Home Culture ସାହିତ୍ୟକୁ ବଞ୍ଚାଇବ ଶ୍ରୁତି ସାହିତ୍ୟ

ସାହିତ୍ୟକୁ ବଞ୍ଚାଇବ ଶ୍ରୁତି ସାହିତ୍ୟ

ଭୁବନେଶ୍ୱର : ଦିନକୁ ଦିନ ପାଠକମାନେ ପଢିବା ଭୁଲି ଯାଉଛନ୍ତି । ସେମାନଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବାକୁ ହେଲେ ଶ୍ରୁତି ସାହିତ୍ୟର ଆବଶ୍ୟକତା ରହିଛି । ସେମାନେ ପଢିନପାରିଲେ ମଧ୍ୟ ସାହିତ୍ୟକୁ ଶୁଣି ଶୁଣି କାହାଣିକୁ ମନେ ରଖିବେ ଓ ସାହିତ୍ୟ ମନସ୍କ ହେବେ । ତେଣୁ ଆଗାମୀ ଦିନରେ ହିଁ କେବଳ ଶ୍ରୁତି ସାହିତ୍ୟ ବଞ୍ଚି ରହିବ ବୋଲି ‘ତୃତୀୟ ଅଜୟ ଉତ୍ସବ’ ରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଶନିବାର ସଂଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ଭବନ ଠାରେ ଅଜୟ ଉତ୍ସବ – ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ସାଂସଦ ତଥା ପ୍ରଖ୍ୟାତ ଅଭିନେତା ଓ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ବିଶିଷ୍ଟ ଶିକ୍ଷାବିତ୍‍ ଅଧ୍ୟାପକ ବିଶ୍ୱରଞ୍ଜନ, ଶିଶୁ ସାହିତ୍ୟିକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁର ପ୍ରମୁଖ ଯୋଗଦେଇ ଓଡିଆ ସାହିତ୍ୟର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ପୂର୍ବରୁ ଯେପରି ଶୁଣି ଶୁଣି ଗପକୁ ଲୋକେ ମନେ ରଖୁଥିଲେ ଆଗାମୀ ଦିନରେ ପାଠକମାନେ ସେମିତି ଶ୍ରୁତି ମାଧ୍ୟମରେ ସାହିତ୍ୟ ପ୍ରତି ଆକର୍ଷିତ ହେବେ ଓ ଆମ ଓଡିଆ ସାହିତ୍ୟ ତା’ର ପୂର୍ବ ସ୍ଥିତିକୁ ଫେରିପାରିବ । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଅଜୟ ସ୍ୱାଇଁଙ୍କ ନିଆରା ସାହିତ୍ୟ ରଚନା ଓ ତାଙ୍କ ଜୀବନଶୈଳୀ ଉପରେ ଅତିଥିମାନେ ଆଲୋକପାତ କରିଥିଲେ ।

ଏହି ଉତ୍ସବରେ କଣ୍ଠଶିଳ୍ପୀ ଶରତ ନାୟକ ସଙ୍ଗୀତ ପରିବେଷଣ କରିବାପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପକ୍ଷୀଘରର ସମ୍ପାଦକ ବନୋଜ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗାଳ୍ପିକା ମୋନାଲିସା ମିଶ୍ର ଓ ତପନ ବାରିକଙ୍କୁ ଅଜୟ ଉତ୍ସବ-୨୦୨୨ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ସାହିତ୍ୟିକା ଶୁଭଶ୍ରୀ ଲେଙ୍କାଙ୍କୁ ଚଳିତ ବର୍ଷର ଜୁରୀ ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଜୟଙ୍କ ସ୍ୱାଇଁ ଲିଖିତ ୪ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା । ସେହିପରି ମୋନାଲିସା ମିଶ୍ରଙ୍କର ଏକ ପୁସ୍ତକ ମଧ୍ୟ ଲୋକାର୍ପିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଉତ୍ତର ପୁରୁଷ ପକ୍ଷରୁ ଅଜୟ ସ୍ୱାଇଁଙ୍କ ଲିଖିତ କଣ୍ଢେଇ ଗପର ମଞ୍ଚାୟନ କରାଯାଇଥିଲା । ସେହିଭଳି ପ୍ରାରମ୍ଭରେ ଅଜୟ ସ୍ୱାଇଁଙ୍କ ଉପରେ ନିର୍ମିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହାକୁ ପ୍ରସନ୍ନ ପୃଷ୍ଟି ପ୍ରଯୋଜନା କରିଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ଭଟ୍ଟ । ଉତ୍ସବରେ କଥାଶିଳ୍ପୀ ଅକ୍ଷୟ ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିବାବେଳେ ଅଧ୍ୟକ୍ଷା ସାବିତ୍ରୀ ସାହୁ ବିବରଣୀ ପାଠ କରିଥିଲେ । ଟ୍ରଷ୍ଟର ସଭାପତି ଅଶୋକ ପୁହାଣ ଅଭିଭାଷଣ ଦେଇଥିଲେ। ଶେଷରେ ପ୍ରିୟ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।