Home Environment ଗଛ କଟା ବିରୁଦ୍ଧରେ ଗଣଧାରଣା

ଗଛ କଟା ବିରୁଦ୍ଧରେ ଗଣଧାରଣା

ଭୂବନେଶ୍ୱର : ବିଧାୟକ ମାନଙ୍କ ପାଇଁ ନୂଆ ଆବାସ ପାଇଁ ସଂପ୍ରତି ଏମ୍‌.ଏଲ୍‌.ଏ. କଲୋନୀରେ ନିର୍ମମ ଗଛ କଟା ବିରୁଦ୍ଧରେ ମହାନଦୀ ବଂଚାଅ ଆନ୍ଦୋଳନ ପକ୍ଷରୁ ଆଜି ଗଣ ଧାରଣା ଅନୁଷ୍ଠିତ ହୋଇ ଯାଇଛି । ଏହି ଗଣ ଧାରଣାରେ ଭୂବନେଶ୍ୱର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ବେଧଡ୍‌କ ଗଛ କଟାକୁ ସରକାରଙ୍କର ଅପରିଣାଦର୍ଶୀ ଦୃଷ୍ଟିଭଂଗୀ ବୋଲି କହିବା ସହିତ ତୁରନ୍ତ ଗଛ କଟାକୁ ବନ୍ଦ କରିବା ପାଇଁ ଦାବୀ କରିଥିଲେ ।

ମହାନଦୀ ବଂଚାଅ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଗଣ ଧାରଣାରେ ପୂର୍ବତନ ସାଂସଦ ତଥା ଧରିତ୍ରୀର ମୁଖ୍ୟ ସଂପାଦକ ଶ୍ରୀ ତଥାଗତ ଶତପଥୀ, ପୂର୍ବତନ ପ୍ରଶାସକ ଡ: ଅରବିନ୍ଦ ବେହେରା, ବିଧାୟକ ଶ୍ରୀ ସୁରେଶ କୁମାର ରାତତରାୟ, ପୂର୍ବତନ ବିଧାୟକ ଶ୍ରୀ ଦିଲ୍ଲୀପ ଶ୍ରୀଚନ୍ଦନ, ଶ୍ରୀ ଦେବେନ୍ଦ୍ର ମାନ ସିଂ, ବିଶିଷ୍ଟ ପରିବେଶ ବିତ ଡ: ପାଣିଗ୍ରାହୀ, ଅନିଲ ଧୀରଙ୍କ ସମେତ ଅନେକ ମହିଳା ଓ ସମାଜ କର୍ମୀ ମାନେ ଯୋଗ ଦେଇଥିଲେ ।

ମହାନଦୀ ବଂଚାଅ ଆନ୍ଦୋଳନର ବିଜୟ ପ୍ରଧାନ, ନିରଦ ବରଣ ଖୁଂଟିଆ, ପ୍ରସନ୍ନ ବିଶୋଇ, ଦେବୀଦାସ ମହାନ୍ତି, ଅସିତ ପାଣିଗ୍ରାହୀ ପ୍ରମୁଖଙ୍କ ନେତୃତ୍ୱରେ କଟା ହେବାକୁ ଥିବା ଗଛ ଗୁଡିକରେ “ମୁଁ ଗଛ କହୁଛି : ମୋତେ କାଟନି, ନିଜ ପାଇଁ ବିନାଶକୁ ଡାକନି” ଲିଖିତ ପୋଷ୍ଟର ଲଗାଇଥିଲେ ।

ପ୍ରକାଶ ଥାଉ କି ଗତ କାଲି ଶ୍ରୀ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଗଛକଟାକୁ ବନ୍ଦ କରାଯାଇଥିଲା ଏବଂ ଆଜିର ଗଣଧାରଣା ପରେ ଆଉ ଗଛ କଟାଯିବ ନାହିଁ ବୋଲି ଗଛକଟା ଦାୟିତ୍ୱରେ ଥିବା କ୍ଷେତ୍ର ଅଧିକାରୀ ଶ୍ରୀ ମହେନ୍ଦ୍ର ନାୟକ କହିଥିଲେ । ଗଛକାଟ ବର୍ତର୍ମାନ ପାଇଁ ବନ୍ଦଥିବାରୁ ଗଣ ଧାରଣାକୁ ସ୍ଥଗିତ ରଖାଗଲା ବୋଲି ଶ୍ରୀ ଦାସ ଆଜି ଏକ ସାମ୍ବାଦିକ ସମ୍ମୀଳନୀରେ ଘୋଷଣା କରିଥିଲେ । ମାତ୍ର ପୁଣୀ ଯଦି ଗଛ କଟା ହୁଏ, ତେବେ ଗଣଧାରଣା ପୁଣି ଆରମ୍ଭ ହେବ ବୋଲି ସେ କହିଥିଲେ ।

ମାତ୍ର ଗଛର ଉପକାରିତା ଓ ଗଛ କଟା ଯୋଗୁଁ ଯେଉଁ ପ୍ରତିକୂଳ କୁପ୍ରଭାବ ପଡିବ ତାକୁ ନେଇ ବାଳକ ବାଳିକା ମାନଙ୍କ ଭିତରେ ଚିତ୍ରାଙ୍କନ କାର୍ଯ୍ୟକ୍ରମ ହେବ ବୋଲି ଆଜି ଘୋଷଣା କରାଯାଇଛି । ଏହା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ପରେ ଏକ ପାଂଚ ଜଣିଆ ପ୍ରତିନିଧି ଦଳ ନବୀନ ନିବାସ ଯାଇ ତାଙ୍କୁ ଗଛ କାଟିବାକୁ ବନ୍ଦ କରିବାକୁ ଅନୁରୋଧ କରାଯିବ ବୋଲି ଆଜି ନିଷ୍ପତି ହୋଇଛି ।