ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲାର ପାରାଦୀପ ନିକଟବର୍ତ୍ତୀ ଢ଼ିଙ୍କିଆ ଅଞ୍ଚଳରେ ପ୍ରସ୍ତାବିତ ଇସ୍ପାତ କାରଖାନା ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଦୁର୍ବଳ କରିଦେବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯାଉଥିବା ଘେନି ଗୁରୁତର ଅଭିଯୋଗ ହେଉଛି । ଏହି ବିଭେଦ ସୃଷ୍ଟି କାମରେ କେତେକ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ପରଦା ଆଢ଼ୁଆଳରେ ରହି କାମ କରିବା ସହ ବ୍ୟାପକ ମୁନାଫା ଉଠାଉଥିବା କୁହାଯାଉଛି ।
ଏହି ଅଞ୍ଚଳରେ ଦକ୍ଷିଣ କୋରିଆର ପସ୍କୋ କମ୍ପାନୀ ଇସ୍ପାତ କାରଖାନା ସହ ନିଜସ୍ୱ ବନ୍ଦର ପ୍ରତିଷ୍ଠା କରିବାକୁ ବୁଝାମଣା ସ୍ୱାକ୍ଷର କରିଥିଲା । ସେଥିପାଇଁ ବ୍ୟାପକ ଜମି ଅଧିଗ୍ରହଣ ବି ହୋଇଥିଲା । ସେ ସମୟରେ ପସ୍କୋ ପ୍ରକଳ୍ପ ବିରୋଧରେ ସ୍ୱର ଏତେ ତୀବ୍ର ହେଲା ଯେ ପ୍ରକଳ୍ପ ବିରୋଧୀଙ୍କ ବିରୋଧରେ ଶହ ଶହ ମାଲିମକଦ୍ଦମା ରୁଜୁ ସାଙ୍ଗକୁ ଲାଠିମାଡ ଭଳି ପୋଲିସର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ବି ପସ୍କୋ କାରଖାନା ହୋଇପାରିଲା ନାହିଁ ।
ପସ୍କୋ ଏହି ପ୍ରକଳ୍ପରୁ ଓହରି ଯିବାର କିଛିଦିନ ପରେ ଜିନ୍ଦଲ ଗ୍ରୁପର ଜେଏସଡବ୍ଲ୍ୟୁ ଅଧିଗୃହୀତ ଜମିରେ ଇସ୍ପାତ କାରଖାନା ପାଇଁ ଇଚ୍ଛା ପ୍ରକାଶ କରିଛି । ଏହି ପ୍ରକଳ୍ପକୁ ମଧ୍ୟ ବ୍ୟାପକ ବିରୋଧ ହେବା ଫଳରେ ଢ଼ିଙ୍କିଆ ଗାଁ ମୁଣ୍ଡରେ ବହୁ ସଂଖ୍ୟକ ପୋଲିସ ୨୪ ଘଣ୍ଟା ପଇଁତରା ଦେଉଛନ୍ତି । ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ବିରୋଧ କରୁଥିବା ଅନେକ ବ୍ୟକ୍ତିଙ୍କ ବିରୋଧରେ ଇତିମଧ୍ୟରେ ଗୁଡିଏ ମାମଲା ବି ରୁଜୁ ହେଲାଣି । ଏମାନଙ୍କ ମଧ୍ୟରୁ କେତେକ ଜାମିନରେ ଆସିଥିବା ବେଳେ ଆଉ କେତେକ ଆଜିର ଦିନରେ ବି ଜେଲ୍ରେ ରହିଛନ୍ତି ।
ପସ୍କୋ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇଥିବା ଅଭୟ ସାହୁଙ୍କ ବିରୋଧରେ ବହୁ ସଂଖ୍ୟକ ମାମଲାର ଚାପ ଲଦି ହୋଇ ରହିଥିବା ବେଳେ ସ୍ୱାସ୍ଥ୍ୟଗତ କାରଣରୁ ସେ ଆଉ ଜିନ୍ଦଲ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ପାଇଁ ଖରା-ବର୍ଷାରେ ରାସ୍ତାକୁ ଆସିପାରୁ ନାହାନ୍ତି । ସେହିପରି ଏହି ଆନ୍ଦୋଳନରେ ମହିଳାମାନଙ୍କ ନେତୃତ୍ୱ ନେଇଥିବା ଜଣେ ନାରୀ ନେତ୍ରୀ ଏବେ ଆଉ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳରେ ନ ରହି ପାରାଦୀପରେ ଜଣେ ରାଜନୈତିକ ବ୍ୟକ୍ତିଙ୍କ ପୃଷ୍ଠପୋଷକତାରେ ସମାଜସେବା କାମ କରୁଛନ୍ତି ।
ଅଭୟ ସାହୁଙ୍କ ନେତୃତ୍ୱରେ ପସ୍କୋ ବିରୋଧୀ ଆନ୍ଦୋଳନ ଚାଲିଥିବା ବେଳେ ଆଉ କେତେକ ଗୋଷ୍ଠୀ ମଧ୍ୟ ସମାନ୍ତରାଳ ଆନ୍ଦୋଳନ ଚଳାଇବା ସହ ଭୁବନେଶ୍ୱରରେ ଧାରଣା ଦେଉଥିଲେ । ଏହି ଗୋଷ୍ଠୀର କିଛି ନେତା ସଂପୃକ୍ତ ଥିବା ସଂସ୍ଥାକୁ ପରବର୍ତ୍ତୀ ସମୟରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ସହାୟତା ଯୋଗାଇ ଦିଆଯିବାରେ ସେମାନେ ପସ୍କୋ ବିରୋଧୀ ଆନ୍ଦୋଳନର ଶେଷ ପର୍ଯ୍ୟାୟ ବେଳକୁ ଏକ ପ୍ରକାର ନିଷ୍କ୍ରିୟ ହୋଇଯାଇଥିଲେ ।
ଜିନ୍ଦଲର ପ୍ରସ୍ତାବିତ ପ୍ରକଳ୍ପ ବିରୋଧୀ ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇ ବହୁ ସଙ୍ଗଠନ ସକ୍ରିୟ ସହଯୋଗ ଦେଉଛନ୍ତି । ଫଳରେ ପ୍ରକଳ୍ପ ବିରୋଧୀମାନେ ଏମାନଙ୍କ ଉପରେ ଖାପ୍ପା ହୋଇ ଢ଼ିଙ୍କିଆ ଗାଁ ଭିତରକୁ ପୁରାଇ ଦେଉନାହାନ୍ତି । ମେଧା ପାଟେକରଙ୍କଠାରୁ ଆରମ୍ଭ କରି ପ୍ରଫୁଲ୍ଲ ସାମନ୍ତରାୟ, ଲିଙ୍ଗରାଜଙ୍କ ପର୍ଯ୍ୟନ୍ତ ଗଣ ଆନ୍ଦୋଳନରେ ବହୁ ନେତାଙ୍କୁ ଢ଼ିଙ୍କିଆ ଗାଁ ମୁଣ୍ଡରୁ ଫେରିବାକୁ ପଡିଛି । ତେବେ ଗାନ୍ଧୀଙ୍କ ନାମରେ ଗଢ଼ା ଯାଇଥିବା ଯେଉଁ ସଙ୍ଗଠନ ଏହି ପ୍ରକଳ୍ପକୁ ବିରୋଧ କରୁଥିଲା ଏବେ ସେହି ସଙ୍ଗଠନର ମୁଖିଆମାନେ ନିଜ ନିଜ ଅନୁଷ୍ଠାନ ପାଇଁ ଜିନ୍ଦଲ କମ୍ପାନୀଠାରୁ ଆର୍ଥିକ ସହାୟତା ନେଉଥିବା ଘେନି କିଛି ଗଣଆନ୍ଦୋଳନକାରୀ ଖୋଲା ଆରୋପ କରିଛନ୍ତି ।
ଏମାନଙ୍କ ପତ୍ରିକା ପାଇଁ ବି ଜିନ୍ଦଲ କମ୍ପାନୀଠାରୁ ଦାମୀ ବିଜ୍ଞାପନ ନିଆଯାଇଛି । ଏହା ପରଠାରୁ ଉକ୍ତ ପ୍ରକଳ୍ପ ସମ୍ପର୍କରେ ଏହି ନେତାମାନଙ୍କ ସ୍ୱର ଏକ ପ୍ରକାର ନରମି ଯାଇଛି । ସମ୍ମିଳିତ ଲୋକ ଶକ୍ତିକୁ ଅର୍ଥବଳ, ବାହୁବଳ ଓ କ୍ଷମତା ବଳରେ କିଭଳି ବିଭାଜିତ ଓ ଦୁର୍ବଳ କରାଯାଏ ତାହାର ପ୍ରତିଫଳନ ଢ଼ିଙ୍କିଆରେ ଦେଖିବାକୁ ମିଳୁଥିଲେ ମଧ୍ୟ ପ୍ରକଳ୍ପ ବିରୋଧୀମାନେ ଜୀବନପଣ କରି ଲଢ଼ାଇ ଲଢ଼ୁଛନ୍ତି । (ତଥ୍ୟ)