ଭୁବନେଶ୍ୱର : ବିଶିଷ୍ଟ ଚଳଚିତ୍ର ଓ ମଞ୍ଚ ଅଭିନେତା ରାଇମୋହନ ପରିଡା ଆଜି ଆତ୍ମହତ୍ୟା କରିଛନ୍ତି । ପ୍ରାଚୀବିହାର ସ୍ଥିତ ତାଙ୍କ ବାସଗୃହରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମରଶରୀର ପୁଲିସ୍ ଜବତ କରିଛି ।
ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ କଳାକାର ଜଗତ ଏଭଳି ଅସ୍ୱାଭାବିକ ମୃତ୍ୟୁକୁ ନେଇ ସ୍ତବ୍ଧ ହୋଇଯାଇଛି । ପ୍ରଥମେ ଏହାକୁ ଗୁଜବ ବୋଲି ବିଶ୍ୱାସ କରୁଥିବା ଅଭିନେତା ଓ ଅଭିନେତ୍ରୀମାନେ ସତ୍ୟ ଜାଣିବାପରେ ରାଇମୋହନଙ୍କ ଘରକୁ ଯାଇ ତାଙ୍କର ଶେଷ ଦର୍ଶନ କରିଛନ୍ତି ।
ମୃତ୍ୟୁ ବେଳକୁ ୬୦ବର୍ଷ ହୋଇଥିବା ରାଇମୋହନ ଦୀର୍ଘଦିନ ଧରି ଓଡିଶାର କଳା ଜଗତରେ ନିଜର ଦବଦବା ଜାରି ରଖିଥିଲେ । ଚଳଚିତ୍ର ହେଉ କିମ୍ବା ମଞ୍ଚ ଅଥବା ଟେଲି ସିରିଏଲ୍ ସବୁଠାରେ ରାଇମୋହନଙ୍କ ପ୍ରଦର୍ଶନକୁ ଦର୍ଶକେ ଭୁରି ଭୁରି ପ୍ରଶଂସା କରିଥାନ୍ତି । ବିଶେଷକରି ଚଳଚିତ୍ର ଓ ଯାତ୍ରା ଜଗତରେ ସେ ଥିଲେ ଜଣେ ସଫଳ ଭିଲିଏନ ଚରିତ୍ର ।
ପୁଲିସ୍ ତାଙ୍କ ମରଶରୀର ଜବତ ପରେ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିବାବେଳେ ତାଙ୍କର ବନ୍ଧୁ, ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ଭିଡ ସେଠାରେ ଲାଗି ରହିଛି । ଅନେକ ଏଭଳି ଘଟଣାରେ ଚକିତ ହେବା ସହିତ ଏହାର ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି ।
ତେବେ ଶେଷ ଖବର ସୁଦ୍ଧା ଆତ୍ମହତ୍ୟା ପୂର୍ବରୁ ରାଇମୋହନ ତାଙ୍କ ହ୍ୱାଟସ୍ପଆପ୍ରୁ ପତ୍ନୀ ଓ କନ୍ୟାଙ୍କ ଉଦ୍ଦେଶ୍ୟରେ ‘ବାଏ’ ଲେଖିଥିବା ପୁଲିସ୍ ପ୍ରକାଶ କରିଛି ।