Home News in Odia ଚାରି ମାସରେ ୬୩୮୪ ଅପମୃତ୍ୟୁ

ଚାରି ମାସରେ ୬୩୮୪ ଅପମୃତ୍ୟୁ

ଭୁବନେଶ୍ୱର : ଚଳିତବର୍ଷର ଏପ୍ରିଲ ମାସ ସୁଦ୍ଧା ରାଜ୍ୟରେ ୬୩୮୪ଟି ଅପମୃତ୍ୟୁ ମାମଲା ରେକର୍ଡ ହୋଇଛି । ଯାହାକି ପୂର୍ବ ଦୁଇବର୍ଷ ତୁଳନାରେ ଢ଼େର ଅଧିକ ।

ବିଜେଡି ବିଧାୟକ ଅନନ୍ତ ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଦେଇଥିବା ସୂଚନାରୁ ଏହା ଜଣାଯାଇଛି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୦ ମସିହାରେ ରାଜ୍ୟରେ ୧୯,୬୭୧ଟି ଅପମୃତ୍ୟୁ ମାମଲା ପଞ୍ଜୀକୃତ ହୋଇଥିଲା । ଏଥିମଧ୍ୟରୁ ୫୪୮୨ଟି ଆତ୍ମହତ୍ୟାଜନିତ ହୋଇଥିବା ବେଳେ ୧୧୫ଟି ମାମଲା ପରବର୍ତ୍ତୀ ସମୟରେ ହତ୍ୟା ମାମଲାକୁ ପରିବର୍ତ୍ତିତ ହୋଇଛି ।

ସେହିପରି ୨୦୨୧ ମସିହାରେ ୨୦,୨୦୯ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ଏଥିମଧ୍ୟରୁ ୫୬୪୯ଟି ଆତ୍ମହତ୍ୟାଜନିତ ଅପମୃତ୍ୟୁ ମାମଲା ହୋଇଥିବା ବେଳେ ୮୯ଟି ମାମଲା ପରବର୍ତ୍ତୀ ସମୟରେ ହତ୍ୟା ମାମଲାକୁ ପରିବର୍ତ୍ତିତ ହୋଇଥିଲା । ତେବେ ଚଳିତବର୍ଷ ଏପ୍ରିଲ ମାସ ସୁଦ୍ଧା ରାଜ୍ୟରେ ୬୩୮୪ଗୋଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଚଳିତବର୍ଷ ଯେଉଁ ହାରରେ ଏଭଳି ମାମଲା ରୁଜୁ ହୋଇଛି ତାହା ଜାରି ରହି ପୂର୍ବବର୍ଷଗୁଡିକୁ ଏହା ଟପି ଯିବ ବୋଲି ଅପରାଧ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ।