Home Administration ଡିଆରଡିଏ ଜିଲ୍ଲା ପରିଷଦ ମିଶ୍ରଣ ବିଜ୍ଞପ୍ତି ଜାରି

ଡିଆରଡିଏ ଜିଲ୍ଲା ପରିଷଦ ମିଶ୍ରଣ ବିଜ୍ଞପ୍ତି ଜାରି

ଭୁବନେଶ୍ୱର : ଜିଲ୍ଲା ପରିଷଦ ସହିତ ଡିଆରଡିଏର ମିଶ୍ରଣ ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାର ପଞ୍ଚାୟତିରାଜ ଅନୁଷ୍ଠାନକୁ ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ ଏହାକୁ ଅଧିକ ସଶକ୍ତ କରିବାଲାଗି ଏକାଧିକ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଜିଲ୍ଲା ପରିଷଦ ସହିତ ଡିଆରଡିଏର ମିଶ୍ରଣ ପ୍ରସ୍ତାବ ଦୀର୍ଘଦିନରୁ ରାଜ୍ୟ ସରକାରଙ୍କର ବିଚାରାଧିନ ଥିଲା । ଡିଆରଡିଏ ସୋସାଇଟି ଆକ୍ଟ ୧୮୬୦ ଅନୁଯାୟୀ ପଞ୍ଜିକୃତ ହୋଇଥିବାବେଳେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ କରିଥାଏ । ସେହିଭଳି ପଞ୍ଚାୟତିରାଜ ଅନୁଷ୍ଠାନ ସ୍ୱୟଂଶାସିତ ଅନୁଷ୍ଠାନ ହୋଇଥିବାବେଳେ ଏହାକୁ ଅଧିକ ସଶକ୍ତ କରିବାର ଆବଶ୍ୟକ ରହିଛି । ଜିଲ୍ଲା ପରିଷଦ ପଞ୍ଚାୟତିରାଜ ବ୍ୟବସ୍ଥାର ସର୍ବୋଚ୍ଚ ସଂସ୍ଥା ହୋଇଥିବାବେଳେ ଡିଆରଡିଏ ଦ୍ୱାରା ଚଳାଯାଉଥିବାବେଳେ ଦାରିଦ୍ର‌୍ୟ ନିରାକରଣ, ସାମଗ୍ରିକ ଆର୍ଥିକ ବିକାଶ ଏବଂ ସାମାଜିକ ନ୍ୟାୟ କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ଦ୍ୱାରା କାର୍ଯ୍ୟକାରୀ କରିବ ।

ସମ୍ବିଧାନର ୭୩ତମ ସଂଶୋଧନ ଓ ଚତୁର୍ଥ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ୍‍ ଅନୁଯାୟୀ ରାଜ୍ୟ ସରକାର ପଞ୍ଚାୟତିରାଜ ଅନୁଷ୍ଠାନକୁ ଅଧିକ ମଜବୁତ କରିବାପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ତଦନୁଯାୟୀ ଡିଆରଡିଏକୁ ଜିଲ୍ଲା ପରିଷଦ ସହିତ ମିଶ୍ରଣ କରାଯିବା ସହିତ ଡିଆରଡିଏ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ମିଶ୍ରଣ ପରେ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦର କାର୍ଯ୍ୟ ସଂକ୍ରାନ୍ତରେ ନୀତି ନିର୍ଦ୍ଧାଣ ହୋଇଛି ।

ଡିଆରଡିଏର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଜିଲ୍ଲା ପରିଷଦରେ ନିୟମିତ କର୍ମଚାରୀ ଭାବେ କାର୍ଯ୍ୟ କରିବେ । ଉଚ୍ଛେଦ ହେବାକୁ ଥିବା ପଦବୀ ବ୍ୟତିତ ଡିଆରଡିଏର ଅନ୍ୟ ସମସ୍ତ ପଦ ପଦବୀ ଜିଲ୍ଲା ପରିଷଦରେ ରହିବ । ଡିଆରଡିଏରେ ଥିବା ୩୦ ଟି ସହକାରୀ ପିଡି (ଅର୍ଥ) ୩୦ଟି ସହକାରୀ ପିଡି (ଦକ୍ଷତା ବିକାଶ), ୩୦ଟି ସହକାରୀ ପିଡି (ଆରଏଚ୍‍), ୩୦ଟି ସହକାରୀ ପିଡି (ଜୀବିକା ପ୍ରକଳ୍ପ ସହିତ ମାଇକ୍ରୋ ଫାଇନାନ୍ସ) ଏବଂ ୩୦ଟି ପ୍ରୋଗ୍ରାମ ଅଫିସର ପଦବୀକୁ ଉଚ୍ଛେଦ କରାଯାଇଛି । ଏହା ବଦଳରେ ୧୫୦ଟି ପ୍ରୋଗ୍ରାମ ମ୍ୟାନେଜର ଯେଉଁଥିରେ କି ୩୦ଟି ଅର୍ଥ, ୩୦ ଟି ଆଇଟି ପଦବୀ ରହିଛି ତାହା ସୃଷ୍ଟି କରାଯିବ । ମିଶ୍ରଣ ପରେ ଜିଲ୍ଲା ପରିଷଦରେ ପ୍ରୋଗ୍ରାମ ମ୍ୟାନେଜର ପଦବୀ ସୃଷ୍ଟି କରାଯିବ ଏବଂ ଖାଲି ଥିବା ପଦବୀଗୁଡିକ ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ଜରିଆରେ ସିଧାସଳଖ ଭାବେ ପୂରଣ କରାଯିବ ।

ଅନୁରୂପ ଭାବେ ମିଶ୍ରଣ ପରେ ଡିଆରଡିଏରେ ଥିବା ୭ଟି ନିୟମିତ ସହକାରୀ ପିଡି (ଅର୍ଥ) ବଦଳରେ ଜିଲ୍ଲା ପରିଷଦରେ ୭ଟି ବରିଷ୍ଠ ପ୍ରୋଗ୍ରାମ ମ୍ୟାନେଜର ପଦବୀ ସୃଷ୍ଟି କରାଯିବ । ସେହିଭଳି ସେକ୍ସନ ଅଫିସର, ପିଏ, ବରିଷ୍ଠ ଷ୍ଟେନୋଗ୍ରାଫର, ବରିଷ୍ଠ ସହାୟକ, କନିଷ୍ଠ ଷ୍ଟେନୋଗ୍ରାଫର, କନିଷ୍ଠ ସହାୟକ, ବିତ୍ତ ଅଧିକାରୀ ଆଦି ପଦବୀ ଜିଲ୍ଲା ପରିଷଦରେ ଜିଲ୍ଲା କ୍ୟାଡର ଭାବେ ପରିଗଣିତ ହେବ ଏବଂ ସେମାନଙ୍କର କାର୍ଯ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରାଳୟ ଦ୍ୱାରା ନିୟନ୍ତ୍ରିତ ହେବେ । ଡିଆରଡିଏ କର୍ମଚାରୀମାନଙ୍କ ବେତନ ପାଇଁ ଗ୍ରହଣ କରାଯାଉଥିବା କେନ୍ଦ୍ରୀୟ ସହାୟତା ଜିଲ୍ଲା ପରିଷଦକୁ ଆସିଥିବା କର୍ମଚାରୀମାନଙ୍କ ଲାଗି ବ୍ୟବହାର କରାଯିବ । (ତଥ୍ୟ)