Home Infrastructure ଜଳ ସଂରଚନା ପ୍ରକଳ୍ପ ପ୍ରତି ପୌରସଂସ୍ଥା ଅନାଗ୍ରହୀ

ଜଳ ସଂରଚନା ପ୍ରକଳ୍ପ ପ୍ରତି ପୌରସଂସ୍ଥା ଅନାଗ୍ରହୀ

ଭୁବନେଶ୍ୱର : ଭୂତଳ ଜଳ ସ୍ତର ରିଚାର୍ଜ ପାଇଁ ‘ମୁକ୍ତା’ ଯୋଜନାରେ ସହରାଞ୍ଚଳରେ ପ୍ରତିଷ୍ଠା ହେଉଥିବା ଜଳ ଅମଳ ସଂରଚନା ପ୍ରକଳ୍ପ ଲାଗି ପୌରସଂସ୍ଥାଗୁଡିକ ସେଭଳି ଆଗ୍ରହ ଦେଖାଉ ନାହାନ୍ତି । ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଯେତିକି ଲକ୍ଷ୍ୟ ଧାର୍ଯ୍ୟ ହେଉଛି ତାହା ପୂରଣ କ୍ଷେତ୍ରରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ‘କ୍ୟାଚ୍‍ ଦି ରେନ୍‍’ର ପ୍ରଥମ ପର୍ଯ୍ୟାୟରେ ସଫଳତା ମିଳିବା ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିପାଇଁ ବିଭିନ୍ନ ପୌରସଂସ୍ଥାଗୁଡିକ ଲକ୍ଷ୍ୟ ଦିଆଯାଇଥିଲା । ତେବେ ଲକ୍ଷ୍ୟ ଧାର୍ଯ୍ୟ ସହିତ ସ୍ଥାନ ଚିହ୍ନଟ ହୋଇଥିଲେ ମଧ୍ୟ କେତେକ ପୌରସଂସ୍ଥା ଏ କ୍ଷେତ୍ରରେ ଢେର ପଛରେ ପଡିଛନ୍ତି । ଏହିସବୁ ପୌରସଂସ୍ଥା ମଧ୍ୟରେ ସବୁଠାରୁ ଆଗରେ ରହିଛି କଟକ ମହାନଗର ନିଗମ । ଏଠାରେ ୫୦୦ ପ୍ରକଳ୍ପ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ଏହାର ୮ ପ୍ରତିଶତ ପୂରଣ ହୋଇଛି । ସେହଭଳି ଖୋରଧା ଜିଲ୍ଲା ବାଣପୁର ପୌରପାଳିକାରେ ୨୬ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଥିବାବେଳେ ଗଞ୍ଜାମର ବ୍ରହ୍ମପୁର ମହାନଗର ନିଗମରେ ୪୦ ପ୍ରତିଶତ, ଅନୁଗୁଳର ତାଳଚେର ପୌରପାଳିକାରେ ୫୭ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଛି ।

ସେହିଭଳି କଣ୍ଟାବାଞ୍ଝି, ଟିଟିଲାଗଡ, ନିଳଗିରି, ଆଠଗଡ, ଚୌଦ୍ୱାର, କୋଦଳା, କୋଟପାଡ, ବାରିପଦା, ଦଶପଲ୍ଲା, ଖଣ୍ଡପଡା, କୋଣାର୍କ, ନିମାପଡା, ପିପିଲି, ପୁରୀ, ସମ୍ବଲପୁର, ରାଜନଗର ଆଦି ପୌରସଂସ୍ଥାର ପ୍ରଦର୍ଶନ ମଧ୍ୟ ଏ କ୍ଷେତ୍ରରେ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି ।

ଏଠାରେ ଉଲ୍ଲେଖନୀୟ ଯେ ମୁକ୍ତା ଯୋଜନାରେ ଭୂତଳ ଜଳସ୍ତରରେ ବୃଦ୍ଧି ସହିତ ସହରାଞ୍ଚଳରେ ଥିବା ବସ୍ତିବାସିନ୍ଦା, ମହିଳା ଗୋଷ୍ଠି, କିନ୍ନର ସଂଘ ଏପରିକି ରୋଜଗାର ଅନ୍ୱେଷଣରେ ଥିବା ବ୍ୟକ୍ତିଙ୍କୁ ହାତକୁ କାମ ଯୋଗାଇବାର ଲକ୍ଷ୍ୟ ରହିଛି । ଏଥିପାଇଁ ପୌରାଞ୍ଚଳରେ ଥିବା ଖୋଲାସ୍ଥାନ, ପାର୍କ ଆଦିରେ ଏହି ଯୋଜନାର କାର୍ଯ୍ୟକାରୀ ପାଇଁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ବ୍ୟାପକ ଅର୍ଥ ବରାଦ ସହିତ ମାଳ ମାଳ କର୍ମଚାରୀ ବି ନିଯୁକ୍ତ ହୋଇଛନ୍ତି ।

ବର୍ଷାଋତୁର ଆଗମନ ଅର୍ଥାତ ଜୁନ୍‍ ୧୫ ତାରିଖ ପୂର୍ବରୁ ଏହି ଯେଜାନାରେ ୨୫ହଜାର ବର୍ଷା ଜଳ ସଂରଚନା ପ୍ରକଳ୍ପ ନିର୍ମାଣ ପାଇଁ ଲକ୍ଷ୍ୟ ଥିବାବେଳେ ପୌରସଂସ୍ଥାଗୁଡିକର ଏଭଳି ପ୍ରଦର୍ଶନ ଏବେ କର୍ତ୍ତୃପକ୍ଷଙ୍କପାଇଁ ଚିନ୍ତାର କାରଣ ହୋଇଛି । (ତଥ୍ୟ)