ଭୁବନେଶ୍ୱର : ସରକାରୀ ଘରୋଇ ସହଭାଗିତା (ପିପିପି) ମୋଡରେ ସରକାରୀ କ୍ୱାଟର୍ସର ବିକାଶ ପାଇଁ ରାଜଧାନୀର ୟୁନିଟ୍-୨ ଅଞ୍ଚଳରେ ୪୧୦ଟି କ୍ୱାଟର୍ସ ଭଙ୍ଗାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ରାଜଧାନୀରେ ସରକାରୀ କ୍ୱାଟର୍ସ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜଧାନୀରେ ୨୦୧୦ ମସିହାରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧିନରେ ୧୧,୩୪୮ଟି ସରକାରୀ କ୍ୱାର୍ଟର ଥିଲା । ୨୦୨୨ ସୁଦ୍ଧା ୧୪୮ଟି ପୁରୁଣା ଘର ଭଙ୍ଗାଯିବା ଓ ନୂତନ ୧୭୪ ଟି ନିର୍ମାଣ ସହିତ ଏହା ୧୧,୩୭୪କୁ ବୃଦ୍ଧି ପାଇଛି ।
ତେବେ ୟୁନିଟ୍-୨ ଅଞ୍ଚଳରେ ୪୧୦ଟି ଘର ଭଙ୍ଗାଯାଇ ପିପିପି ମୋଡ୍ରେ ତାହାର ବିକାଶ କରାଯିବ । ସେହିଭଳି ୟୁନିଟ୍-୬ ଅର୍ନ୍ତଗତ ୫୦ଟି କ୍ୱାର୍ଟର କ୍ୟାପିଟାଲ ହସ୍ପିଟାଲର ପିଜି ଇନଷ୍ଟିଟ୍ୟୁଟ ପାଇଁ ଭଙ୍ଗା ଯାଇଥିବାବେଳେ ବିଧାୟକ କଲୋନୀ ପାଇଁ ୟୁନିଟ୍-୪ ଅଞ୍ଚଳରେ ୫୦ଟି କ୍ୱାର୍ଟର ଭଙ୍ଗାଯାଇଛି ।
ସେହିଭଳି ବିଏମ୍ସିର ନୂତନ ଦପ୍ତର ପାଇଁ ୟୁନିଟ୍-୩ ଅଞ୍ଚଳରେ ୧୨ଟି କ୍ୱାର୍ଟର ଭଙ୍ଗା ଯାଇଥିବାବେଳେ ୟୁନିଟ୍-୮ରେ ବିପଦସଙ୍କୁଳ ଅବସ୍ଥାରେ ଥିବା ୩୬ଟି କ୍ୱାଟର୍ସ ଭଙ୍ଗାଯାଇଛି । ତେବେ ୟୁନିଟ୍-୨ ଅଞ୍ଚଳରେ ଥିବା ୧୨୪ଟି ଖାଲିଘରର ବିକାଶ ପାଇଁ କାହାରିକୁ ଆବଣ୍ଟିତ ହୋଇନଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି । (ତଥ୍ୟ)