Home General ଓଡ଼ିଶାରେ ଖାଦ୍ୟ ସୁରକ୍ଷା କାର୍ଯ୍ୟାୟନକୁ ପ୍ରଶଂସା

ଓଡ଼ିଶାରେ ଖାଦ୍ୟ ସୁରକ୍ଷା କାର୍ଯ୍ୟାୟନକୁ ପ୍ରଶଂସା

ଭୁବନେଶ୍ୱର : ଭାରତର ଖାଦ୍ୟ  ସୁରକ୍ଷା ବ୍ୟବସ୍ଥା  ବିଷୟରେ ବାସ୍ତବ  ଅନୁଭୁତି ହାସଲ କରିବା ନିମନ୍ତେ  ନେପାଳରୁ ଆସିଥିବା ଉଚ୍ଚସ୍ତରୀୟ ଷ୍ଟଡ଼ି ମିଶନ ଟିମ୍  ଓଡ଼ିଶାରେ  ଖାଦ୍ୟ ସୁରକ୍ଷା  ଯୋଜନାର ସଫଳ  କାର୍ଯ୍ୟାନ୍ୱୟନକୁ ପ୍ରଶଂସା କରିଛନ୍ତି ।  ରାଜ୍ୟର ନିଜ  ଯୋଜନା ସହ କେନ୍ଦ୍ରୀୟ ଯୋଜନାର ସଠିକ୍  କାର୍ଯ୍ୟାନ୍ୱୟନ  ଓଡ଼ିଶାର  ଏକ ବଡ ସଫଳତା ବୋଲି  ମିଶନ ଟିମର  ସଦସ୍ୟମାନେ  ମତ ଦେଇଛନ୍ତି ।  ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା  ଏହି ଉଚ୍ଚସ୍ତରୀୟ  ଟିମ ନିମନ୍ତେ  ଆଜି  ରାଜ୍ୟ ଲୋକସେବା  ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ  ଅଧ୍ୟକ୍ଷତାରେ  ଏକ ଉଚ୍ଚସ୍ତରୀୟ  ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନା  ବିଷୟରେ ପ୍ରାରମ୍ଭିକ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ କୌଣସି ଗରିବ ଲୋକ ଅନାହାରରେ ରହିବ ନାହିଁ-ଏହାହିଁ  ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲକ୍ଷ୍ୟ  ଏବଂ ନିର୍ଦ୍ଦେଶ ।  ଏହି ଲକ୍ଷ୍ୟର  ସଠିକ୍ ରୂପାୟନ  ପାଇଁ ରାଜ୍ୟ ସରକାରଙ୍କ  ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ, ମହିଳା ଓ ଶିଶୁ ବିକାଶ, କୃଷି ଓ କୃଷକ ସଶକ୍ତିକରଣ, ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସାମାଜିକ ସୁରକ୍ଷା  ଏବଂ ଭିନ୍ନକ୍ଷମ ସଶକ୍ତିକରଣ, ଜଳ ସଂପଦ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ଗୃହ ଓ ନଗର ଉନ୍ନୟନ ଆଦି  ବିଭାଗମାନେ  ସମନ୍ୱିତଭାବେ  କାର୍ଯ୍ୟ କରୁଛନ୍ତି ।  ରାଜ୍ୟ ସରକାର  କେନ୍ଦ୍ରୀୟ ଯୋଜନା ସହ  ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା  କାର୍ଯ୍ୟକ୍ରମ  ପ୍ରଣୟନ କରିଛନ୍ତି । 

ଜାତୀୟ ଖାଦ୍ୟ ସୁରକ୍ଷା ସ୍କିମ୍, ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ,  ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଅତିରିକ୍ତ  ପୁଷ୍ଟି ଯୋଗାଣ, ବୃଦ୍ଧ, ଭିନ୍ନକ୍ଷମ ଓ ଅସହାୟମାନଙ୍କ ନିମନ୍ତେ ଭତ୍ତା ବଣ୍ଟନ, ସାଧାରଣ ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ପୁଷ୍ଟିଯୁକ୍ତ ଚାଉଳ ଯୋଗାଣ, ଅଧିକ ପୁଷ୍ଟିଯୁକ୍ତ ମିଲେଟ୍ ଶସ୍ୟ ଯୋଗାଣ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ଅଙ୍ଗନବାଡିରେ  ରନ୍ଧା ଖାଦ୍ୟ  ଯୋଗାଣ, ସହରରେ ଆହାର କେନ୍ଦ୍ର ବ୍ୟବସ୍ଥା ଆଦିକୁ ରାଜ୍ୟ ସରକାର ଓ ପ୍ରଶାସନ ନିଷ୍ଠାର ସହ କାର୍ଯ୍ୟାୟନ କରୁଛନ୍ତି ବୋଲି  ମୁଖ୍ୟ ଶାସନ ସଚିବ କହିଥିଲେ ।  

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ବର୍ତ୍ତମାନ ଆଧୁନିକ ସୂଚନା ଓ ପ୍ରଯୁକ୍ତି  ବିଦ୍ୟା କୌଶଳ ପ୍ରୟୋଗ କରି ସାଧାରଣ  ବଣ୍ଟନ ବ୍ୟବସ୍ଥାକୁ ତୃଟି ମୁକ୍ତ ଓ ଅଧିକ ଲକ୍ଷ୍ୟଭେଦୀ କରାଯାଉଛି ।  ଏହା ଫଳରେ ନକଲି ଓ ଭୁଲ୍ ହିତାଧିକାରୀ ବାଦ ପଡିଛନ୍ତି ।  ଖାଦ୍ୟ ସାମଗ୍ରୀ ଦେଣନେଣରେ  ହେବାକୁଥିବା  ସମ୍ଭାବ୍ୟ ଦୁର୍ନିତୀକୁ ବନ୍ଦ କରାଯାଇପାରିଛି । ଫଳରେ ଅଧିକ ସଂଖ୍ୟକ  ଲୋକଙ୍କୁ ଖାଦ୍ୟ ଯୋଜନାରେ ସାମିଲ କରାଯାଇ ପାରିଛି  ଓ ଯୋଗାଣ ହେଉଥିବା  ଖାଦ୍ୟ ସାମଗ୍ରୀର ଗୁଣାତ୍ମକ ମାନ ବୃଦ୍ଧି ଘଟିଛି ।

ଖାଦ୍ୟ ସୁରକ୍ଷା  ଓ ଖାଉଟି କଲ୍ୟାଣ  ପ୍ରମୁଖ ଶାସନ ସଚିବ  ଶ୍ରୀ ବୀର ବିକ୍ରମ ଯାଦବ କହିଥିଲେ ଯେ ଓଡ଼ିଶା ଖାଦ୍ୟ କ୍ଷେତ୍ରରେ ଅନ୍ୟ ରାଜ୍ୟ  ଉପରେ ନିର୍ଭରଶୀଳତା ସ୍ଥିତିରୁ ବହୁ ଆଗକୁ  ଆସି ବର୍ତ୍ତମାନ ଏକ ଖାଦ୍ୟ-ବଳକା ରାଜ୍ୟରେ  ପରିଣତ ହୋଇଛି । ୨୦୦୩-୨୦୦୪ ମସିହାରୁ ରାଜ୍ୟ   କେନ୍ଦ୍ରୀୟ  ଖାଦ୍ୟ ସଂଗ୍ରହ ଯୋଜନାରେ ସାମିଲ ହୋଇ ନିଜ  କୃଷକମାନଙ୍କଠାରୁ  ଖାଦ୍ୟ-ଶସ୍ୟ ସଂଗ୍ରହ ଆରମ୍ଭ କରିଛି । ବର୍ତ୍ତମାନ ରାଜ୍ୟ ନିଜ  କୃଷକମାନଙ୍କ ଠାରୁ ବାର୍ଷିକ  ହାରାହାରି ୭୬ ଲକ୍ଷ ନିୟୁତ  ଟନ୍ ଧାନ ସଂଗ୍ରହ କରୁଛି ଯେଉଁଥିରୁ  ବିଭିନ୍ନ ମିଲ୍  ମାଧ୍ୟମରେ ପ୍ରାୟ ୫୨ ଲକ୍ଷ ନିୟୁତ ଟନ୍ ଚାଉଳ ଉତ୍ପାଦନ କରାଯାଉଛି । ଏହି ସଂଗ୍ରହ ମଧ୍ୟରୁ ରାଜ୍ୟରେ  ବିଭିନ୍ନ ଖାଦ୍ୟ  ସୁରକ୍ଷା ଯୋଜନା  ପାଇଁ ପ୍ରାୟ ୩୦ ଲକ୍ଷ ନିୟୁତ ଟନ୍ ଚାଉଳ ବ୍ୟବହାର ହେଉଛି ଏବଂ ଅବଶିଷ୍ଟ ପ୍ରାୟ ୨୨ ଲକ୍ଷ ନିୟୁତ ଟନ୍  ଚାଉଳ  ଦେଶର କେନ୍ଦ୍ରୀୟ ଖାଦ୍ୟ ଭଣ୍ଡାରକୁ ଦିଆଯାଉଛି । କେନ୍ଦ୍ରୀୟ ଭଣ୍ଡାରକୁ ସର୍ବାଧିକ  ଚାଉଳ  ଦେଉଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ସ୍ଥାନ ବର୍ତ୍ତମାନ ଚତୁର୍ଥ ।  

ଶ୍ରୀ  ଯାଦବ ଆହୁରି ମଧ୍ୟ  ଜଣାଇଥିଲେ ଯେ  ରାଜ୍ୟରେ  ୯୫.୭୪ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରଙ୍କୁ ପ୍ରତ୍ୟକ୍ଷ ଖାଦ୍ୟ  ସୁରକ୍ଷା  ଯୋଜନାରେ  ସାମିଲ କରାଯାଇଛି । ଏହିସବୁ ପରିବାରରେ ପ୍ରାୟ ୩.୩୩ କୋଟିରୁ ଅଧିକ  ସଦସ୍ୟ ଅଛନ୍ତି ଯେଉଁମାନେକି ରାଜ୍ୟ ଜନସଂଖ୍ୟାରେ ପ୍ରାୟ ୮୦ ପ୍ରତିଶତ । ବର୍ତ୍ତମାନ ସମୁଦାୟ ୧୨,୧୨୪ ସୁଲଭ ଖୁଚୁରା ଦୋକାନ ମାନଙ୍କ   ମାଧ୍ୟମରେ  ପ୍ରତି ମାସରେ  ହିତାଧିକାରୀମାନଙ୍କୁ  ପ୍ରାୟ ୧.୮୭ ଲକ୍ଷ ନିୟୁତ ଟନ୍ ଖାଦ୍ୟ  ଶସ୍ୟ  ଯୋଗାଣ କରାଯାଉଛି ।  ଏହି ବ୍ୟବସ୍ଥାରେ  ବିଭିନ୍ନ ସ୍ତରର କାରବାରକୁ ଅନ୍ଲାଇନ୍ ସ୍ୱୟଂକ୍ରିୟ ବ୍ୟବସ୍ଥା ମାଧ୍ୟମରେ  ରିଅଲ୍-ଟାଇମ୍ ଭିତ୍ତିରେ ତନଖି କରାଯାଉଛି । 

୧ ଟଙ୍କାରେ କିଲେ ଚାଉଳ, ଖାଦ୍ୟସାର ଯୁକ୍ତ ଚାଉଳ ଯୋଗାଣ ଏବଂ ଖାଦ୍ୟ  ଯୋଗାଣ ବ୍ୟବସ୍ଥାରେ ମୋ-ସରକାର ତତ୍ତ୍ୱର ପ୍ରୟୋଗ ଆଦି ବିଷୟରେ ମଧ୍ୟ ଶ୍ରୀ ଯାଦବ ସବିଶେଷ ଭାବେ ଜଣାଇଥିଲେ ।  ମହିଳା ଓ ଶିଶୁ ବିକାଶ  ଏବଂ ସାମାଜିକ ନିରାପତ୍ତା ଓ  ଦିବ୍ୟାଙ୍ଗମାନଙ୍କ ସଶକ୍ତିକରଣ  ବିଭାଗ ଶାସନ ସଚିବ  ଶ୍ରୀ ଭାସ୍କର  ଜ୍ୟୋତି ଶର୍ମା ରାଜ୍ୟରେ  ଅତିରିକ୍ତ ପୁଷ୍ଟି ଯୋଗାଣ, ମଧ୍ୟାହ୍ନ ଭୋଜନ, ବିଭିନ୍ନ ପ୍ରକାର ଭତ୍ତା, ସହରାଞ୍ଚଳରେ  ଆହାର  କାର୍ଯ୍ୟକ୍ରମ  ଆଦି ବିଷୟରେ  ବିଶେଷ  ସୂଚନା ଦେଇଥିଲେ ।  ଟିମ୍ ସଦସ୍ୟମାନେ ଏହି ସବୁ ଅଭିନବ  କାର୍ଯ୍ୟକ୍ରମର  ପ୍ରଶଂସା କରିବା ସହ  ସେସବୁର ଯୋଜନା, କାର୍ଯ୍ୟାୟନ ବ୍ୟବସ୍ଥା ଓ ପରିଚାଳନା ବିଷୟରେ  ବିଭିନ୍ନ ପ୍ରଶ୍ନ  ପଚାରି ଜ୍ଞାତ ହୋଇଥିଲେ ।

ନେପାଳ ଜାତୀୟ ଯୋଜନା କମିଶନ  ସଦସ୍ୟ ଡ଼ଃ ଦିଲ୍ ବାହାଦୁର ଗୁରୁଙ୍ଗ୍ଙ୍କ ନେତୃତ୍ୱରେ ଆସିଥିବା  ଏହି ମିଶନ ଟିମ୍ରେ ନେପାଳ ସରକାରଙ୍କ   ଅର୍ଥ, କୃଷି ଓ ପଶୁପାଳନ, ଯୋଜନା ଆଦି  ବିଭାଗର ଅତି ଉଚ୍ଚସ୍ତରୀୟ ଅଧିକାରୀମାନେ  ଓଡ଼ିଶା ଗସ୍ତରେ  ଆସିଛନ୍ତି । ଏମାନେ ଦୁଇଦିନ  ଓଡ଼ିଶାରେ  ବିଭିନ୍ନ  ସୁଲଭ ଖୁଚୁରା ବିକ୍ରୟ  କେନ୍ଦ୍ର, ଖାଦ୍ୟ ଯୋଗାଣ ଏ.ଟି.ଏମ୍, ଖାଦ୍ୟ ସୁରକ୍ଷା ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟ, ଗ୍ରାମ ପଂଚାୟତର କାର୍ଯ୍ୟ ଆଦି ବିଷୟରେ  କ୍ଷେତ୍ରସ୍ତରୀୟ ପ୍ରତ୍ୟକ୍ଷ ଅନୁଭୁତି ସଂଗ୍ରହ କରିବେ । ଏହାଛଡା, ଏହି  ଟିମ୍ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାର ସମ୍ଭାବନା ଅଛି ବୋଲି ଏକ ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି ।