ଭୁବନେଶ୍ୱର : ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କାରବାର ପ୍ରତି ଲୋକଙ୍କର ଆଗ୍ରହ ନାହିଁ । ରାଜ୍ୟ ଦୁଇ ଜିଲ୍ଲା ଗଞ୍ଜାମ ଓ ସମ୍ବଲପୁରକୁ ଡିଜିଟାଇଜ୍ଡ ଜିଲ୍ଲା ପାଇଁ ଚିହ୍ନଟ ହୋଇଥିବାବେଳେ ଏଠାରେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କାରବାର କରୁଥିବା ହିତାଧିକାରୀଙ୍କ ସଂଖ୍ୟା ୩୦ ପ୍ରତିଶତ ବି ଟପୁନାହିଁ ।
କଟକ ଓ ବଲାଙ୍ଗିର ଜିଲ୍ଲା ଡିଜିଟାଇଜଡ ଘୋଷଣା ହେବାପରେ ପରବର୍ତ୍ତୀ ଦୁଇ ଜିଲ୍ଲା ସମ୍ବଲପୁର ଓ ଗଞ୍ଜାମକୁ ଏଥିପାଇଁ ଚିହ୍ନଟ କରାଯାଇଛି । ଏହି ଦୁଇ ଜିଲ୍ଲା ଦାୟିତ୍ୱ ପଞ୍ଜାବ ନେସନାଲ ବ୍ୟାଙ୍କ୍ ଓ ୟୁନିଅନ ବ୍ୟାଙ୍କ୍କୁ ଦିଆଯାଇଛି । ଏହି ଦୁଇ ଜିଲ୍ଲାରେ ଡିଜିଟାଇଜେସନ କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ନିକଟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ସୂଚନା ଦିଆଯାଇଥିଲା ।
ଏହି ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ପାଖାପାଖି ୪୭ହଜାର ସେଭିଙ୍ଗସ୍ ଆକାଉଣ୍ଟଧାରୀ ଥିବାବେଳେ ଏମାନଙ୍କ ମଧ୍ୟରୁ ମାତ୍ର ୧୨.୫୫ ପ୍ରତିଶତ ଅର୍ଥାତ୍ ୫ଲକ୍ଷ ୮୯ହଜାର ଗ୍ରାହକ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କାରବାର ସହିତ ଜଡିତ । ସେହିଭଳି ମୋବାଇଲ ବ୍ୟାଙ୍କିଙ୍ଗ୍, ୟୁପିଆଇ, ୟୁଏସ୍ଏସ୍ଡି ଆଦି ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ୪୩.୨୧ ପ୍ରତିଶତରେ ସୀମିତ ରହିଛି ।
ଡିଜିଟାଲ କାରବାର ପାଇଁ ଡେବିଟ୍ କାର୍ଡର ବହୁଳ ଆବଶ୍ୟକତା ଥିବାବେଳେ ଏହି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୬୨.୫୯ ପ୍ରତିଶତ ସେଭିଙ୍ଗସ୍ ଆକାଉଣ୍ଟ ହିତାଧିକାରୀ ଡେବିଟ୍/ରୁପେ କାର୍ଡ ବ୍ୟବହାର କରୁଛନ୍ତି । ଅର୍ଥ ପଇଠ ପାଇଁ ଆଧାରକାର୍ଡ ଜରୁରୀ ହୋଇଥିବାବେଳେ ଏବେ ବି ୫୨ ପ୍ରତିଶତରୁ କମ୍ ସେଭିଙ୍ଗସ୍ ଆକାଉଣ୍ଟ ଆଧାରକାର୍ଡ ସହିତ ସଂଯୋଗ ହୋଇଛି ।
ତେବେ ଏହି ଜିଲ୍ଲାରେ ମାତ୍ର ୪୩,୦୩୧ କରେଣ୍ଟ ଓ ବ୍ୟବସାୟିକ ଆକାଉଣ୍ଟ କାର୍ଯ୍ୟକ୍ଷମ ହେଉଥିବାବେଳେ ପାଖପାଖି ୫୦ ପ୍ରତିଶତ ଆକାଉଣ୍ଟଧାରୀ ନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରୁଛନ୍ତି । ସେହିଭଳି ପାଖାପାଖି ୩୪ ପ୍ରତିଶତ ବ୍ୟବସାୟିକ ଆକାଉଣ୍ଟଧାରୀ ପୋସ୍ କିମ୍ବା କ୍ୟୁଆର ମେସିନ୍ ବ୍ୟବହାର କରୁଥିବାବେଳେ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର ୪୨ ପ୍ରତିଶତରୁ କମ୍ ରହିଛି ।
ତେବେ ସମ୍ବଲପୁରରେ ଯଦିଓ ଗଞ୍ଜାମ ତୁଳନାରେ କମ୍ ଆକାଉଣ୍ଟଧାରୀ ରହିଛନ୍ତି କିନ୍ତୁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କ୍ଷେତ୍ରରେ ଏହି ଜିଲ୍ଲା ଗଞ୍ଜାମ ଠାରୁ ଆଗରେ ରହିଛି । ସମ୍ବଲପୁର ଜିଲ୍ଲାରେ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ୯,୪୧,୮୨୪ ଜଣ ସେଭିଙ୍ଗସ ଆକାଉଣ୍ଟଧାରୀ ଥିବାବେଳେ ଏମାନଙ୍କ ମଧ୍ୟରୁ ୨୮.୩୯ ପ୍ରତିଶତ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ପ୍ରାୟ ୪୨ ପ୍ରତିଶତ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରୁଛନ୍ତି । ପାଖାଫଖି ୬୬ ପ୍ରତିଶତ ଆକାଉଣ୍ଟଧାରୀ ଡେବିଟ୍ କିମ୍ବା ରୁପେ କାର୍ଡ ନେଇଥିବାବେଳେ ୪୨ ପ୍ରତିଶତ ଆକାଉଣ୍ଟରେ ଆଧାର ଲିଙ୍କ୍ ହୋଇପାରିଛି ।
ସମ୍ବଲପୁର ଜିଲ୍ଲାରେ କରେଣ୍ଟ ଓ ବିଜିନେସ ଆକାଉଣ୍ଟଧାରୀଙ୍କ ସଂଖ୍ୟା ଗଞ୍ଜାମ ଜିଲ୍ଲା ତୁଳନାରେ ଅଧାରୁ କମ୍ ରହିଛି । ଏହି ଜିଲ୍ଲାରେ ପାଖାପାଖି ୨୪ ପ୍ରତିଶତ ବ୍ୟବସାୟିକ ଆକାଉଣ୍ଟଧାରୀ ପୋସ୍ କିମ୍ବା କ୍ୟୁଆର ବ୍ୟବହାର କରୁଥିବାବେଳେ ୪୫ ପ୍ରତିଶତ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଏବଂ ୪୬ ପ୍ରତିଶତ ନେଟ୍ ବ୍ୟାଙ୍କିଙ୍ଗ୍ର ସଦୁପଯୋଗ କରୁଛନ୍ତି ।
ତେବେ ଓଡିଶାରେ ସାଇବର ଠକମାନେ ବାରମ୍ବାର ବ୍ୟାଙ୍କ୍ ହିତାଧିକାରୀଙ୍କୁ ଟାର୍ଗେଟ କରିବା ସହିତ ବ୍ୟାଙ୍କ୍ ଆକାଉଣ୍ଟରେ କଳାକନା ବୁଲାଉଥିବାରୁ କେବଳ ଏହି ଦୁଇ ଜିଲ୍ଲା ନୁହେଁ ଅନ୍ୟାନ୍ୟ ବହୁ ଜିଲ୍ଲାରେ ମଧ୍ୟ ଲୋକେ ନେଟ୍ ବ୍ୟାଙ୍କିଙ୍ଗ୍, ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଏପରିକି ଡେବିଟ୍ ଓ କ୍ରେଡିଟ୍ କାର୍ଡ ବ୍ୟବହାର କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଯାହା ଫଳରେ ଡିଜିଟାଲ କାରବାର ଅନେକ ଜିଲ୍ଲାରେ ଧିମେଇ ଯାଇଛି । (ତଥ୍ୟ)