ଭୁବନେଶ୍ୱର : ନୂତନ କିସମର ଧାନ ବିହନ ଚାଷ କରୁଥିବା ବିହନ ଚାଷୀମାନଙ୍କୁ ପ୍ରୋତ୍ସାହନ ରାଶି ମିଳିପାରୁ ନାହିଁ । ଛଅ ମାସରୁ ଉର୍ଦ୍ଧ ସମୟ ହେଲା ଚାଷୀମାନେ କେନ୍ଦ୍ର ସରକାରଙ୍କର ଏହି ପ୍ରୋତ୍ସାହନ ରାଶିକୁ ଅନାଇ ବସିଥିବାବେଳେ କେନ୍ଦ୍ରରୁ ତାହା ଆସୁନଥିବା ଜଣାଯାଇଛି ।
କେନ୍ଦ୍ର ସରକାରଙ୍କ ବ୍ରିଂଗିଙ୍ଗ୍ ଗ୍ରିନ୍ ରିଭୋଲୋସନ ଟୁ୍ ଇଷ୍ଟର୍ଣ୍ଣ ଇଣ୍ଡିଆ (ବିଜିଆରଇ) ଯୋଜନାରେ ନୂତନ କିସମର ଅମଳକ୍ଷମ ବିହନ ଚାଷ କରୁଥିବା ଚାଷୀଙ୍କୁ ଧାନ, ମୁଗ, ବିରି ଆଦି ବାବଦରେ କୁଇଣ୍ଟାଲ ପିଛା ୨୦୦୦ ଟଙ୍କା ଯୋଗାଇ ଦିଆଯାଇଉଛି । ଜଣେ ଚାଷୀ ସର୍ବାଧିକ ୧୦ କୁଇଣ୍ଟାଲ ବିହନ ପାଇଁ ଏହି ରାଶି ପାଇପାରିବେ । ତେବେ ଚାଷୀଙ୍କୁ ମିଳିବାକୁ ଥିବା ଅର୍ଥରୁ ୨୫ ପ୍ରତିଶତ ଓଡିଶା ରାଜ୍ୟ ବିହନ ନିଗମ ନେବ । ତେଣୁ ଜଣେ ଚାଷୀ ଏ ବାବଦରେ ମାତ୍ର ୧୫ହଜାର ଟଙ୍କା ପାଇବ ।
ଉଲ୍ଲେଖନୀୟ ଯେ ବିହନ ନିଗମ ଜରିଆରେ ଚାଷୀମାନେ ବିହନ ଚାଷ କରିଥାନ୍ତି । ଗତ ଜୁନ୍ମାସରୁ ଚାଷୀମାନେ ନୂତନ କିସମର ବିହନ ଦାଖଲ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପ୍ରୋତ୍ସାହନ ରାଶି ପାଇପାରୁ ନାହାନ୍ତି । କେବଳ ଧାନ ବିହନ ବାବଦରେ ପ୍ରାୟ ୮କୋଟି ଟଙ୍କାର ପ୍ରୋତ୍ସାହନ ରାଶି କେନ୍ଦ୍ରରୁ ମିଳିବାର ରହିଛି । ଏହାବାଦ୍ ମୁଗ, ବିରି ବିହନର ପ୍ରୋତ୍ସାହନ ରାଶି ବି ରହିଛି ।
ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଚାଷୀଙ୍କ ଲାଗି ଆଧାରକାର୍ଡ ଓ ବ୍ୟାଙ୍କ୍ ଆକାଉଣ୍ଟ ସହିତ ଟେଲିଫୋନ୍ ନମ୍ବର ସଂଯୋଗ ବାଧ୍ୟତାମୂଳକ କରିଥିବାରୁ ଓଡିଶାର ବିହନଚାଷୀମାନେ ଅର୍ଥ ପାଇବାରେ ସମସ୍ୟା ହେଉଛି । କେତେକ ଚାଷୀଙ୍କର ବ୍ୟାଙ୍କ୍ ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିବା ଟେଲିଫୋନ୍ ନମ୍ବର ଅଚଳ ହୋଇଥିବାବେଳେ ଆଉ କେତେକ ନମ୍ବର ବଦଳାଇ ଦେଇଛନ୍ତି । ଆଧାରକାର୍ଡରେ ତ୍ରୁଟି ଯୋଗୁଁ ବି ଅର୍ଥ ପ୍ରଦାନରେ ସମସ୍ୟା ହେଉଛି । ଏ ନେଇ କୃଷି ବିଭାଗ ପକ୍ଷରୁ ତିନି ତିନିଥର ତାଲିକାରେ ସଂଶୋଧନ କରାଯାଇ କେନ୍ଦ୍ରକୁ ପଠାସରିଲାଣି । ହେଲେ ଅର୍ଥ ଆସୁନାହିଁ । ଅଳ୍ପ କେତେକ ଚାଷୀଙ୍କ ପାଇଁ ଅଧିକ ଚାଷୀ କେନ୍ଦ୍ରୀୟ ପ୍ରୋତ୍ସାହନ ରାଶି ପାଇବାରୁ ବଞ୍ଚିତ ହେଉଥିବାରୁ ଯେଉଁମାନଙ୍କର କାଗଜପତ୍ର ଠିକ୍ଠାକ୍ ରହିଛି ସେମାନଙ୍କୁ ଅର୍ଥ ଦେବାପାଇଁ ଦାବି ହେଉଛି ।
ଉଲ୍ଲେଖନୀୟ ଯେ ରୋଗ ପତିରୋଧ ଶକ୍ତି ଓ ଅଧିକ ଅମଳକୁ ଦୃଷ୍ଟିରେ ରଖି ନୂଆ ନୂଆ କିସମ ବିହନ ଉତ୍ପାଦନ ଓ ଚାଷ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ତେବେ ନୂଆ ବିହନକୁ ଚାଷୀମାନେ ସହଜରେ ଗ୍ରହଣ କରୁନଥିବାରୁ ସେମାନଙ୍କ ପ୍ରୋତ୍ସାହନ ପାଇଁ କେନ୍ଦ୍ର ସରକାର ଏଭଳି ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି । ହେଲେ ଏଥିପାଇଁ ରାଜ୍ୟର ଚାଷୀମାନଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଥିବା ଦେଖିବାକୁ ମିଳୁଛି ।