ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶ ଅବସରରେ ମହଣ ମହଣ ସୁନା ଅଳଙ୍କାର ପିନ୍ଧା ଯାଇଥିବା ଘେନି ଗଣମାଧ୍ୟମରେ ବ୍ୟାପକ ପ୍ରଚାର ହୋଇଥିବା ବେଳେ ବାସ୍ତବରେ ଶ୍ରୀମନ୍ଦିରରେ କେତେ ମହଣ ସୁନା ଅଳଙ୍କାର ରହିଛି ସେଥିଘେନି ଭକ୍ତ ମହଲରୁ ଏବେ ବି ସନ୍ଦେହ ଦୂରୀଭୂତ ହେଉନାହିଁ ।
ସରକାରୀ ତଥ୍ୟ ମୁତାବକ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଉପଲବ୍ଧ ହିସାବ ଅନୁଯାୟୀ ପରିଚାଳନା କମିଟିଙ୍କ ଦ୍ୱାରା ୧୯୭୮ ମସିହା ମଇ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ମଧ୍ୟରେ ଶ୍ରୀମନ୍ଦିରର ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇଥିଲା । ସେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଥିବାବେଳେ ଆଇନ ମନ୍ତ୍ରୀ ଥିଲେ ବିଶ୍ୱଭୂଷଣ ହରିଚନ୍ଦନ ।
ସେତେବେଳର ରାଜ୍ୟପାଳ ଭଗବତ ଦୟାଲ ଶର୍ମା ଶ୍ରୀମନ୍ଦିରର ରତ୍ନ ଭଣ୍ଡାରରେ ରଖାଯାଇଥିବା ସାମଗ୍ରୀ ଯାଞ୍ଚ ପାଇଁ ଗୁରୁତ୍ୱ ଆରୋପ କରିବା ସଙ୍ଗେ ସଙ୍ଗେ ତାଙ୍କ ଅଧ୍ୟକ୍ଷତାରେ ଡକ୍ଟର ହରେକୃଷ୍ଣ ମହତାବ, ଡକ୍ଟର ରାଧାନାଥ ରଥଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଗଠନ କରାଯାଇଥିବା କମିଟି ଶ୍ରୀମନ୍ଦିରର ସଂସ୍କାର ପାଇଁ ଯେତେସବୁ ପ୍ରସ୍ତାବ ଦେଇଥିଲେ ସେଥିରୁ ଅଧିକାଂଶ ପ୍ରାୟ ୫୦ ବର୍ଷ ଧରି ଫାଇଲରେ ବନ୍ଧା ହୋଇ ପଡି ରହିଛି ।
ସେ ସମୟରେ ଶ୍ରୀମନ୍ଦିରର ଭିତର ଓ ବାହାର ରତ୍ନ ଭଣ୍ଡାର ସାମଗ୍ରୀଗୁଡିକର ଯେଉଁ ତାଲିକା ପ୍ରସ୍ତୁତ କରାଯାଇଥିଲା ସେଥିରେ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷର ପରିମାଣ ୧୨,୮୩୧ ଭରି ଏକ ଅଣା ଏବଂ ରୁପା ବାସନ ଓ ପୂଜା ସାମଗ୍ରୀ ତଥା ଅନ୍ୟାନ୍ୟ ଜିନିଷର ପରିମାଣ ୨୨,୧୫୩ ଭରି ବୋଲି ଦର୍ଶାଯାଇଥିଲା । ଏହାବ୍ୟତୀତ ଆଉ ୧୪ଟି ସୁନା ଓ ରୁପା ସାମଗ୍ରୀ ବିଭିନ୍ନ କାରଣରୁ ଓଜନ କରାଯାଇ ପାରିନଥିବାରୁ ତାହାର ପରିମାଣ ଏହି ତାଲିକାରେ ସାମିଲ କରାଯାଇ ନଥିଲା ।
ଏଠାରେ ଉଲ୍ଲେଖନୀୟ ଯେ ଗୋଟିଏ ଭରିର ପରିମାଣ ୧୧.୬୬ ଗ୍ରାମ ହୋଇଥିବା ବେଳେ ମୂଲ୍ୟବାନ ପଥର ସହ ଶ୍ରୀମନ୍ଦିରର ଭିତର ଓ ବାହାର ରତ୍ନ ଭଣ୍ଡାରର ଯେତିକି ସୁନା ସାମଗ୍ରୀ ୧୯୭୮ ମସିହାରେ ଓଜନ କରାଯାଇଥିଲା ତାହାର ପରିମାଣ ୧୪୯ କିଲୋ ୬୧୦ ଗ୍ରାମ ଓ ରୁପା ସାମଗ୍ରୀର ପରିମାଣ ପଥର ସହିତ ୨୫୮ କିଲୋ ୩୦୪ ଗ୍ରାମ ଥିଲା ।
ତେବେ ଇତିମଧ୍ୟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ କେତେ ସୁନାରୁପା ସାମଗ୍ରୀର ପରିମାଣ ବଢ଼ିଛି କି କିମିଛି ସେ ସଂକ୍ରାନ୍ତରେ ୪୪ବର୍ଷ ହେବ କିଛି ହିସାବ ହୋଇନାହିଁ । ରତ୍ନ ଭଣ୍ଡାର ଗୃହର ସ୍ଥିତି ଅନୁଧ୍ୟାନ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଯିବା ବେଳକୁ ରତ୍ନ ଭଣ୍ଡାରର ଚାବି ନ ମିଳିବାରୁ ଏହି ଅନୁଧ୍ୟାନକାରୀ ଦଳ ବାହାରୁ ଜାଲି ବାଟେ ଟର୍ଚ୍ଚ ପକାଇ ଭିତର ଅବସ୍ଥା ଦେଖିଥିଲେ ।
ପରେ ପୁରୀ ଜିଲ୍ଲାପାଳଙ୍କ ରେକର୍ଡ ରୁମ୍ରୁ ଏକ ଲଫାପା ଭିତରୁ ଡୁପ୍ଲିକେଟ୍ ଚାବି ମିଳିଥିବା କୁହାଯାଇଥିଲା । ଏ ପ୍ରସଙ୍ଗ ଘେନି ବିବାଦ ଓ ବିତର୍କ ଉପୁଜିବା ପରେ ରାଜ୍ୟ ସରକାର ସତ୍ୟାସତ୍ୟ ନିରୂପଣ ଲାଗି ଓଡ଼ିଶା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କମିଶନ ବସାଇ ତଦନ୍ତ କରାଇଥିଲେ ।
ଏବେ ରତ୍ନ ଭଣ୍ଡାର ଗୃହର ନିରାପତ୍ତା ତଥା ମରାମତି ଘେନି ପୁଣି ବିତର୍କ ସୃଷ୍ଟି ହେଲାଣି । ଏ ପରିପ୍ରେକ୍ଷୀରେ ଆଇନାନୁମୋଦିତ ପନ୍ଥାରେ ଶ୍ରୀମନ୍ଦିରର ସମସ୍ତ ରତ୍ନ ଭଣ୍ଡାରରେ କେତେ ସମ୍ପତ୍ତି ଗଚ୍ଛିତ ରହିଛି ତାହାର ହିସାବ ନିକାଶ ସହ ଯଦି ରତ୍ନ ଭଣ୍ଡାର ଗୃହ ଦୁର୍ବଳ ହୋଇପଡିଥାଏ, ତେବେ ତୁରନ୍ତ ମରାମତି ଲାଗି ମତ ପ୍ରକାଶ ପାଉଛି ।
ଏଠାରେ ଉଲ୍ଲେଖନୀୟ ଯେ ପୁରୀ ଶ୍ରୀମନ୍ଦିରର ରାଜ୍ୟ ଭିତରେ ୬୦,୪୧୦ ଏକର ଓ ରାଜ୍ୟ ବାହାରେ ୩୯୫ ଏକରରୁ ଅଧିକ ପରିମାଣର ଭୂସମ୍ପତ୍ତି ଥିବା ଚିହ୍ନିତ ହୋଇଥିଲେ ମଧ୍ୟ ଏଥିରୁ ଅନେକ ଜବରଦଖଲରେ ଥିବା ଏବଂ କେତେକକୁ ଜବରଦଖଲକାରୀମାନେ ବିକ୍ରି କରିଦେଉଥିବା ଫଳରେ ଶ୍ରୀମନ୍ଦିର ପାଇଁ ଭୂସମ୍ପତ୍ତିରୁ ଯେତେ ଆୟ ଆସିବା କଥା ତାହା ମିଳିପାରୁ ନାହିଁ । (ତଥ୍ୟ)