Home News in Odia ଛାତ୍ରୀ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି

ଛାତ୍ରୀ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାର ତଦନ୍ତ ଭାର ସିବିଆଇକୁ ଦେବାପାଇଁ ଆଜି ବିଧାନସଭାରେ ଉୟଭ ବିଜେପି ଓ କଂଗ୍ରେସ ଦାବି କରିଥିବାବେଳେ ଏହି ପ୍ରସଙ୍ଗରେ ଦୁଇ ଦଳର ହଟଗୋଳ ଯୋଗୁଁ ପ୍ରଶ୍ନକାଳ ହୋଇପାରି ନଥିଲା । ତେବେ ଏହା ଉପରେ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତ୍ତି ରଖିବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ଉଭୟ ବିଜେପି ଓ କଂଗ୍ରେସର ସଦ୍ୟମାନେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଆଲୋଚନା କରିବାକୁ ଚାହିଁଥିଲେ । ତେବେ ବାଚସ୍ପତି ଶ୍ରୀ ଆରୁଖ ଏହି ପ୍ରସଙ୍ଗ ଶୂନ୍ୟକାଳରେ ଉଠାଇବାପାଇଁ କହିବା ସହିତ ପ୍ରଶ୍ନର ଉତ୍ତର ରଖିବାକୁ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀଙ୍କୁ ଡାକିଥିଲେ ।

ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଗୃହରେ ଉତ୍ତର ରଖୁଥିବାବେଳେ ବିରୋଧି କଂଗ୍ରେସ ଓ ବିରୋଧିଦଳର ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟଗୋଳ କରିଥିଲେ । ଫଳରେ ଗୃହକାର୍ଯ୍ୟ ମାତ୍ର ୬ ମିନିଟ୍‍ ପାଇଁ ଚାଲିପାରିଥିଲା । ହଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ୧୧.୩୦ପର୍ଯ୍ୟନ୍ତ ମୁଲତବି ରଖିଥିଲେ ।

ଶୂନ୍ୟ କାଳରେ ବିଜେପି ଦଳର ସଚେତକ ମୋହନ ମାଝି ଏହି ପ୍ରସଙ୍ଗ ଉଠାଇ ବିଜେବି ଭଳି ସୁନାମଧନ୍ୟ କଲେଜରେ ଛାତ୍ରୀଙ୍କୁ ରାଗିଂ କରାଯିବା ଓ ଏଥିଯୋଗୁଁ ଜୀବନ ହାରିବା ଅତ୍ୟନ୍ତ ସ୍ପର୍ଶକାତର ଘଟଣା । ପୂର୍ବରୁ ଏଭଳି ଯେତେ ଘଟଣା ଘଟିଛି କୌଣସିଥିରେ ପୁଲିସ୍‍ ତଦନ୍ତରୁ ସେଭଳି ସୁଫଳ ମିଳନାହିଁ । ତେଣୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେବାପାଇଁ ସେ ଦାବି କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଜେପି ବିଧାୟକଦଳର ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନିପତି ଓ ସନ୍ତୋଷ ସିଂହ ସାଲୁଜା ପ୍ରସଙ୍ଗ ଏଡି ପ୍ରସଙ୍ଗରେ ନିଜ ନିଜ ମତ ରଖି ସିବିଆଇ ତଦନ୍ତ ଦାବି କରିଥିଲେ । ବିଜେପି ବିଧାୟକ ଶ୍ରୀ ସେଠୀ ରାଗିଂ ଭଳି କୁତ୍ସିତ ମାନସିକତାର ଅନ୍ତ ଘଟାଇବାପାଇଁ ସିବିଆଇ ତଦନ୍ତ ଜରୁରୀ ବୋଲି କହିଥିବାବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ଆଣ୍ଟି ରାଗିଂ ବିଲ୍‍ ଆଣିବାକୁ ମତ ଦେଇଥିଲେ ।

ଶ୍ରୀ ବାହିନିପତି କହିଥିଲେ ଯେ ବାପ ମା’ଙ୍କ ସମ୍ପତ୍ତି ଦେଉଛନ୍ତି ସେମାନଙ୍କ ପିଲାମାନେ । ପିଲାମାନେ ରାଗିଂର ସମ୍ମୁଖୀନ ହୋଇ ଅକାଳରେ ଚାଲିଯିବାର ଦୁଃଖ ବାପ ମା’ମାନେ ଭୋଗୁଛନ୍ତି ।
ସଦସ୍ୟମାନେ ନିଜ ନିଜ ମତ ରଖିବାପରେ ବାଚସ୍ପତି ଶ୍ରୀ ଆରୁଖ ଏହି ପ୍ରସଙ୍ଗରେ ଆଜି ଗୃହ କାର୍ଯ୍ୟ ସରିବା ପୂର୍ବରୁ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଗୃହରେ ବିବୃତ୍ତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।