Home General କାଳିଆ ଯୋଜନାରେ ଆଧାରର ସଦୁପଯୋଗ

କାଳିଆ ଯୋଜନାରେ ଆଧାରର ସଦୁପଯୋଗ

ଭୁବନେଶ୍ୱର : ଆଧାର ରାଜ୍ୟ ସରକାରମାନଙ୍କ ପାଇଁ ବିଶେଷ ସହାୟକ ହେଉଛି ବୋଲି ୟୁଆଇଡିଆଇର ମୁଖ୍ୟ ସୌରଭ ଗର୍ଗ କହିଛନ୍ତି । ଓଡିଶା ସରକାର କାଳିଆ ଯୋଜନାରେ ଏହାକୁ ବେଶ୍‍ ସଦୁପଯୋଗ କରିପାରୁଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଡକ୍ଟର ଗର୍ଗ ରାଜ୍ୟରେ କୃଷି ବିଭାଗର ପ୍ରମୁଖ ସଚିବ ଥିବାବେଳେ କାଳିଆ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । କୃଷକମାନଙ୍କୁ ଅନୁଦାନ ଦେଇ ସହାୟତା କରିବା ସକାଶେ ଆରମ୍ଭ ହୋଇଥିବା କାଳିଆ ଯୋଜନା ଚାଷୀମାନଙ୍କ ପାଇଁ ବେଶ୍‍ ସହାୟକ ହୋଇଛି । ଏହାର ଅବତାରଣା କରି ଡକ୍ଟର ଗର୍ଗ କହିଛନ୍ତି ଯେ କେବଳ ଓଡିଶା ସରକାର କାହିଁକି, ଅନ୍ୟାନ୍ୟ ରାଜ୍ୟ ସରକାରମାନେ ମଧ୍ୟ ଆଧାରକୁ ବେଶ୍‍ ବହୁଳ ଭାବରେ ବ୍ୟବହାର କରୁଛନ୍ତି ।

ଲୋକଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ଯୋଗାଣ ପାଇଁ ଆଧାର ବେଶ୍‍ ସହାୟକ ହୋଇଛି ବୋଲି ଉଲ୍ଲେଖ କରି ଡକ୍ଟର ଗର୍ଗ କହିଛନ୍ତି ଯେ ଆଗାମୀ ଦିନରେ ନୂତନ କ୍ଷେତ୍ରମାନଙ୍କରେ ଏହା ବ୍ୟବହୃତ ହେବ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଉଭୟ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଆଧାରର ବ୍ୟବହାର ବିଶେଷ ଭାବରେ ବୃଦ୍ଧି ପାଇଛି ।

ଆଗାମୀ ଦିନରେ ଆଧାର ୫ଟି ମୁଖ୍ୟ କ୍ଷେତ୍ରରେ ବ୍ୟବହୃତ ହେବ । ସେଥିପାଇଁ ବୃହତ୍‍ ଯୋଜନା ପ୍ରସ୍ତୁତ କରାଯାଇଛି । ସେ ସଂକ୍ରାନ୍ତରେ ସୂଚନା ଦେଇ ଡକ୍ଟର ଗର୍ଗ କହିଛନ୍ତି ଯେ ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ପ୍ରତିଷ୍ଠା କରାଯାଉଛି । ରାଜ୍ୟମାନଙ୍କର ସଫଳ କାର୍ଯ୍ୟକ୍ରମଗୁଡିକୁ ଅନ୍ୟାନ୍ୟ ରାଜ୍ୟରେ ଯେଭଳି ବ୍ୟବହାର କରାଯାଇ ପାରିବ ସେଥିପାଇଁ ମଧ୍ୟ ଉଦ୍ୟମ ହେଉଥିବା ଜଣାଯାଏ ।

ଆଧାର ସେବାକୁ ଆହୁରି ନୂତନ କ୍ଷେତ୍ରକୁ ପରିବ୍ୟାପ୍ତ କରିବାପାଇଁ ୟୁଆଇଡିଆଇ କର୍ତ୍ତୃପକ୍ଷ ଗବେଷକ, ଶିକ୍ଷାୟତନ ଏବଂ ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କ ସହିତ ସଂଯୋଗ ସ୍ଥାପନ କରିବା ସଂଗେ ସଂଗେ ଶିଳ୍ପସଂସ୍ଥାମାନଙ୍କ ସହିତ ଯୋଡିବାପାଇଁ ପଦକ୍ଷେପ ନେଉଛନ୍ତି । ସେ କହିଛନ୍ତି ଯେ ଦୁଆର ଲୋକଙ୍କ ମୁହଁରେ ବ୍ୟାଙ୍କ୍‍ ସେବା ଯୋଗାଣ କ୍ଷେତ୍ରରେ ଏହା ବେଶ୍‍ ସହାୟକ ହୋଇଛି । ନଗଦ ଅର୍ଥ ଯୋଗାଣ ପାଇଁ ବ୍ୟାଙ୍କ୍‍ମାନେ ଏହାକୁ ବ୍ୟାପକ ଭାବେ ବ୍ୟବହାର କରୁଥିବା କର୍ତ୍ତୃପକ୍ଷଙ୍କ ନଜରକୁ ଆସିଛି । ସେଥିପାଇଁ ଏହି ବ୍ୟବସ୍ଥାକୁ ଆହୁରି ବ୍ୟାପକ କରିବା ସକାଶେ କେନ୍ଦ୍ର ସରକାର ଆଗ୍ରହୀ ଥିବା ଜଣାଯାଇଛି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଚଳାଯାଉଥିବା ବିଭିନ୍ନ ଜନ କଲ୍ୟାଣ ଯୋଜନାରେ ଆଧାରର ବ୍ୟବହାର ଅଧିକ କରିବା ନିମନ୍ତେ ନୀତି ଆୟୋଗ ଗୁରୁତ୍ୱଆରୋପ କରିଛନ୍ତି । ନୀତି ଆୟୋଗର ସିଇଓ ଅମିତାଭ କାନ୍ତ୍‍ ଏହି ବୈଠକରେ ଅଧ୍ୟକ୍ଷତା କରି ଆଧାରର ବହୁଳ ବ୍ୟବହାର କରିବା ସପକ୍ଷରେ ମତ ଦେଇଛନ୍ତି । (ତଥ୍ୟ)