ବଣ୍ଟନ ହୋଇଥିବା ଜଣାଯାଇଛି ।

ସେହିଭଳି ଔଷଧ ଓ ଆନୁଷଙ୍ଗିକ ସାମଗ୍ରୀ କିଣିବାରେ ଟେଣ୍ଡର ପ୍ରକ୍ରିୟା ସଂକ୍ରାନ୍ତରେ ବିଧାୟିକା ଶ୍ରୀମତୀ ଟେଟେ ପଚାରିଥିବା ଅନ୍ୟଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ରାଜ୍ୟରେ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ପାଇଁ ଔଷଧ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଟେଣ୍ଡର ପ୍ରକ୍ରିୟା ମାଧ୍ୟରେ କିଣାଯାଇଥାଏ । ଟେଣ୍ଡର ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବାକୁ ଇ-ଟେଣ୍ଡରରେ ପାରଦର୍ଶିତା ଥିବା ରାଜ୍ୟ ଔଷଧ ନିଗମ ମାଧ୍ୟରେ ସାମଗ୍ରୀ କିଣିବାକୁ ନିଷ୍ପତ୍ତି ହୋଇଛି । ବର୍ତ୍ତମାନ ସୁଦ୍ଧା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ଓଡିଶା ରାଜ୍ୟ ଔଷଧ ନିଗମକୁ କୌଣସି କମିଶନ କିମ୍ବା ସେବା ଦେୟ ପ୍ରଦାନ କରାଯାଇ ନାହିଁ । (ତଥ୍ୟ)