Home Environment ପ୍ଲାଷ୍ଟିକ କଟକଣାକୁ ରୋକିବ କିଏ ?

ପ୍ଲାଷ୍ଟିକ କଟକଣାକୁ ରୋକିବ କିଏ ?

ଭୁବନେଶ୍ୱର : କେନ୍ଦ୍ର ସରକାର ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ଉପରେ କଟକଣା ଜାରି କରିବାପରେ ଏବେ ରାଜ୍ୟରେ ଏହାର ଉଲ୍ଲଙ୍ଘନକାରୀଙ୍କୁ କିଏ ଜଗିବ ବୋଲି ପ୍ରଶ୍ନ ଉଠିଛି । କାରଣ ରାଜ୍ୟ ସରକାର ବହୁ ପୂର୍ବରୁ ଏଭଳି ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରିଥିଲେ ମଧ୍ୟ ତାହା ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ ।

କେନ୍ଦ୍ର ସରକାର କଟକଣା ଲଗାଇବାର ପ୍ରାୟ ୪ବର୍ଷ ପୂର୍ବରୁ ରାଜ୍ୟ ସରକାର ନିମ୍ନମାନର ପଲିଥିନ୍‍ ଓ ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ଉପରେ ବାରମ୍ବାର କଟକଣା ଲଗାଉଛନ୍ତି । ହେଲେ ଏହା ଠିକଣା ଭାବେ କାର୍ଯ୍ୟକାରୀ ହୋଇନାହିଁ । ଖୋଦ୍‍ ରାଜଧାନୀରେ ବି ନିମ୍ନମାନର ବିଶେଷକରି ୨୦ ମାଇକ୍ରନରୁ କମ୍‍ ମାନର ପଲିଥିନ୍‍ ବ୍ୟବହାରକୁ କର୍ତ୍ତୃପକ୍ଷ ବନ୍ଦ କରିପାରି ନାହାନ୍ତି । ମଝିରେ ମଝିରେ ବିଭିନ୍ନ ପଲିଥିନ୍‍ ଗୋଦାମ ଉପରେ ଚଢଉ କରି ନିଜର କାମ ସାରିଦେଇଥାନ୍ତି ।

ରାଜ୍ୟ ସରକାର କଟକଣା ଜାରି କରିବାପରେ ଅନେକ ନିମ୍ନମାନର ପ୍ଲାଷ୍ଟିକ ସାମଗ୍ରୀ ବିଶେଷକରି ପଲିଥିନ୍‍ଗୁଡିକ ଗାଁ ଗହଳ ମୁହାଁ ହୋଇଛନ୍ତି । ଗାଁ ଗହଳରେ ରଙ୍ଗ ବେରଙ୍ଗର ନିମ୍ନମାନର ପଲିଥିନ୍‍ ବ୍ୟବହାର ହେଉଥିବାବେଳେ ତାହାକୁ ଜଗିବାକୁ କେହି ନାହାନ୍ତି । ଫଳରେ ସରକାର ଆଖିରେ ଧୂଳିଦେଇ ଏଭଳି ନିମ୍ନମାନର ସାମଗ୍ରୀ ବିକୁଥିବା ବ୍ୟବସାୟୀ ଓ ସଂସ୍ଥାମାନେ ଗାଁ ଗହଳର ବଜାର ଉପରେ ଫୋକସ କରୁଛନ୍ତି ।

ଲୋକଙ୍କୁ ପଲିଥିନ୍‍ ବ୍ୟହାରରୁ ଦୂରେଇ ରଖିବାପାଇଁ ବିଏମ୍‍ସି କର୍ତ୍ତୃପକ୍ଷ କପଡା ବ୍ୟାଗ ବଣ୍ଟନ ସହିତ ମକାରୁ ପ୍ରସ୍ତୁତ ପଲିଥିନ୍‍ ବ୍ୟବହାର କରାଯିବ ବୋଲି ଘୋଷଣା କରିଥିଲେ । ହେଲେ ସେହି ଘୋଷଣା କେବଳ ଘୋଷଣାରେ ରହିଗଲା । ସେହିଭଳି ଦୁଗ୍ଧ ପ୍ୟାକେଟ ପାଇଁ ବ୍ୟବହାର ହେଉଥିବା ଜରିକୁ ଘରକୁ ଘର ବୁଲି ସଂଗ୍ରହ କରାଯିବ ବୋଲି ବିଏମ୍‍ସିର ଘୋଷଣା ବି ଏବେ ନାଲିଫିତା ତଳେ ।

ବେସରକାରୀ ଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସବୁଠାରେ ପ୍ଲାଷ୍ଟିକ ମୁଣା ଠାରୁ ଆରମ୍ଭ କରି ଗ୍ଲାସ, କପ୍‍ ଆଦିର ବହୁ ବ୍ୟବହାର ହେଉଥିବାବେଳେ କର୍ତ୍ତୃପକ୍ଷ ଏଥିପ୍ରତି ଏକ ପ୍ରକାର ଆଖି ବୁଜି ଦେଇଛନ୍ତି । ମଝିରେ ମଝିରେ କେବଳ ଚଢଉ ଓ ଜୋରିମାନା ଲଗାଇ ଦେଉଛନ୍ତି । ଏହା ଫଳରେ ରାଜ୍ୟ ଭିତରେ ଓ ବାହାରେ ପଲିଥିନ୍‍ ଓ ନିମ୍ନମାନର ପ୍ଲାଷ୍ଟିକ ପ୍ରସ୍ତୁତ କରୁଥିବା କମ୍ପାନୀମାନେ ଓଡିଶାରେ ସେମାନଙ୍କର ବ୍ୟବସାୟ ବେଧଡକ ଭାବେ ଚଳାଇଛନ୍ତି ।

ବର୍ତ୍ତମାନ କେନ୍ଦ୍ର ସରକାର ଜାରି କରିଥିବା କଟକଣାକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ହେଉଛି ରାଜ୍ୟ କର୍ତ୍ତୃପକ୍ଷଙ୍କର । ଏଥିପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣବୋର୍ଡ ବିଜ୍ଞପ୍ତି ଜାରି କରିଛି । ହେଲେ ଏହା କେତେଦୂର କାର୍ଯ୍ୟକାରୀ ହେବ ତାହାକୁ ନେଇ ପ୍ରଶ୍ନବାଚୀ ଉଠିଛି । କାରଣ ଯେଉଁ ଅଧିକାରୀମାନେ ଗତ ଚାରିବର୍ଷ ଧରି ସାମାନ୍ୟ ପଲିଥିନ୍‍କୁ ନିୟନ୍ତ୍ରଣ କରିପାରିଲେ ନାହିଁ ସେମାନେ ଏବେ ନିମ୍ନମାନର ପଲିଥିନ୍‍ ସହିତ ଅନ୍ୟାନ୍ୟ ବିପୁଳ ପରିମାଣର ପ୍ଲାଷ୍ଟିକ ସାମଗ୍ରୀ କାରବାରକୁ କିଭଳି ରୋକିବେ ତାହା ସାଧାରଣରେ ଆଲୋଚନାର ବିଷୟବସ୍ତୁ ପାଲଟିଛି । (ତଥ୍ୟ)