ଭୁବନେଶ୍ୱର : ସାଇବର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଗତ ମଇ ମାସରେ ପ୍ରତିଷ୍ଠା ହୋଇଥିବା ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର ଦ୍ୱାରା ବର୍ତ୍ତମାନ ସୁଦ୍ଧା ୪୧୮୨ଟି ସନ୍ଦେହଜନକ ଆଇପି ଠିକଣାକୁ ଚିହ୍ନଟ କରାଯିବା ସହିତ ତାହାକୁ ‘ବ୍ଲକ୍’ କରାଯାଇଛି ।
ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର ଚଳିତବର୍ଷ ମଇ ୨୭ ତାରିଖରୁ କାର୍ଯ୍ୟକ୍ଷମ ହୋଇଛି । ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ଯଥା: ଷ୍ଟେଟ୍ ଡାଟା ସେଣ୍ଟର, ଷ୍ଟେଟ୍ ୱାଇଡ୍ ଏରିଆ ନେଟୱର୍କ ଏବଂ ସଚିବାଳୟ ପ୍ରଯୁକ୍ତିବିଦ୍ୟା ନେଟୱାର୍କ ଇତ୍ୟାଦିକୁ ସୁରକ୍ଷିତ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହାସହିତ ବିଭିନ୍ନ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମିକୁ ସାଇବର ସୁରକ୍ଷା ସମ୍ବନ୍ଧୀୟ ଉପଦେଶ ଏହି କେନ୍ଦ୍ର ଦ୍ୱାରା ଜାରି ହୋଇଥାଏ ।
ଏହି କେନ୍ଦ୍ର ସ୍ୱତଃସ୍ପୁର୍ତ୍ତ ଭାବେ ସାଇବର ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରି ତାହାକୁ ସଠିକ୍ ବିଶ୍ଲେଷଣ କରିବା ସହିତ ଆପତ୍ତିଜନକ ଆଇପିଗୁଡିକର ଚିହ୍ନଟ ଏବଂ ହ୍ୟାକରମାନଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କରି ସେହି ଆଇପିକୁ ବ୍ଲକ୍ କରିଥାଏ । ବର୍ତ୍ତମାନ ସୁଦ୍ଧା ଏହି କେନ୍ଦ୍ର ଦ୍ୱାରା ୪୧୮୨ଟି ଆପତ୍ତିଜନକ ଆଇପି ବ୍ଲକ୍ ହୋଇସାରିଲାଣି ।
ମନ୍ତ୍ରୀ କହିଛନ୍ତି ଯେ ଭବିଷ୍ୟତରେ ଏହି ସାଇବର ସୁରକ୍ଷା କେନ୍ଦ୍ର ଦ୍ୱାରା ବିଭିନ୍ନ ନିଗମ ତଥା ଅନ୍ୟାନ୍ୟ ସରକାରୀ ସଂସ୍ଥାଗୁଡିକର ସୂଚନା ପ୍ରଯୁକ୍ତି ଭିତ୍ତିଭୂମିକୁ ସୁରକ୍ଷା ଯୋଗାଇ ଦେବାର ଯୋଜନା ରହିଛି । ୱେବସାଇଟ୍ ପ୍ରସ୍ତୁତକାରୀମାନଙ୍କ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଉପଦେଶାବଳୀ ଏହି କେନ୍ଦ୍ର ଉପଲବ୍ଧ କରିବ ଏବଂ ଜନସାଧାରଣଙ୍କ ମଧ୍ୟରେ ସାଇବର ସୁରକ୍ଷା ସଂକ୍ରାନ୍ତୀୟ ସଚେତନତା କାର୍ଯ୍ୟ ହାତକୁ ନିଆଯିବ । ସଟ୍-ଇନ୍ ଏବଂ ଏନସିଆଇଆଇପି ସହଭାଗିତାରେ ବିପଦ ସମ୍ବନ୍ଧୀୟ ପୂର୍ବ ସୂଚନା ଦେବା ସହିତ ଏହାର କାର୍ଯ୍ୟକଳାପକୁ ଚିହ୍ନଟ କରି ଏହି କେନ୍ଦ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)