ଭୁବନେଶ୍ୱର : ମହିଳାମାନଙ୍କର ଆୟ ବୃଦ୍ଧି ଓ ସଶକ୍ତିକରଣକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଥିବାବେଳେ ଗ୍ରାମପଞ୍ଚାୟତ ପୋଖରୀକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଗ୍ରାଧିକାର ଭିତ୍ତିରେ ମାଛଚାଷ ପାଇଁ ଯୋଗାଇ ଦିଆଯାଉଛବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି କୃଷି ଭବନଠାରେ ମତ୍ସ୍ୟ ବିଭାଗର ବିିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ବିଶଦ ଭାବରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ରାଜ୍ୟ ସରକାର ମାଛଚାଷକୁ ବିଶେଷ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଅନେକଗୁଡ଼ିଏ ଚାଷୀ ଅନୁକୂଳ ଯୋଜନା ପ୍ରଣୟନ କରାଯାଇଛି । ମାଛଚାଷ ନିମନ୍ତେ ମାଛଚାଷୀଙ୍କୁ ଆଗୁଆ ପର୍ଯ୍ୟାପ୍ତ ପରିମାଣର ଉନ୍ନତ ମାନର ମାଛ ଜାଆଁଳ ଯୋଗାଇଦେବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପଡୋଶୀ ରାଜ୍ୟରୁ ଯେପରି ନିମ୍ନ ମାନର ମାଛ ଜାଆଁଳ ରାଜ୍ୟକୁ ନଆସେ ସେଥି ନିମନ୍ତେ ରାଜ୍ୟରେ ଆଗୁଆ ମାଛ ଜାଆଁଳ ଉତ୍ପାଦନ ଓ ଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଛନ୍ତି ।
ମହିଳାମାନଙ୍କର ଆୟ ବୃଦ୍ଧି ଓ ସଶକ୍ତିକରଣକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଥିବାବେଳେ ଗ୍ରାମପଞ୍ଚାୟତ ପୋଖରୀକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଗ୍ରାଧିକାର ଭିତ୍ତିରେ ମାଛଚାଷ ପାଇଁ ଯୋଗାଇ ଦିଆଯାଉଛି । ଗ୍ରାମୀଣ ଅର୍ଥନୀତିର ବିକାଶ ଦିଗରେ ଏହା ରାଜ୍ୟ ସରକାରଙ୍କ ଏକ ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ହୋଇଥିବାରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାଛଚାଷ ପ୍ରତି ଆଗ୍ରହୀ କରିବା ନିମନ୍ତେ କ୍ଷେତ୍ର ଅଧିକାରୀମାନେ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ କହିଛନ୍ତି ।
ସେହିପରି ମତ୍ସ୍ୟ ପୋଖରୀ ଯୋଜନାରେ ରାଜ୍ୟ ସରକାର ଆକର୍ଷଣୀୟ ପ୍ରୋତ୍ସାହନ ଯୋଗାଇ ଦେଉଥିବାରୁ ଅଧିକରୁ ଅଧିକ ହିତାଧିକାରୀଙ୍କୁ ଏଥିରେ ସାମିଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ସ୍ୱାଭିମାନ ଅଞ୍ଚଳରେ ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ଓ ରୂପାନ୍ତରଣ ନିମନ୍ତେ ମତ୍ସ୍ୟ ବିଭାଗର ଯୋଜନାଗୁଡ଼ିକୁ ଅଧିକ କି୍ରୟାଶୀଳ କରିବା ପାଇଁ ସେ କହିଛନ୍ତି ।
ସାମୁଦି୍ରକ ମତ୍ସ୍ୟ ଉତ୍ପାଦନ ନିମନ୍ତେ ଓଡ଼ିଶା ଉପକୂଳରେ ବ୍ୟବହୃତ ଟ୍ରଲର ଏବଂ ଯନ୍ତ୍ରଚାଳିତ ଡଙ୍ଗାର ଏକ ଡାଟାବେସ୍ ପ୍ରସ୍ତୁତ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । ସମୁଦ୍ରରେ ମାଛ ମାରିବା ପାଇଁ ପ୍ରତିବନ୍ଧକ ଜାରି ହୋଇଥିବା ସମୟରେ ମତ୍ସ୍ୟଜୀବୀମାନଙ୍କୁ ପ୍ରଦାନ କରାଯାଉଥିବା ଜୀବିକା ସହାୟତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଭିତ୍ତିଭୂମିର ନିର୍ମାଣ ଓ ବିକାଶ କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ କରିବାକୁ ସେ କହିଥିଲେ । ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାବେଳେ ୫-‘ଟି’ର ଉପଯୋଗ ସହିତ ସାମାଜିକ ଗଣମାଧ୍ୟମର ବ୍ୟାପକ ବ୍ୟବହାର କରି ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଆର୍. ରଘୁପ୍ରସାଦ କ୍ଷେତ୍ର ସ୍ତରରେ ଯୋଜନାର କାର୍ଯ୍ୟକାରିତା ସମୟରେ ସଂପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯୋଜନାର ସୁଫଳ ନିମନ୍ତେ ହିତାଧିକାରୀଙ୍କୁ ମାଛଚାଷର ବିଭିନ୍ନ ଦିଗ ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ସଂପର୍କରେ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ ଉପରେ ବିଭାଗୀୟ ସଚିବ ଗୁରୁତ୍ୱାରୋପ କରିଛନ୍ତି ।
ବୈଠକରେ ମତ୍ସ୍ୟ ପୋଖରୀ ଯୋଜନା, ବାୟୋଫ୍ଲକ୍ ଓ କେଜ୍ କଲଚର୍ ମାଧ୍ୟମରେ ମାଛଚାଷ, ଭିତ୍ତିଭୂମିର ନିର୍ମାଣ, ଖାରିପାଣି ଓ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଆଦି ସଂପର୍କରେ ବିଶଦ ଭାବରେ ସମୀକ୍ଷା କରାଯାଇଥିଲା । ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ ଯୋଜନାଗୁଡ଼ିକର ଅଗ୍ରଗତି ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ । ବୈଠକରେ ସମସ୍ତ ଜିଲ୍ଲାର ମତ୍ସ୍ୟ ଅଧିକାରୀ, ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସମେତ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।