Home Judiciary ସଂଶୋଧନ ଆଇନ ରାୟକୁ ଅପେକ୍ଷା

ସଂଶୋଧନ ଆଇନ ରାୟକୁ ଅପେକ୍ଷା

ଭୁବନେଶ୍ୱର : କେନ୍ଦ୍ରୀୟ ଓ ରାଜ୍ୟ ଆଇନ ମଧ୍ୟରେ ଯେଉଁଠି ବିବାଦୀୟ ପରିସ୍ଥିତି ଉପୁଜେ ସେଠାରେ କେନ୍ଦ୍ରୀୟ ଆଇନ ଅନୁଯାୟୀ ହିଁ କାର୍ଯ୍ୟ କରାଯିବ ବୋଲି ଉଲ୍ଲେଖ କରିବା ସହ ସୁପ୍ରିମକୋର୍ଟଙ୍କ ନିକଟରେ ଗୁଜରାଟ ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଅଧିନିୟମ ଆଧାରରେ କରିବାକୁ ମତବ୍ୟକ୍ତ କରିଥିବା ପରିପ୍ରେକ୍ଷୀରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନର ଭାଗ୍ୟ ଓ ଭବିଷ୍ୟତ କ’ଣ ହେବ ସେଥିଘେନି ବିଭିନ୍ନ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ଇତିମଧ୍ୟରେ ବିଶ୍ୱବିଦ୍ୟାଳୟ ଆଇନରେ ଅନେକଗୁଡିଏ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଆଣି ବିଶ୍ୱବିଦ୍ୟାଳୟର ଶିକ୍ଷକ ନିଯୁକ୍ତିକୁ ଦାୟିତ୍ୱ ଓଡ଼ିଶା ଲୋକସେବା ଆୟୋଗ ଉପରେ ନ୍ୟସ୍ତ କରିଥିବା ବେଳେ କୁଳପତି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଥିବା ବ୍ୟବସ୍ଥାକୁ ବଦଳାଇ ଦେଇଛନ୍ତି । ଏ ପ୍ରସଙ୍ଗ ଓଡ଼ିଶା ହାଇକୋର୍ଟରେ ଉଠିଥିଲା ଏବଂ ହାଇକୋର୍ଟ ରାଜ୍ୟ ସରକାରଙ୍କ ସଂଶୋଧିତ ଆଇନକୁ କାଏମ୍‍ ରଖିବା ପରେ ଏହା ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଚାଲିଛି । ସୁପ୍ରିମକୋର୍ଟ ପ୍ରତିପକ୍ଷମାନଙ୍କୁ ନୋଟିସ୍‍ ଜାରି କରିବା ସହ ରହିତାଦେଶ ଜାରି କରିଥିବା ପରିପ୍ରେକ୍ଷୀରେ ଲୋକସେବା ଆୟୋଗ ମାଧ୍ୟମରେ ଚାଲିଥିବା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଅଧାରେ ଅଟକି ଯାଇଛି ।

ନିକଟରେ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ଅନୁରୂପ ଏକ ମାମଲାର ବିଚାରକରି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧିନିୟମାବଳୀ ୟୁଜିସି ଆଇନର ଅଂଶବିଶେଷ ହୋଇଥିବା ଏବଂ ଏହା ଏକ ‘ସବଅର୍ଡିନେଟ୍‍ ଲେଜିସଲେସନ’ ହୋଇଥିବା ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଆଇନ ବଳବତ୍ତର ରହିବ ବୋଲି ମତ ଦେଇଛନ୍ତି । ଗୁଜରାଟ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଆଇନରେ କେତେକ ସଂଶୋଧନ ଆଣି ତଦନୁଯାୟୀ କୁଳପତି ନିଯୁକ୍ତି କରୁଥିବା ଘଟଣାର ବିରୋଧକରି ଏକ ମାମଲା ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ଆସିଥିଲା ।

ବିଶେଷକରି ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପାଇଁ ଗଢ଼ା ଯାଇଥିବା ଚୟନ କମିଟି ୟୁଜିସି ଆଇନର ବିରୁଦ୍ଧାଚରଣ କରୁଥିବା ପରିପ୍ରେକ୍ଷୀରେ ନ୍ୟାୟ ପାଇଁ ଜି.କେ. ଗାଭ୍ୱି ନାମକ ଜଣେ ବ୍ୟକ୍ତି ସମ୍ବିଧାନର ୩୨ ଧାରା ଆଧାରରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତିକୁ ବାତିଲ ସହ ଯେଉଁ ବିଜ୍ଞପ୍ତି ଆଧାରରେ କୁଳପତି ଚୟନ କରାଯାଇଛି ତାହାକୁ ମଧ୍ୟ ନାକଚ କରିବା ଲାଗି ପ୍ରାର୍ଥନା କରିଥିଲେ ।

ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ଏହି ମାମଲାର ବିସ୍ତୃତ ଶୁଣାଣିକରି ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟ ଆଇନାନୁଯାୟୀ ୟୁଜିସି ସହ ଅନୁବନ୍ଧିତ ହୋଇଥିବା ଏବଂ କେନ୍ଦ୍ର ସରକାର ଓ ୟୁଜିସି ଏହି ବିଶ୍ୱବିଦ୍ୟାଳୟକୁ ଆର୍ଥିକ ସହାୟତା ଦେଉଥିବା ପରିପ୍ରେକ୍ଷୀରେ ୟୁଜିସି ଆଇନ ଓ ତାହାର ଅଧିନିୟମ ଆଧାରରେ ହିଁ ବିଶ୍ୱବିଦ୍ୟାଳୟର ନିଯୁକ୍ତି ପ୍ରକ୍ରିୟା ଚାଲିବା ଆବଶ୍ୟକ ବୋଲି କହିଛନ୍ତି ।

ସୁପ୍ରିମକୋର୍ଟ ଏକଥା ମଧ୍ୟ ଏହି ରାୟରେ ସ୍ପଷ୍ଟ କରିଦେଇଛନ୍ତି ଯେ ଯେଉଁ କ୍ଷେତ୍ରରେ କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ କେନ୍ଦ୍ରୀୟ ଆଇନ ସହ ରାଜ୍ୟ ଆଇନର ବିରୋଧାଭାସ ଦେଖାଯିବ ସେଠାରେ ସମ୍ବିଧାନର ୨୫୪ ଧାରା ଆଧାରରେ କେନ୍ଦ୍ରୀୟ ଆଇନ ଆଧାରରେ ହିଁ କାର୍ଯ୍ୟ କରାଯାଇପାରିବ । ରାଜ୍ୟ ସରକାର ଯଦି ବିଶ୍ୱବିଦ୍ୟାଳୟ ସଂକ୍ରାନ୍ତରେ କୌଣସି ଆଇନ ପ୍ରଣୟନ କରୁଥାନ୍ତି, ତେବେ ଏ କ୍ଷେତ୍ରରେ କେନ୍ଦ୍ରୀୟ ଆଇନକୁ ଆଖିଆଗରେ ରଖି ରାଜ୍ୟ ଆଇନରେ ସଂଶୋଧନ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।

ତେବେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ସଂକ୍ରାନ୍ତୀୟ ମାମଲା ସ୍ୱତନ୍ତ୍ର ଭାବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବା ପରିପ୍ରେକ୍ଷୀରେ ସେଥିରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କ’ଣ ରାୟ ଦେଉଛନ୍ତି ତାହା ଉପରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡିକର ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷାପ୍ରେମୀଙ୍କ ସମେତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନଜର ରହିଛି । (ତଥ୍ୟ)