Home General ହ୍ୟାକର ମୁକାବିଲା ପାଇଁ ମାର୍ଗଦର୍ଶିକା ଜାରି

ହ୍ୟାକର ମୁକାବିଲା ପାଇଁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର : ମାଲେସିଆ ସାଇବର ହ୍ୟାକରଙ୍କ ଆକ୍ରମଣରୁ ବର୍ତ୍ତିବାପାଇଁ ରାଜ୍ୟ ସାଇବର ସୁରକ୍ଷା କେନ୍ଦ୍ର ଆଜି କେତେକ ମାର୍ଗଦର୍ଶିକା ଜାରି କରିଛି । ପ୍ରଫେଟ ମହମ୍ମଦ ବିବାଦୀୟ ଘଟଣାରେ ଏହି ହ୍ୟାକରମାନେ ଏବେ ସରକାରୀ ୱେସାଇଟ୍‍କୁ ଆକ୍ରମଣ ଆରମ୍ଭ କରିଛନ୍ତି ।

ରାଜ୍ୟ ସାଇବର ସୁରକ୍ଷା କେନ୍ଦ୍ର ପକ୍ଷରୁ ଜାରି ମାର୍ଗଦର୍ଶିକାରେ କୁହାଯାଇଛି ଯେ ‘ଡ୍ରାଗନଫୋର୍ସ’ ନାମରେ ମାଲେସିଆ ସ୍ଥିତ ଏକ ସାଇବର ହ୍ୟାକର ଗ୍ରୁପ୍‍ର ଏଭଳି ଆକ୍ରମଣକୁ ପ୍ରଥମେ ଚଳିତ ମାସ ୬ତାରିଖରେ ଠାବ କରାଯାଇଥିଲା । ସେମାନେ ଅଧିକରୁ ଅଧିକ ସରକାରୀ ୱେବସାଇଟ୍‍କୁ ନିଶାଣ କରୁଥିବାବେଳେ ଡିଡିଓଏସ୍‍ ଜ୍ଞାନକୌଶଳ ବ୍ୟବହାର କରି ଏହାକୁ ନିଜ ନିୟନ୍ତ୍ରଣକୁ ନେଇ ଯାଉଛନ୍ତି । ପରେ ପରେ ୱେବସାଇଟ୍‍ର ରୂପରେଖ ବଦଳାଇ ସେଥିରେ ନିଜ ମନପସନ୍ଦର ମତାମତ ରଖୁଛନ୍ତି । ଏହି ଗୋଷ୍ଠିର ନିଶାଣରେ ଏବେ ୧୦୦ରୁ ଅଧିକ ଭାରତୀୟ ୱେବସାଇଟ୍‍ ଥିବାବେଳେ ଏମାନେ ବିଶେଷକରି ସରକାରୀ, ପ୍ରଯୁକ୍ତିବିଦ୍ୟା, ଆର୍ଥିକ ସେବା, ଉତ୍ପାଦନ ଓ ଶିକ୍ଷା କ୍ଷେତ୍ରକୁ ଟାର୍ଗେଟ କରୁଛନ୍ତି ।

ଡିଡିଓଏସ୍‍ ଜ୍ଞାନକୌଶଳ ବ୍ୟବହାର କରି ଏମାନେ ଉଭୟ ୱେବସାଇଟ୍‍ ଓ ସର୍ଭରକୁ ନିଜ ନିୟନ୍ତ୍ରଣକୁ ନେବା ସହିତ ଏଥିରେ ବିଭିନ୍ନ ଆପତ୍ତିଜନକ ପୋଷ୍ଟ କରୁଛନ୍ତି । ଏମାନେ କମ୍ପ୍ୟୁଟର ବ୍ୟବସ୍ଥାକୁ ଆକ୍ରମଣ କରିବା ସହିତ ଅନେକ ଗୋପନୀୟ ତଥ୍ୟ ଚୋରେଇ ନେଇ ଯାଉଛନ୍ତି । ସରକାରୀ ୱେବସାଇଟ୍‍ରୁ ତଥ୍ୟ ନେବାପାଇଁ ଏମାନେ ବାରମ୍ବାର ଉଦ୍ୟମ କରୁଥିବାରୁ ଏଥିରୁ ନିସ୍ତାର ପାଇଁ ଏବେ ମାର୍ଗଦର୍ଶିକା ଜାରି ହୋଇଛି ।

ସାଇବର ସୁରକ୍ଷା କେନ୍ଦ୍ର ଜାରି କରିଥିବା ମାର୍ଗଦର୍ଶିକାରେ କୁହାଯାଇଛି ଯେ ସେମାନଙ୍କ ନିଶାଣରେ ଥିବା ତଥ୍ୟର ସୁରକ୍ଷା ପାଇଁ ବିଭିନ୍ନ ବିଭାଗ ଓ ସଂସ୍ଥା ସେମାନଙ୍କ ୱେବସାଇଟ୍‍ର ତୁରନ୍ତ ସୁରକ୍ଷା ଅଡିଟ୍‍ କରାଇନେବା ଉଚିତ୍‍ । ସରକାରୀ ଦପ୍ତରର କମ୍ପ୍ୟୁଟରରେ ଥିବା ତଥ୍ୟ କେତେ ସୁରକ୍ଷିତ ତାହା ନିୟମିତ ବ୍ୟବଧାନରେ ଅନୁଧ୍ୟାନ କରାଯିବା ଆବଶ୍ୟକ । ଏଥି ସହିତ ହ୍ୟାକରଙ୍କ ଆକ୍ରମଣକୁ ପ୍ରତିହତ ଲାଗି ଡବ୍ଲ୍ୟୁଏଏଫ୍‍ଏସ୍‍ ଲଗାଇବାପାଇଁ କୁହାଯାଇଛି । ଏହି ସଫ୍ଟୱୟାର ଦ୍ୱାରା ତଥ୍ୟ ଚୋରି କିମ୍ବା ୱେବସାଇଟ୍‍କୁ ହ୍ୟାକରମାନେ ସହଜରେ ନିଜ ନିୟନ୍ତ୍ରଣକୁ ନେଇପାରିବେ ନାହିଁ । ସେହିଭଳି ଅନ୍ୟମାନେ ଯେଭଳି ସହଜରେ ୟୁଜର୍ସ ଆଇଡି ଓ ପାସ୍‍ୱାର୍ଡ ନପାଇବେ ତାହା ଉପରେ ନଜର ରଖିବା ଆବଶ୍ୟକ ।

ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ସାଇବର ସୁରକ୍ଷା କେନ୍ଦ୍ର ଏବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ୱେବସାଇଟ୍‍ ଓ ଡାଟା ସେଣ୍ଟରକୁ ସୁରକ୍ଷା ଯୋଗାଇ ଦେଉଛି । ଇତି ମଧ୍ୟରେ ଏହି କେନ୍ଦ୍ର ପକ୍ଷରୁ ୩ହଜାରରୁ ଅଧିକ ସାଇବର ଆକ୍ରମଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହିତ ଅନେକ ଆଇପିକୁ କଳାତାଲିକାଭୁକ୍ତ କରାଯାଇଛି । ବର୍ତ୍ତମାନ ମାଲେସିଆ ହ୍ୟାକରମାନେ ସରକାରୀ ୱେବସାଇଟ୍‍କୁ ଟାର୍ଗେଟ କରୁଥିବାରୁ ସେମାନଙ୍କ ମୁକାବିଲା ଲାଗି ସାଇବର ସୁରକ୍ଷାକେନ୍ଦ୍ର ପଦକ୍ଷେପ ଆରମ୍ଭ କରିଛି । (ତଥ୍ୟ)